ନୂଆଦିଲ୍ଲୀ,୩୧।୧୦:  ସାରା ଦେଶରେ ଔଷଧର ଗୁଣବତ୍ତା ଉପରେ ନଜର ରଖିଥାଏ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଅର୍ଥାତ CDSCO । ଏବେ CDSCOରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଅଧାରୁ ଅଧିକ ପଦବୀ ଖାଲି ରହିଛି। ଏହି ଖୁଲାସା ସୂଚନା ଅଧିକାର ଆଇନ ବା ଆରଟିଆଇ ଆବେଦନ ପରେ ଜଣାପଡିଛି, ଯେଉଁଥିରେ କୁହାଯାଇଥିଲା ମୋଟ ସ୍ବୀକୃତି ପ୍ରାପ୍ତ ପଦରୁ ୫୦ ପ୍ରତିଶତ ପଦ ଏର୍ପଯ୍ୟନ୍ତ ପୂରଣ ହୋଇପାରିନି।

ମଧ୍ୟ ପ୍ରଦେଶରେ କଫ୍ ସିରଫ ପିଇ ୨୪ ଶିଶୁଙ୍କର ମୃତ୍ୟୁ ପରେ କମ୍ପାନୀର ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ଭିତରେ ସୂଚନା ଅଧିକାର ଅନୁସାରେ, ମିଳିଥିବା ତଥ୍ୟ   ସରକାରୀ ବ୍ୟବସ୍ଥାର ସତ୍ୟତା ବିଷୟରେ ଜଣାଇ ଦେଇଛି। ଆରଟିଆଇର ସୂଚନା ଅନୁସାରେ, CDSCOରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଖୁବ୍ ଅଭାବ ରହିଛି। ମୋଟ ସ୍ବୀକୃତି ପ୍ରାପ୍ତ ପଦବୀରୁ ଏବେ ବି ଅଧା ଖାଲି ରହିଛି।

ଦିଲ୍ଲୀର ମେଡିକାଲ ଛାତ୍ର ଅମନ୍ କୌଶିକ ୯ ଅକ୍ଟୋବରରେ ଆରଟିଆଇ ଆବେଦନ କରି CDSCO ଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ। ତାହା ଥିଲା CDSCO (ମୁଖ୍ୟାଳୟ ଓ ଜୋନାଲ କାର୍ଯ୍ୟାଳୟ ସହିତ) ରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ମୋଟ ସ୍ବୀକୃତିପ୍ରାପ୍ତ ପଦ କେତେ ରହିଛି ? ୯ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କେତେ ପଦବୀ ଖାଲି ରହିଛି ? ଏହାର ଉତ୍ତର ୨୭ ଅକ୍ଟୋବରରେ ମିଳିଥିଲା। ମୋଟ ସ୍ବୀକୃତିପ୍ରାପ୍ତ ପଦ ୫୦୪ ରହିଛି। ତେବେ ତା ଭିତରୁ ୨୫୦ ଟି ପଦବୀ ଖାଲି ରହିଛି। ନିୟାମକରେ ୪୧୯ ଟିରୁ ୧୮୭ ଟି ପଦ ଖାଲି ରହିଛି। ଚିକିତ୍ସା ଉପକରଣରେ ୮୫ଟିରୁ ୬୩ଟି ଖାଲି ରହିଛି। ମୋଟ ଭାବରେ ୫୦୪ ରୁ ଅଧାରୁ ଅଧିକ ପଦବୀ ଖାଲି ରହିଛି। ଆରଟିଆଇ ଜରିଆରେ ଯେଉଁ ସୂଚନା ରହିଛି। ତାହା ହେଲା ସିଡିଏସ୍‌ସିଓ ମୁଖ୍ୟାଳୟ, ୮ଟି ଆଞ୍ଚଳିକ ଓ ୬ଟି ଉପ-ଆଞ୍ଚଳିକ କାର୍ଯ୍ୟାଳୟ ରହିଛି। ଅର୍ଥାତ ସାରା ଦେଶରେ ୧୪ଟି ସେଣ୍ଟର ସିଡିଏସସିଓର ରହିଛି। ସେଠାରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପ୍ରବଳ ଅଭାବ ରହିଛି। ଏହି କାରଣରୁ ପ୍ରତି ମାସ ଔଷଧର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠୁଛି, କାରଣ ଯାଞ୍ଚର କାମ ପ୍ରଭାବିତ ହେଉଛି ।