ନୂଆଦିଲ୍ଲୀ୪।୧୦: ଗାଜା ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି। ଗାଜା ସଂଘର୍ଷର ଏକ ପ୍ରମୁଖ ପକ୍ଷ ହମାସ ଟ୍ରମ୍ପଙ୍କ ଶାନ୍ତି ଯୋଜନାରେ ସହମତ ହୋଇଛି। କିନ୍ତୁ ଏହି ଶାନ୍ତି ଯୋଜନାର ପ୍ରକୃତ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ହମାସକୁ ବନ୍ଧକଙ୍କୁ ମୁକ୍ତ କରିବାକୁ ପଡିବ, ଏବଂ ପ୍ରତିବଦଳରେ ଇସ୍ରାଏଲକୁ ଗାଜା ଖାଲି କରିବାକୁ ପଡିବ। ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସେତେବେଳେ ଆସିବ, ଯେତେବେଳେ ହମାସକୁ ତା'ର ଅସ୍ତ୍ର ଛାଡିବାକୁ ପଡିବ।୭ ଅକ୍ଟୋବର ୨୦୨୩, ସେହି ଦିନ ଥିଲା ଯେତେବେଳେ ହମାସ ଆତଙ୍କବାଦୀମାନେ ଇସ୍ରାଏଲୀଙ୍କୁ ଉତ୍ସବ ପାଳନ କରୁଥିବା ସମୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୨୦୦ ଇସ୍ରାଏଲୀ ପ୍ରାଣ ହରାଇଥିଲେ।

ଆକ୍ରମଣ ସହ ଦୁଷ୍କର୍ମ, ହତ୍ୟା ଏବଂ ନୃଶଂସ ଅତ୍ୟାଚାରର କାହାଣୀ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏହି ସମୟ ମଧ୍ୟରେ ହମାସ ୨୫୦ ରୁ ଅଧିକ ଇସ୍ରାଏଲୀଙ୍କୁ ବନ୍ଧକ ମଧ୍ୟ କରିଥିଲା। ହମାସ ଏହି ବନ୍ଧକମାନଙ୍କ ମଧ୍ୟରୁ କିଛିଙ୍କୁ ଫେରାଇ ଦେଇଛି। ଏହା ପରେ ଇସ୍ରାଏଲର ନେଇଥିଲା ଜୋଦାର ପ୍ରତିଶୋଧ। ଆଉ ଏହାର କାହାଣୀ ଖୁବ୍ ଭୟଙ୍କର ଏବଂ ମାନବିକତା ପାଇଁ ଲଜ୍ଜାଜନକ ଥିଲା। ପ୍ରତିଶୋଧର ଏହି ଯୁଦ୍ଧରେ ଇସ୍ରାଏଲ ଏପର୍ଯ୍ୟନ୍ତ ୬୬,୦୦୦ ପାଲେଷ୍ଟାଇନୀଙ୍କୁ ହତ୍ୟା କରିଛି। ହମାସର ସାମରିକ ଏବଂ ରାଜନୈତିକ ନେତୃତ୍ୱ ପ୍ରାୟତଃ ଅସ୍ତିତ୍ୱହୀନ ହୋଇଛି। ଗାଜା ଏକ ଭୟଙ୍କର ଦୁର୍ଭିକ୍ଷର ସମ୍ମୁଖୀନ ହେଉଛି, ଶିଶୁ ଏବଂ ମହିଳାମାନେ ଖାଦ୍ୟ ଅଭାବରେ ପୀଡିତ ଅଛନ୍ତି। କିନ୍ତୁ ପ୍ରାୟ ଦୁଇ ବର୍ଷ ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣା କରିଛନ୍ତି, ଯାହା ଗାଜାରେ ଶାନ୍ତି ପାଇଁ ଆଶା ସୃଷ୍ଟି କରିଛି।

ଟ୍ରମ୍ପ କହିଛନ୍ତି, ହମାସ ଏକ ଶାନ୍ତି ଚୁକ୍ତିନାମା ଗ୍ରହଣ କରିଛି । ଅବଶିଷ୍ଟ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ଏହା ସହିତ, ଟ୍ରମ୍ପ ଇସ୍ରାଏଲକୁ ଗାଜା ଉପରେ ବୋମାମାଡ଼ ବନ୍ଦ କରିବାକୁ କହିଛନ୍ତି। ହମାସକୁ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ରବିବାର ଶେଷ ହେବାକୁ ଥିଲା। ଏହା ପୂର୍ବରୁ, ହମାସ କହିଥିଲା , ଗାଜାର ଏକ ଗୁପ୍ତ ସ୍ଥାନରେ ବନ୍ଦୀ ଥିବା ସମସ୍ତ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୃତ କିମ୍ବା ଜୀବିତଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି। ହମାସ ପାଖରେ ଇସ୍ରାଏଲର ୨୮  ନାଗରିକ ଅଛନ୍ତି, ଯାହାଙ୍କର ମୃତ୍ୟୁ ହୋଇସାରିଛି। ହମାସ ଏବେ ବି ସେମାନଙ୍କ ମୃତଦେହ ରଖିଛି। ହମାସ ଏବେ ଇସ୍ରାଏଲକୁ ସେମାନଙ୍କ ମୃତଦେହ ହସ୍ତାନ୍ତର କରିବ। ହମାସ କହିଛି,ଯୁଦ୍ଧ ବନ୍ଦ ଏବଂ ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନେଇ ସର୍ତ୍ତ ରଖି ଶାନ୍ତି   ଏହି ପ୍ରସ୍ତାବରେ ରାଜି ହୋଇଛି।  

ହମାସ ଏବଂ ଆମେରିକାର ବୟାନ ପରେ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି ଘୋଷଣା କରିଛି ଯେ ଇସ୍ରାଏଲ ‘ସମସ୍ତ ବନ୍ଧକଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଟ୍ରମ୍ପ ଯୋଜନାର ପ୍ରଥମ ପର୍ଯ୍ୟାୟର ତୁରନ୍ତ କାର୍ଯ୍ୟକାରୀତା ପାଇଁ ପ୍ରସ୍ତୁତ। ନେତନ୍ୟାହୁ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀକୁ ବର୍ତ୍ତମାନର ଆକ୍ରମଣ ବନ୍ଦ କରିବାକୁ ଏବଂ ସମ୍ପୂର୍ଣ୍ଣ ପ୍ରତିରକ୍ଷା ରଣନୀତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘୋଷଣା ସହ ପ୍ରାୟ ୭୨୬ ଦିନର ଲହୁଲୁହାଣ ଗାଜାରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ହମାସ ଦ୍ବାର ଗାଜା ପିସ୍ ପ୍ଲାନକୁ ସ୍ବୀକାର କରିବାର ୭୨ ଘଣ୍ଟା ମଧ୍ୟରେ, ହମାସ ସମସ୍ତ ୪୮ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିବ। ଏହି ୪୮ ଜଣ ବନ୍ଦୀଙ୍କ ମଧ୍ୟରୁ ୨୮ ଜଣ ମୃତ ବୋଲି ବିଶ୍ୱାସ କରାଯାଉଛି। ସେଭଳି ୨୦ ଜଣ ଜୀବିତ ଅଛନ୍ତି। ଚୁକ୍ତିନାମା ଅନୁଯାୟୀ, ହମାସ ଏହି ୨୮  ଜଣ ମୃତ ଇସ୍ରାଏଲୀ ବନ୍ଧକଙ୍କ ମୃତଦେହ ମଧ୍ୟ ଇସ୍ରାଏଲକୁ ଫେରାଇବ। ଇସ୍ରାଏଲ ତା ବିନିମୟରେ ୨୦୦୦ ପାଲେଷ୍ଟାଇନୀୟଙ୍କୁ ମଧ୍ୟ ମୁକ୍ତ କରିବ। ଏମାନଙ୍କ ମଧ୍ୟରୁ ୨୫୦ ଜଣ ଆଜୀବନ କାରାଦଣ୍ଡ ପାଇଥିବା ବନ୍ଦୀ ଥିବା ବେଳେ , ୧୭୫୦ ଜଣଙ୍କୁ ଇସ୍ରାଏଲ ଗିରଫ କରିଛି।