ଜେରୁଜେଲମ୍‌: ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ ଗ୍ୱିର ଶୁକ୍ରବାର ଦିନ ଗାଜାରେ “ପୂର୍ଣ୍ଣ ଶକ୍ତି” ସହିତ ଆକ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ପୂର୍ବରୁ ହମାସ ଆମେରିକା ସମର୍ଥିତ ଏକ ନୂଆ ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। କାରଣ ଏହି ଯୁଦ୍ଧବିରତି ପ୍ରସ୍ତାବରେ ହମାସର ମୌଳିକ ଦାବି ଯଥା ସ୍ଥାୟୀ ଯୁଦ୍ଧବିରତି ଏବଂ ଗାଜାରୁ ଇସ୍ରାଏଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଆଦି ପୂରଣ ହେଉନଥିବାରୁ ଏହି ପ୍ରସ୍ତାବ ଅସଫଳ ହୋଇଯାଇଛି। ବେନ ଗ୍ୱିର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଜାରି କରି କହିଛନ୍ତି ଯେ, “ମାନ୍ୟବର ପ୍ରଧାନମନ୍ତ୍ରୀ, ହମାସ ପୁନର୍ବାର ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଏବେ କୌଣସି ବାହାନା ଚଳିବ ନାହିଁ। ହମାସକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପଡିବ। ଆଉ ଏବେ ହିଁ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢ଼ିବାର ସଠିକ ସମୟ।”




ଆମେରିକା ପକ୍ଷରୁ ପ୍ରସ୍ତାବିତ ଏହି ଯୁଦ୍ଧବିରତି ଯୋଜନାରେ ୬୦ ଦିନର ଅସ୍ଥାୟୀ ଯୁଦ୍ଧବିରତି, ପ୍ରଥମ ସପ୍ତାହରେ ୧୦ ଜଣ ଜୀବିତ ବନ୍ଦୀ ଏବଂ ୯ଟି ବନ୍ଦକଙ୍କ ମୃତଦେହର ମୁକ୍ତି ଏବଂ ପ୍ୟାଲେଷ୍ଟାଇନୀୟ ବନ୍ଦୀଙ୍କ ବିନିମୟ ଆଦି ଅନ୍ତର୍ଭୁକ୍ତ ଥିଲା। ଦ୍ୱିତୀୟ ସପ୍ତାହରେ ସମାନ ସଂଖ୍ୟକ ବନ୍ଦୀ ଏବଂ ମୃତଦେହ ମୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ତେବେ ହମାସର ଜଣେ ମୁଖପାତ୍ର ବାସେମ ନାଇମ କହିଛନ୍ତି ଯେ ଏହି ନୂଆ ପ୍ରସ୍ତାବ ପୂର୍ବ ପ୍ରସ୍ତାବରୁ ପଛକୁ ହଟିବା ଭଳି ଏବଂ ଏଥିରେ ସ୍ଥାୟୀ ଯୁଦ୍ଧବିରତି ଆମେରିକାର ପ୍ରତିଶ୍ରୁତିରେ ଅନ୍ତର୍ଭୁକ୍ତ ନାହିଁ। ହମାସ ଏକ ସ୍ଥାୟୀ ଯୁଦ୍ଧବିରତି ଏବଂ ଗାଜାରୁ ଇସ୍ରାଏଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଛି, ଯାହା ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଛି।

ଅନ୍ୟପକ୍ଷରେ, ଆମେରିକାର ହ୍ୱାଇଟ ହାଉସ କହିଛି ଯେ ଇସ୍ରାଏଲ ଏହି ପ୍ରସ୍ତାବକୁ ସ୍ୱୀକାର କରିଛି। କିନ୍ତୁ ଇସ୍ରାଏଲ ସରକାର ଏହାକୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି। ଗାଜାରେ ଇସ୍ରାଏଲର ନିୟନ୍ତ୍ରଣ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଛନ୍ତି। ଯାହା ହମାସର ମୁଖ୍ୟ ଦାବିକୁ ଆହୁରି ଜଟିଳ କରିଛି। ଗାଜାରେ ଚାଲିଥିବା ଏହି ସଂଘର୍ଷରେ ପ୍ୟାଲେଷ୍ଟାଇନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୧୦ ସପ୍ତାହରେ ପ୍ରାୟ ୪,୦୦୦ ଲୋକ ନିହତ ହୋଇଛନ୍ତି ଏବଂ ଜାରି ରହିଥିବା ଏହି ଦୀର୍ଘକାଳିନ ଯୁଦ୍ଧରେ ମୋଟ ୫୪,୨୪୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଛି।

ଏହି ସଂଘର୍ଷ ୨୦୨୩ ଅକ୍ଟୋବର ୭ରେ ହମାସର ଇସ୍ରାଏଲ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ୧,୨୦୦ ଲୋକ ନିହତ ହୋଇଥିଲେ ଏବଂ ଇସ୍ରାଏଲ ପକ୍ଷରୁ ୨୫୧ ଜଣ ସାଧାରଣ ନାଗରିକଙ୍କୁ ବନ୍ଦୀ କରାଯାଇଥିଲା। ଇସ୍ରାଏଲ ଏହାର ଜବାବରେ ଗାଜାରେ ବ୍ୟାପକ ସାମରିକ ଅଭିଯାନ ଆରମ୍ଭ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୧୯୭ ଜଣ ବନ୍ଦୀଙ୍କୁ ମୁକ୍ତ କରାଯାଇଛି, ଯେଉଁଥିରୁ ୧୪୮ ଜଣ ଜୀବିତ ରହିଛନ୍ତି। ତେବେ ଏହି ନୂଆ ପ୍ରସ୍ତାବର ପ୍ରତ୍ୟାଖ୍ୟାନ ସହିତ ଗାଜାରେ ସଂଘର୍ଷ ଆହୁରି ତୀବ୍ର ହେବା ବୋଲି ଆଶଙ୍କା ରହିଛି।

ଏହି ସଂଘର୍ଷ ମଧ୍ୟରେ ଗାଜାରେ ମାନବୀୟ ସଙ୍କଟ ମଧ୍ୟ ଗଭୀର ହୋଇଛି। ଗାଜାକୁ ଯୋଗାଯୋଗ କରୁଥିବା ସବୁ ରାସ୍ତା ଉପରେ ଇସ୍ରାଏଲର ଦୀର୍ଘ ଦିନର ଅବରୋଧ ଯୋଗୁଁ ଗାଜାରେ ଖାଦ୍ୟ, ପାଣି, ଔଷଧ ଏବଂ ଇନ୍ଧନର ତୀବ୍ର ଅଭାବ ଦେଖାଦେଇଛି। ଜାତିସଂଘ ଏବଂ ଅନ୍ୟାନ୍ୟ ମାନବୀୟ ସଂସ୍ଥା ଏହି ଅବରୋଧକୁ ମାନବୀୟ ଆଇନର ଉଲ୍ଲଙ୍ଘନ ବୋଲି କହି ଏହାର ସମାଲୋଚନା କରିଛନ୍ତି।