ବୌଦ୍ଧ,୦୨/୧୨: ମହଙ୍ଗା ପଡିଲା ମଦ୍ୟପାନ କରି ସ୍କୁଲ ଆସିବା । ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ । ତେବେ ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକରୁ ଏହି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଦିନର ଦରମା ବନ୍ଦ ସହ ଆରମ୍ଭ ହେଲା ବିଭାଗୀୟ ତଦନ୍ତ ପ୍ରକ୍ରିୟା । ଶିକ୍ଷକ ଜଣକ ହେଲେ ହରଭଙ୍ଗା ବ୍ଲକ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକ ।
ସୂଚନା ମୁତାବକ, ଗତ ୨୭ ତାରିଖରେ କର୍ତ୍ତବ୍ୟରେ ଅବହେଳା କାରଣରୁ ୧୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ କରିଥିଲେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ।ଏଥିରେ ସୁରମଣି ମଲ୍ଲିକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ୧୦ ଜଣ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ତଦନ୍ତ କରିବାରୁ ଜଣେ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଖପା ହୋଇଥିଲେ BEO। ଶିକ୍ଷକ ଜଣକ ପ୍ରତିଦିନ ସ୍କୁଲକୁ ମଦ୍ୟପାନ କରି ଆସୁଥିଲେ ଏବଂ ଛାତ୍ରଛାତ୍ରୀ ଙ୍କୁ ପାଠ ପଢେଇବା ପରିବର୍ତ୍ତେ ମୋବାଇଲରେ ବ୍ୟସ୍ତ ରହୁଥିଲେ ବୋଲି ଜାଣିବାକୁ ପାଇଥିଲେ । ଏଥିସହିତ ସ୍କୁଲକୁ ମନ ଇଛା ସମୟରେ ଆସିବା ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନଜଣାଇ ସ୍କୁଲରେ ଅନୁପସ୍ଥିତ ରହୁଥିଲେ । ଏନେଇ ବିଭାଗ ପକ୍ଷରୁ ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା ।
ଯାହାକୁ ନେଇ ଏବେ ବ୍ଲକ ଶିକ୍ଷାଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପୂର୍ବରୁ କାରଣ ଦର୍ଶାଅ ନୋଟିସର ଉତ୍ତର ନ ଦେଇ ଥିବାରୁ ଏବେ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ୩୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ପତ୍ର ସଂଖ୍ୟା ୩୧୧୪ ରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଶିକ୍ଷକମାନେ ଠିକ ସମୟରେ ସ୍କୁଲ ଯିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରନ୍ତୁ ଓ ବିଭାଗକୁ ଆଗକୁ ନେବା ପାଇଁ ବ୍ଲକ ଶିକ୍ଷାଅଧିକାରୀ ହାଡ଼ିବନ୍ଧୁ ବେହେରା କହିଛନ୍ତି ।