ଜଟଣୀ,୦୯/୦୩: ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଛି । ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଗ୍ରାମରେ ଅନୁଷ୍ଠିତ ମେଳଣର ରବିବାର ଜମାଣ ରାତିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଆତସବାଜିରେ ମେଳଣ ପଡ଼ିଆ ଝଲସି ଉଠିଥିଲା । ଜମାଣ ପୂର୍ବରୁ ଦୋଳପୂର୍ଣ୍ଣିମାରୁ ମେଳଣ ପଡ଼ିଆସ୍ଥିତ କୋଠଘରେ ହୋମ ହୋଇ ଅଖଣ୍ଡ ଦୀପ ଲାଗିଥିଲା । ଜମାଣ ଉତ୍ସବ ତଥା ରବିବାର ସକାଳୁ ଥାନପତି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଙ୍କ ନିକଟରୁ କୋଠଘରକୁ ଆଜ୍ଞାମାଳ ବିଜେ ହୋଇଥିଲା । ରାତିରେ ଭଣ୍ଡାରଘରୁ କୋଠଭୋଗ ଆସିବା ପରେ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବ ମନ୍ଦିରରୁ ବାହାରିଥିଲେ । ପରେ ବାଟଅଗଣାରେ ରହିଥିଲେ । ସେଠାରେ କୋଠଭୋଗ ଲାଗି କରାଯିବା ପରେ ଠାକୁର ଦୋଳ ବିମାନକୁ ବିଜେ କରିଥିଲେ । ପଶ୍ଚିମଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ଯାତ୍ରା କରିଥିଲେ ।

ପଟୁଆରରେ ଯିବା ସମୟରେ ବାଟରେ ଥିବା ଶ୍ରୀ ଗୋପାଳଜୀ(ମଠ ଠାକୁର) ଓ ଶ୍ରୀ ବାଳମୁକୁନ୍ଦ ଦେବ ପାଲିଙ୍କିରେ ଥାନପତିଙ୍କ ସହିତ ମେଳଣ ପଡ଼ିଆକୁ ଯାଇଥିଲେ । ଏହି ସମୟରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ସହିତ ରଙ୍ଗ ବେରଙ୍ଗ କଳରଙ୍ଗ, ବାଜାରୋସଣି, ଘଣ୍ଟ ଘଣ୍ଟା, ତୁରୀ, ମହୁରୀ, ଶଙ୍ଖନାଦ, ଘୋଡ଼ା ଓ ନାଗାନାଚରେ ଚତୁଃପାଶ୍ୱର୍ ପ୍ରକମ୍ପିତ ହୋଇଉଠିଥିଲା । ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ୮୫ ହରିହର ବିଗ୍ରହ ଦୋଳ ବିମାନରେ ମେଳଣ ପଡ଼ିଆରେ ଉପବିଷ୍ଟ ହୋଇଥିଲେ । ୦ ଏକର ବିଶିଷ୍ଟ ମେଳଣ ପଡ଼ିଆରେ ୧୫ଶହରୁ ଅଧିକ ଅସ୍ଥାୟୀ ଦୋକାନ ବଜାର ଗଢ଼ିଉଠିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ, ମେଲୋଡ଼ି ପରିବେଷଣ କରାଯିବା ସହ ରାତିତମାମ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା ।

ଅଧିକ ପଢ଼ନ୍ତୁ :- ଭଦ୍ରକରେ ୨ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଜଣେ ମୃତ ଅନ୍ୟ ଜଣେ ଗୁରୁତର