ନୂଆଦିଲ୍ଲୀ,୧୫/୧୦: ଡିସେମ୍ବର ୨୮ରୁ  ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଉଭୟ ରାଞ୍ଚି ଓ  ରାଉରକେଲାରେ ଖେଳାଯିବ ହକି ଇଣ୍ଡିଆ ଲିଗ୍‌  (ହିଲ) । ଦୀର୍ଘ ୭ ବର୍ଷ ପରେ ନୂଆ ରୂପରେ ପୁଣି  ଉଭୟ ବର୍ଗରେ (ପୁରୁଷ ଓ ମହିଳା) ଫେରିଛି  ଏହି ଲିଗ୍‌ । ତେଣୁ ନୂଆ ସଂସ୍କରଣ ପାଇଁ ଗତ ୧୩  ତାରିଖରୁ ନୂଆଦିଲ୍ଲୀରେ ଚାଲିଛି ଖେଳାଳି ନିମାଲ ।  ପୁରୁଷ ବର୍ଗରେ ଭାରତୀୟ ଦଳର ଅଧିନାୟକ  ହର୍ମନପ୍ରୀତ ସିଂ ସବୁଠୁ ମହଙ୍ଗା  ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।  ତାଙ୍କୁ ସୁରମା ହକି କ୍ଲବ୍‌  (ପଞ୍ଜାବ) ୭୮ ଲକ୍ଷ ଟଙ୍କାରେ  କ୍ରୟ କରିଛି । 

ନୂଆ ସଂସ୍କରଣ ପାଇଁ ୧୦୦୦ରୁ ଊଦ୍ଧ୍ୱର୍ ଖେଳାଳି  ଉଭୟ ବର୍ଗରେ ନିଲାମୀରେ ସାମିଲ ହୋଇଛନ୍ତି ।  ସେମାନଙ୍କ ମଧ୍ୟରେ ୪୦୦ ଜଣ ଘରୋଇ ପୁରୁଷ  ଖେଳାଳି, ୧୫୦ ଜଣ ବିଦେଶୀ ଏବଂ ୨୫୦ରୁ ଊଦ୍ଧ୍ୱର୍  ଘରୋଇ ମହିଳା ଖେଳାଳି ରହିଛନ୍ତି । ପ୍ରତ୍ୟେକ  ପୁରୁଷ ଦଳର ମୂଳପୁଞ୍ଜି ୪ କୋଟି ଏବଂ ମହିଳା  ଦଳର ୨ କୋଟି ଟଙ୍କା ରହିଛି । ହର୍ମନପ୍ରୀତଙ୍କ ପରେ  ଅଭିଷେକ ହେଉଛନ୍ତି ଦ୍ୱିତୀୟ  ଦାମୀ ଖେଳାଳି । ୭୨ ଲକ୍ଷ  ଟଙ୍କାରେ ତାଙ୍କୁ ବେଙ୍ଗଲ ଟାଇଗର୍ସ  କିଣିଛି । ସେହିପରି ହାର୍ଦ୍ଦିକ ସିଂଙ୍କୁ ଉତ୍ତରପ୍ରଦେଶ  ରୁଦ୍ରା ୭୦ ଲକ୍ଷରେ, ଜର୍ମାନୀର ଗଞ୍ଜାଲୋ ପେଲାଟଙ୍କୁ  ୬୮ ଲକ୍ଷରେ ହାଇଦ୍ରାବାଦ ତୁଫାନ, ନେଦରଲାଣ୍ଡସର  ଜିପ୍‌ ଜାନସେନଙ୍କୁ ୫୪ ଲକ୍ଷରେ ତାମିଲନାଡୁ  ଡ୍ରାଗନସ, ଅମିତ ରୋହିଦାସଙ୍କୁ ୪୮ ଲକ୍ଷରେ  ତାମିଲନାଡୁ, ଯୁଗରାଜ ସିଂଙ୍କୁ ୪୮ ଲକ୍ଷରେ ବେଙ୍ଗଲ  ଏବଂ ସୁମିତଙ୍କୁ ୪୬ ଲକ୍ଷରେ ହାଇଦ୍ରାବାଦ କିଣିଛି ।  

ହିଲ୍‌ରେ ଏଥର ପୁରୁଷରେ ୮ ଏବଂ ମହିଳାରେ  ୬ଟି ଦଳ ଖେଳିବେ । ପୁରୁଷ ଦଳ ଗୁଡ଼ିକ ହେଲେ  ଚେନ୍ନାଇ (ଚାର୍ଲ୍ସ ଗ୍ରୁପ୍‌), ଲକ୍ଷ୍ନୌ ୟାଦୁ ଗ୍ରୁପ୍‌, ପଞ୍ଜାବ  (ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌), ପଶ୍ଚିମବଙ୍ଗ (ଶ୍ରାଚୀ ଗ୍ରୁପ୍‌),  ଦିଲ୍ଲୀ (ଏସ୍‌ଜି ସ୍ପୋର୍ଟ୍ସ), ଓଡ଼ିଶା (ବେଦାନ୍ତ ଲିଃ),  ହାଇଦ୍ରାବାଦ (ରିସଲ୍ୟୁଟ ସ୍ପୋର୍ଟ୍ସ) ଏବଂ ରାଞ୍ଚି  (ନଭୋୟମ ସ୍ପୋର୍ଟ୍ସ) । ସେହିପରି ମହିଳାରେ ହରିଆନା  (ଜେଏସ୍‌ଡବ୍ଲ୍ୟୁ), ପଶ୍ଚିମବଙ୍ଗ (ଶ୍ରାଚୀ ଗ୍ରୁପ୍‌), ଦିଲ୍ଲୀ  (ଏସ୍‌ଜି ସ୍ପୋର୍ଟ୍ସ), ହାଇଦ୍ରାବାଦ, ମୁମ୍ବାଇ ଏବଂ ଓଡ଼ିଶା  (ନଭୋୟମ ସ୍ପୋର୍ଟ୍ସ) ରହିଛନ୍ତି । ନିୟମ ଅନୁସାରେ  ପ୍ରତ୍ୟେକ ଦଳରେ ୨୪ ଜଣ ଖେଳାଳି ରହିବେ ।  ଯେଉଁଥିରେ ୧୬ ଜଣ ଭାରତୀୟ ଖେଳାଳି ରହିବା  ବାଧ୍ୟତାମୂଳକ ରହିଛି । ସେହିପରି ପୂରା ଟିମ୍‌ରେ  ୪ ଜଣ ଜୁନିୟର ଖେଳାଳିଙ୍କୁ ରଖିବେ ଫ୍ରାଞ୍ଚାଇଜ ।

କଳିଙ୍ଗ ଲାନସର୍ସ 

କଳିଙ୍ଗ ଲାନସର୍ସର ପୂର୍ବ ନାମ ଅପରିବର୍ତ୍ତିତ ରହିଛି ।  ଏ ପର୍ଯ୍ୟନ୍ତ ଲାନସର୍ସ କିଣିଥିବା ଖେଳାଳିମାନେ  ହେଲେ ସଞ୍ଜୟ (୩୮ ଲକ୍ଷ), କ୍ରିଷନ ବାହାଦୂର  ପାଠନ (୩୨ ଲକ୍ଷ), ବବି ସିଂ ଧାମି (୨୦ ଲକ୍ଷ),  ଦୀଲପ୍ରୀତ ସିଂ (୩୪ ଲକ୍ଷ), ମନଦୀପ ମୋର (୧୯  ଲକ୍ଷ), ମୁକେଶ ଟପ୍ନୋ (୫ ଲକ୍ଷ), ଆରନ ଜାଲେସ୍କି  (୨୭ ଲକ୍ଷ), ଏମ୍‌. ରବିଚନ୍ଦ୍ର (୩୨ ଲକ୍ଷ), ଥେରି  ବ୍ରିକମ୍ୟାନ (୩୮ ଲକ୍ଷ), ଏନରିକ ଗଞ୍ଜାଲେଜ (୧୦  ଲକ୍ଷ), ଆଲେକଜାଣ୍ଡର ହେନଡ୍ରିକ (୨୩ ଲକ୍ଷ),  ଆର୍ଥର ଭନ ଡୋରେନ (୩୨ ଲକ୍ଷ), ଆଣ୍ଟୋନୀ କିନା  (୧୬ ଲକ୍ଷ) ଓ ରୋଶନ କୁଜୁର (୧୨.୫ ଲକ୍ଷ)  । ମହିଳା ଦଳର ନାମ ରହିଛି ଓଡ଼ିଶା ୱାରିୟର୍ସ ।