ନୂଆଦିଲ୍ଲୀ ୦୮/୦୬: ପୁସ୍ତକର ପୃଷ୍ଠାରୁ ନେଇ ବଡ଼  ପରଦା ଯାଏ- ହ୍ୟାରି, ରନ୍‌ ଏବଂ  ହରମାୟୋନିଙ୍କ ବନ୍ଧୁତ୍ୱ ଏବଂ ଇନ୍ଦ୍ରଜାଲର  ଦୁନିଆ ପିଲାଠୁ ବୟସ୍କ ସଭିଙ୍କ ମନ ଜିଣିଥିଲା ।  ‘ହ୍ୟାରି ପଟର୍‌’ର ସେହି ପ୍ରିୟ ଜଗତ ପୁଣି ଥରେ  ଫେରିଆସୁଛି । ଛୋଟ ପରଦାରେ ଏଥର ଦେଖିବାକୁ  ମିଳିବ ନୂଆ ଚେହେରା । ପ୍ରଯୋଜନା ସଂସ୍ଥାର ସୂଚନା  ଅନୁସାରେ ‘ହ୍ୟାରି ପଟର୍‌’ ସିରିଜ୍‌ର ନୂଆ ଚେହେରା ଚୂଡ଼ାନ୍ତ  ହୋଇସାରିଛି । ୩୦ ହଜାର ଶିଶୁଙ୍କର ଅଡିସନ୍‌ ନେବା ପରେ ହ୍ୟାରି,  ରନ୍‌ ଏବଂ ହରମାୟୋନି ଚରିତ୍ର ପାଇଁ ଅଭିନେତା ସ୍ଥିର କରାଯାଇଛି ।

 ନବେ  ଦଶକ ଶେଷ ଆଡ଼କୁ ହ୍ୟାରି ପଟର୍‌ ଦୁନିଆ ସହିତ ପରିଚୟ କରାଇଥିଲେ   ଜେକେ ରାୱଲିଂ । ଅଳ୍ପ ସମୟ ମଧ୍ୟରେ ବହିଗୁଡ଼ିକ ଲୋକପ୍ରିୟତା ପାଇବା ସହିତ ବଡ଼  ପରଦାକୁ ଆସିବାକୁ ଡେରି ହୋଇନଥିଲା ।  ହ୍ୟାରି ଚରିତ୍ରରେ ଡାନିଏଲ୍‌ ଜ୍ୟାକବ୍‌ ର‌୍ୟାଡକ୍ଲିଫ୍‌, ହରମାୟୋନି ଚରିତ୍ରରେ ଏମା ୱାଟସନ୍‌  ଏବଂ ରନ୍‌ ଚରିତ୍ରରେ ରୁପର୍ଟ ଗ୍ରିଣ୍ଟଙ୍କୁ ଦର୍ଶକମାନେ ଅଜସ୍ର ଭଲପାଇବା ଦେଇଥିଲେ ।  ଏବେ ବି ହ୍ୟାରି-ରନ୍‌-ହରମାୟୋନି କଥା ଉଠିଲେ ଏହି ତିନି ଅଭିନେତାଙ୍କ ଚେହେରା  ଭାସି ଉଠେ । କିନ୍ତୁ ସମୟ ସ୍ରୋତରେ ସେମାନଙ୍କ ବୟସ ଆଗେଇ ଯାଇଛି । ତେଣୁ ଏହି   ତିନି ଚରିତ୍ରରେ ନୂଆ ମୁହଁ ଦେଖିବାକୁ ମିଳିବ ବୋଲି ଆଗରୁ ଶୁଣିବାକୁ ମିଳିଥିଲା ।  ଗତ ସପ୍ତାହରେ ଏଚ୍‌ବିଓ ସଂସ୍ଥା ତରଫରୁ ନୂଆ ଚେହେରା ପ୍ରକାଶ କରାଯିବା ପରେ  ସାମାଜିକ ଗଣମାଧ୍ୟମରେ ଝଡ଼ ପରି ଖବର ପ୍ରସାରିତ ହେବାକୁ ଲାଗିଲା । 

ଛୋଟ ପରଦାରେ ‘ହ୍ୟାରି ପଟର୍‌’ ଧାରାବାହିକ ଭାବେ ପ୍ରସାରିତ ହେବ ଏବଂ ସେଥିପାଇଁ  ୯ରୁ ୧୧ ବର୍ଷ ବୟସର ନୂଆ ଚେହେରା ସନ୍ଧାନ କରାଯାଉଛି ବୋଲି ଗତ ବର୍ଷ ଏକ  ବିଜ୍ଞାପନ ପ୍ରକାଶ କରିଥିଲା ଉପରୋକ୍ତ ସଂସ୍ଥା । ଅଡିସନ୍‌ ଦେବାକୁ ହାଜର ହୋଇଥିଲେ   ୩୦ ହଜାର ଶିଶୁ । ସମସ୍ତଙ୍କୁ ପଛରେ ପକାଇ ଡୋମିନିକ ମ୍ୟାକଲଗନିନ୍‌ ବାଜି ମାରି  ନେଇଛନ୍ତି । ଏହି ସିରିଜ୍‌ରେ ସେ ହ୍ୟାରି ଚରିତ୍ରରେ ଦେଖିବାକୁ ମିଳିବେ । ଡୋମିନିକ୍‌  ଏହା ପୂର୍ବରୁ ‘ଗ୍ରୋ’ ନାମକ ହଲିଉଡ୍‌ ସିନେମାରେ କାମ କରିଛନ୍ତି । ‘ଗିଫ୍ଟେଡ୍‌’  ନାମକ ବିବିସିର ଏକ ସିରିଜ୍‌ରେ ମଧ୍ୟ ଅଭିନୟ କରିଛନ୍ତି ଡୋମିନିକ୍‌ । ସେହିଭଳି  ଅଭିନୟରେ ନୂଆ ନୁହନ୍ତି ଆରାବେଲା ଷ୍ଟାନଟନ୍‌ । ‘ହ୍ୟାରି ପଟର୍‌’ ସିରିଜରେ ସେ  ହରମାୟୋନି ଚରିତ୍ରରେ ଅଭିନୟ କରିବେ । ବଡ଼ ପରଦାରେ ଅଭିନୟ ନ କରିଲେ  ବି ମଞ୍ଚରେ ଅଭିନୟ କରିବାର ଅଭିଜ୍ଞତା ରଖିଛନ୍ତି ଆରାବେଲା । ୨୦୨୩ରୁ ୨୦୨୪   ମସିହା ପର୍ଯ୍ୟନ୍ତ ଲଣ୍ଡନର ୱେଷ୍ଟ ଏଣ୍ଡ ଥିଏଟର୍‌ରେ ‘ମାଟିଲ୍ଡା:ଦ ମ୍ୟୁଜିକାଲ୍‌’ ନାଟକରେ  ମୁଖ୍ୟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ଆରାବେଲା । ଡୋମିନିକ୍‌  ଏବଂ ଆରାବେଲା ଅଭିନୟ ଜଗତ ସହିତ ଆଗରୁ ପରିଚିତ ଥିଲେ ବି ରୁପେଲି ପରଦା  ସହିତ ପ୍ରଥମ ଥର ପାଇଁ ପରିଚିତ ହେବେ ଆଲାଷ୍ଟେୟାର୍‌ ଷ୍ଟାଉଟ୍‌ । ଏହି ସିରିଜ୍‌ରେ   ସେ ରନ୍‌ ଚରିତ୍ରରେ ଦେଖାଯିବେ । 

ଛୋଟ ପରଦାରେ ପ୍ରସାରିତ ହେବାକୁ ଥିବା ଏହି  ସିରିଜ୍‌ରେ ଡମ୍ବଲଡୋ ଚରିତ୍ରରେ ଅଭିନୟ କରିବେ ହଲିଉଡ୍‌ ଅଭିନେତା ଜନ୍‌ ଆର୍ଥର୍‌  ଲିଥଗୋ । ମିନର୍ଭା ମ୍ୟାକଗନାଗଲ୍‌ ଚରିତ୍ରରେ ଦେଖିବାକୁ ମିଳିବେ ହଲିଉଡ୍‌ ଅଭିନେତ୍ରୀ   ଜ୍ୟାନେଟ୍‌ ମ୍ୟାକଟିୟାର୍‌ । ‘ହ୍ୟାରି ପଟର୍‌’ ସିରିଜରେ ସେଭେରସ୍‌ ଚରିତ୍ରରେ ଅଭିନୟ  କରିବାକୁ ଯାଉଛନ୍ତି ବ୍ରିଟିଶ ଅଭିନେତା ପାପା ଏସିଡୁ । ବଡ଼ ପରଦାରେ ହ୍ୟାଗରିଡ୍‌   ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ରବି କଲଟ୍ରେନ୍‌ । ତେବେ  ସିରିଜ୍‌ରେ ସେହି ଚେହେରାରେ ପରିବର୍ତ୍ତନ କରାଯାଇଛି । ହଲିଉଡ୍‌ ଅଭିନେତା ନିକ୍‌  ଫ୍ରଷ୍ଟଙ୍କୁ ହ୍ୟାଗରିଡ୍‌ ଚରିତ୍ର ପାଇଁ ମନୋନୀତ କରାଯାଇଛି । ‘ହ୍ୟାରି ପଟର୍‌’ ସିରିଜରେ   କାର୍ଯ୍ୟନିର୍ବାହୀ ପ୍ରଯୋଜକର ଦାୟିତ୍ୱ ସମ୍ଭାଳିଛନ୍ତି ଲେଖିକା ଜେକେ ରାୱଲିଂ । ୨୦୨୬ରୁ  ୨୦୨୭ ମସିହା ମଧ୍ୟରେ ଏହି ସିରିଜ୍‌ଟି ମୁକ୍ତି ପାଇବ ବୋଲି ଶୁଣିବାକୁ ମିଳିଛି ।