କଟକ,୦୮/୧୧: ‘ଆଜ୍ ଜାନେ କି ଜିଦ୍ ନା କରୋ’, ‘ସାନୁ ଇକ୍ ପଲ୍ ଚୈନ ନା ଆବେ’ ଓ ‘ସାସୋଁ କି ମାଲା ପେ..’ । ଏଭଳି ୫ରୁ ଅଧିକ ହିନ୍ଦୀ ଓ ପଞ୍ଜାବୀ ସଙ୍ଗୀତ । ତା ସାଙ୍ଗକୁ ‘ଓ ଜାଲିମା’ ସହିତ ‘ମସ୍ତ କଲନ୍ଦର’ ଭଳି ଦମ୍ଦାମ୍ ନୃତ୍ୟ ଗୀତ । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଗୀତ ଗାଇଲେ । କେତେବେଳେ ନିଜ ଧୁନ୍ରେ ଅନ୍ୟଙ୍କୁ ଗାଇବାକୁ କହୁଥିଲେ ତ ଆଉ କେତେବେଳେ ଗୀତରେ ଦର୍ଶକଙ୍କୁ ନାଚିବାକୁ ବାଧ୍ୟ କରିଦେଇଥିଲେ । ବାଲିଯାତ୍ରା ତୃତୀୟ ସନ୍ଧ୍ୟାର ବଲିଉଡ୍ ନାଇଟ୍ରେ ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ବଲିଉଡ୍ ଗାୟିକା ତଥା ସୁଫି ଦୁନିଆର ସୁଲତାନା ଭାବେ ପରିଚିତ ହର୍ଷଦୀପ କୋର।
ଅକ୍ଷୟ ମହାନ୍ତି ସାଂସ୍କୃତିକ ମଞ୍ଚରେ ଦେଖିବାକୁ ମିଳିଥିଲା ହିନ୍ଦୀ ଓ ପଞ୍ଜାବୀ ଗୀତର ତଡ୍କା । ହର୍ଷଦୀପ ଆରମ୍ଭରେ ‘ଜୁଗୁନୀ’ ଗୀତ ଆରମ୍ଭ କରିଥିଲେ । ତା’ପରେ ପାଖାପାଖି ୧୦ରୁ ଅଧିକ ଗୀତ ଗାଇଥିଲେ । ପ୍ରାରମ୍ଭରେ ସପ୍ତକ ମ୍ୟୁଜିକ୍ କଳା କେନ୍ଦ୍ର ପକ୍ଷରୁ ଓଡି଼ଆ ଭଜନ, ବାସୁଦେବ କଳା ପରିଷଦ ଦ୍ୱାରା ସମ୍ବଲପୁରୀ, ୟୁରୋବିଟ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ତ୍ରାହି ଦୁର୍ଗା ନୃତ୍ୟ ମଞ୍ଚସ୍ଥ ହୋଇଥିଲା ।
ସେହିଭଳି ବୈଷ୍ଣବ ପାଣି ମଞ୍ଚରେ ସମ୍ବଲପୁରୀ ଗୀତରେ ଦର୍ଶକଙ୍କୁ ନଚାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ରୁକୁ ସୋନା । ସେ ‘ରିବନ୍ ଫିତା’, ‘କୁଲ୍ଫି ରାନୀ’ ଓ ‘ଏକଡ଼ା ଏକଡ଼ା’ ଭଳି ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ । ଏହି ମଞ୍ଚରେ ସ୍ୱାମୀ ଚିତାନନ୍ଦ ମେମୋରିଆଲ୍ ଟ୍ରଷ୍ଟ ଦ୍ୱାରା ଲୋକନୃତ୍ୟ, ଭକ୍ତି ଅର୍ଘ୍ୟ କଳାକାରଙ୍କ ଦ୍ୱାରା ଭଜନ ସଂଧ୍ୟା ରକଷ୍ଟାର ପକ୍ଷରୁ ମ୍ୟୁଜିକ୍ ନାଇଟ୍, ଗୁରୁକୁଳ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆଦିବାସୀ ଲୋକନୃତ୍ୟ, ପଞ୍ଚପୁଷ୍ପା କଳା ସଂସଦ ପକ୍ଷରୁ ଓଡ଼ିଶୀ ନୃତ୍ୟ, ବିରଜା କଲଚରାଲ୍ ଏକାଡେମୀ ପକ୍ଷରୁ ଓଡି଼ଶୀ ନୃତ୍ୟ ପରିବେଷଣ ହୋଇଥିଲା । ଶୀତୁଆ ରାତିରେ ଦର୍ଶକ ମନଭରି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।