ଚଣ୍ଡିଗଡ଼, ୫/୧୦: ହରିଆଣା ବିଧାନସଭା ନିର୍ବାଚନ । ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିପାଇଁ ୨୦, ୬୩୨ ବୁଟ୍ ହୋଇଛି । ୯୦ ବିଧାନସଭା ଆସନରେ ପ୍ରାୟ ୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମଦଦାନ ବେଳେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ,ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ରହିଛନ୍ତି, ୩୦ହଜାର ପୋଲିସ ଫୋର୍ସ। ସେହିପରି ୨୨୫ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । 

ମତଦାନ ପରେ ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ  ଆସିବ । ହରିଆଣାରେ ମୁଖ୍ୟତଃ ବିଜେପି ଏବଂ  କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ଏବେ  କ୍ଷମତାରେ ଥିବା ବିଜେପି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିବା ଆଶାରେ ରହିଛି ।  କଂଗ୍ରେସ ସରକାର ବିରୋଧୀ ଭାବନାକୁ ପୁଞ୍ଜି  କରିବାକୁ ଚେଷ୍ଟା କରିଛି । ରାଜ୍ୟରେ ଆମ୍‌  ଆଦମୀ ପାର୍ଟି (ଆପ୍‌), ଜନନାୟକ ଜନତା  ପାର୍ଟି(ଜେଜେପି), ଇଣ୍ଡିଆନ୍‌ ନ୍ୟାସନାଲ ଲୋକ  ଦଳ (ଆଇଏନ୍‌ଏଲ୍‌ଡି)ର ପ୍ରାର୍ଥୀ ମଧ୍ୟ ନିର୍ବାଚନ  ଲଢ଼ୁଛନ୍ତି । 

ଏଥର ମୋଟ ୧,୦୩୧ ପ୍ରାର୍ଥୀ  ମଇଦାନରେ ଅଛନ୍ତି । ଲଡ୍‌ୱା, ଜୁଲାନା, ଗର୍‌ହି  ସାମ୍ପଲା-କିଲୋଇ, ଉଚାନା, ଗୁରଗାଓଁ, ଏଲିନାବାଦ, ରେୱାରି ଆଦି ଆସନରେ ପ୍ରମୁଖ ବ୍ୟକ୍ତିବିଶେଷ  ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସୈନି  ଲଡ୍‌ୱା ଆସନରୁ ଲଢ଼ୁଛନ୍ତି । ଅକ୍ଟୋବର ୮ରେ  ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।