ନୂଆଦିଲ୍ଲୀ,୧୯।୧୧: ଉତ୍ତର ପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରକୁ ବମ୍‌ରେ ଉଡାଇବା  ଧମକ ପରେ ଏବେ ମଥୁରା ସହ ବହୁ ବଡ ମନ୍ଦିରକୁ ଆସିଛି ଧମକ। ମନ୍ଦିର ସହ ଆହ୍ଲାବାଦ ହାଇକୋର୍ଟ, ସୁପ୍ରିମକୋର୍ଟ ଓ ଦିଲ୍ଲୀ-ପ୍ରୟାଗରାଜ ଷ୍ଟେସନ୍‌କୁ ମଧ୍ୟ ବମ୍‌ରେ ଉଡାଇବାର ଧମକ ହ୍ବାଟସଆପ୍‌ରେ ଆସିଛି। ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଆଶୁତୋଷ ପାଣ୍ଡେଙ୍କ ହ୍ବାଟସଆପ୍‌ରେ ଏହି ଧମକ ଭଏସ୍ ମେସେଜ୍ ମାଧ୍ୟମରେ ଆସିଛି। ମେସେଜ ଦେଖିବା ମାତ୍ରେ ହିଁ ଆଶୁତୋଷ ପାଣ୍ଡେ ପ୍ରୟାଗରାଜ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। 

ପୋଲିସ ସବୁ ସ୍ଥାନରେ ଆର୍ଲଟ ଜାରି କରି ଚେକିଂ ଅଭିଯାନ ଚଳାଇଛି। ଜିଆରପି ଧମକ ଦେଇଥିବା ମୋବାଇଲ ନମ୍ବର ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହା ପୂର୍ବରୁ ମଧ୍ୟ ଆଶୁତୋଷଙ୍କ ମୋବାଇଲକୁ ଏଭଳି ଧମକ ବହୁବାର ମିଳିସାରିଛି। ପ୍ରୟାଗରାଜର ବହୁ ଥାନାରେ ପୂର୍ବରୁ ହିଁ ଆଶୁତୋଷ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସ କୌଣସି ଗିରଫଦାରୀ ହୋଇଥିବା ନେଇ ଖୁଲାସା କରିନାହିଁ। 

ପୋଲିସକୁ ଦିଆଯାଇଥିଲା ଅଭିଯୋଗରେ ଆଶୁତୋଷନିଜକୁ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ବୃଦ୍ଧାବନ ମଥୁରାର ଅଧ୍ୟକ୍ଷ ବୋଲି କହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୋବାଇଲକୁ ଭଏସ୍ ମେସେଜ୍ ଆସିଥିବା ନେଇ ସେ ସୂଚନା ଦେଇଛନ୍ତି। ଏଥିରେ ଆହ୍ଲାବାଦ ହାଇକୋର୍ଟ, ସୁପ୍ରିମକୋର୍ଟ, ମଥୁରା ସହ ବହୁ ମନ୍ଦିର, ପ୍ରୟାଗରାଜ ଓ ଦିଲ୍ଲୀ ରେଲଓ୍ବେ ଷ୍ଟେସନ୍‌କୁ ବମ୍‌ରେ ଉଡାଇବାର ଧମକ ଦେଇଛନ୍ତି। ଭଏସ୍‌ ମେସେଜ୍‌ର ପ୍ରାୟ ୧ ଘଣ୍ଟା ପରେ ହ୍ବାଟସଆପ୍‌ରେ କଲ ମଧ୍ୟ ଆସିଥିଲା। ସେହି ସମୟରେ ଆଶୁତେଷ ବ୍ରହ୍ମପୁତ୍ର ମେଲ୍‌ରେ ଯାତ୍ରା କରୁଥିଲେ। ଏଭଳି ସ୍ଥିତିରେ ସେ ପୁରା କଲ୍ ରେକର୍ଡ କରିବା ସହ ରେଲଓ୍ବେ ହେଲପଲାଇନ୍‌ ନମ୍ବର ୧୩୯କୁ ତୁରନ୍ତ ସୂଚନା ଦେଇଥିଲେ। ଧମକ ପରେ ପୋଲିସ ତାଙ୍କ ବଗିକୁ ଆସି ଚେକିଂ ଅଭିଯାନ ଆରମ୍ଭ କରିଛି। ଆଶୁତୋଷଙ୍କ କହିବା ଅନୁସାରେ +923161832314 ନମ୍ବରରୁ କଲ୍ ଓ ହ୍ବାଟସଆପ୍ ଧମକ ଆସିଥିଲା।