ନୂଆଦିଲ୍ଲୀ,୮।୧୦: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ବିଦେଶ ଯିବାକୁ ଚାହାନ୍ତି। ତେବେ ତା ପୂର୍ବରୁ ତାଙ୍କୁ ୬୦ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। କୋର୍ଟ ଯାତ୍ରା ଅନୁମତି ପାଇଁ ସେମାନଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ଏହା ବ୍ୟତୀତ, ସେମାନଙ୍କ ବିରୁଦ୍ଧରେ ଜାରି ହୋଇଥିବା ଲୁକଆଉଟ୍ ସର୍କୁଲାର (LOC) ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। ହାଇକୋର୍ଟର ଏହି ନିର୍ଦ୍ଦେଶ ଶିଳ୍ପା ଏବଂ ରାଜଙ୍କ ବିରୁଦ୍ଧରେ ୬୦ କୋଟି ଠକେଇ ମାମଲା ସହିତ ଜଡିତ। ଏହି ମାମଲାରେ ଏକ ଏଫଆଇଆର ପରେ ସେମାନଙ୍କ ବିରୁଦ୍ଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ଏହି ଲୁକ୍ ଆଉଟ୍ ସର୍କୁଲାର ବାତିଲ ଏବଂ ବିଦେଶ ଯାତ୍ରା ଅନୁମତି ପାଇଁ ଦମ୍ପତି ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ହାଇକୋର୍ଟ ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
କଥିତ ଠକେଇ ମାମଲା ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଦ୍ୱାରା ତଦନ୍ତ କରାଯାଉଛି। ମୁମ୍ବାଇର ଜଣେ ୬୦ ବର୍ଷୀୟ ବ୍ୟବସାୟୀ ଏବଂ ଲୋଟସ୍ କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ର ନିର୍ଦ୍ଦେଶକ ଦୀପକ କୋଠାରୀ ରାଜ ଏବଂ ଶିଳ୍ପାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲେ, ଯାହା ପରେ ଇଓଡବ୍ ତଦନ୍ତ ଆରମ୍ଭ କରିଥିଲା। ଇଓଡବ୍ଲୁ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ପ୍ରାୟ ସାଢ଼େ ଚାରି ଘଣ୍ଟା ଧରି ପଚରାଉଚରା କରିଥିଲା। ଦୀପକ କୋଠାରୀ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ, ୨୦୧୫ ରୁ ୨୦୨୩ ମଧ୍ୟରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ନିଜ ବ୍ୟବସାୟକୁ ବିସ୍ତାର କରିବାକୁ ତାଙ୍କଠାରୁ ଟଙ୍କା ନେଇ । କିନ୍ତୁ ଏହାକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରିଥିଲେ। ସେ କହିଛନ୍ତି ଯେ ୨୦୧୫ରେ ଶିଳ୍ପା ଏବଂ ରାଜ ୭୫ କୋଟି ଟଙ୍କାର ଋଣ ପାଇଁ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ତାଙ୍କ ପାଖକୁ ଯାଇଥିଲେ। ଏହି ଋଣ ତାଙ୍କ କମ୍ପାନୀ, ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ପାଇଁ ଥିଲା, ଯାହା ଲାଇଫ ଷ୍ଟାଇଲ୍ ପ୍ରଡକ୍ଟ ବିକ୍ରି କରୁଥିଲା। ଏହା ସହ ଏକ ଅନଲାଇନ୍ ସପିଂ ପ୍ଲାଟଫର୍ମ ମଧ୍ୟ ପରିଚାଳନା କରୁଥିଲେ।
କୋଠାରୀ ଦାବି କରିଛନ୍ତି, ଏହି ଋଣ ପାଇଁ ୧୨ ପ୍ରତିଶତ ସୁଧ ହାରରେ ସହମତି ହୋଇଥିଲା। ପରେ, ଶିଳ୍ପା ଏବଂ ରାଜ ତାଙ୍କୁ ଏହାକୁ ଋଣ ନୁହେଁ ବରଂ ଏକ ‘ନିବେଶ’ ଭାବରେ ବ୍ୟବହାର କରିବାକୁ କହିଥିଲେ ଏବଂ ମାସିକ ରିଟର୍ଣ୍ଣ ଏବଂ ମୂଳ ପରିଶୋଧର ପ୍ରତିଶ୍ରୁତି ଦେଇଥିଲେ।ତେବେ ପରେ ଦୀପକଙ୍କୁ ଜଣାପଡିଥିଲା ଅନ୍ୟଜଣେ ଇନଭେଷ୍ଟର ସହ ଠକେଇ ପାଇଁ କମ୍ପାନୀ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଥିଲା। ପରେ ୨୦୧୬ରେ, ଶିଳ୍ପା ସେଟ୍ଟୀ ବେଷ୍ଟ ଡିଲ୍ ଟିଭିର ନିର୍ଦ୍ଦେଶକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହି ସମୟରେ, ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ସେମାନେ ତଦନ୍ତକାରୀ ଏଜେନ୍ସିଗୁଡିକ ନିକଟରେ ସେମାନଙ୍କର ‘ନିଜର ସତ୍ୟତା’ ଉପସ୍ଥାପନ କରିବେ।