ନୂଆଦିଲ୍ଲୀ,୧୩/୬ : ଦିଲ୍ଲୀର କଶ୍ମୀର ଗେଟ୍ ISBT ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ଜଣେ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ସେ ଡ୍ୟୁଟିରେ ଥିବା ସମୟରେ ଏକ ଦ୍ରୁତଗାମୀ ସ୍କୁଟି ତାଙ୍କୁ ଆସି ଧକ୍କା ଦେଇଥିଲା। ପରେ ପଛରୁ ଆସୁଥିବା ଏକ ଗାଡ଼ି ତାଙ୍କୁ ଚାପି ଦେଇଥିଲା।
ସୂଚନା ଅନୁସାରେ, ହେଡ୍ କନଷ୍ଟେବଳ ଅନିଲ କୁମାର ରିଙ୍ଗ ରୋଡର ISBT କଶ୍ମୀର ଗେଟ୍ ନିକଟରେ ଡ୍ୟୁଟିରେ ଥିଲେ। ସେ ଶାନ୍ତି ବନରୁ ଚାନ୍ଦଗୀ ରାମ ଆଖଡ଼ା ଆଡକୁ ଯାଉଥିବା ଗାଡ଼ି ରାସ୍ତାରେ ଠିଆ ହୋଇଥିଲେ। ସେହି ସମୟରେ, ହନୁମାନ ମନ୍ଦିର ନିକଟରୁ ତିନି ଜଣଙ୍କୁ ନେଇ ଆସୁଥିବା ଏକ ସ୍କୁଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା।
ଧକ୍କା ଦେବା ପରେ ହେଡ୍ କନଷ୍ଟେବଳ ଅନିଲ ତଳେ ପଡ଼ିଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ମିନି ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ସିଭିଲ୍ ଲାଇନ୍ସର ସୁଶ୍ରୁତ ଟ୍ରମା ସେଣ୍ଟରକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ସ୍କୁଟି ଆରୋହୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଯାହାକି ମିନି ଟ୍ରକ୍ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ପୋଲିସ ଏବେ ଫେରାର ଥିବା ସ୍କୁଟିର ଆରୋହୀଙ୍କୁ ଖୋଜୁଛି ଏବଂ ନିକଟସ୍ଥ ସିସି କ୍ୟାମେରା ଯାଞ୍ଚ କରୁଛି।