ପୁରୀ,୧୨/୦୬: ଗୋଟିଏ କି ଦୁଇଟି ନୁହେଁ ପଛକୁ ପଛ ହୋଇ ୩୦ଟି ସୌଖିନ୍ ଗଲ୍ଫ ବ୍ୟାଟେରି ଅପରେଟେଡ୍ ଭେଇକିଲ୍ (ବିଓଭି) ଖତ ଖାଉଛି । ଶ୍ରୀମନ୍ଦିର ପ୍ରଶାସନକୁ ଦାନରେ ମିଳିଥିବା ଓ ଅବଢ଼ା ଯୋଜନାରେ କିଣାଯାଇଥିବା ପ୍ରାୟ ୭୦ଟି ବିଓଭି ମଧ୍ୟରୁ ୩୫ଟି ଖତ ଖାଉଛି । କାହାର ଚକା ନାହିଁ ତ କାହାର ସିଟ୍ ନାହିଁ । ପୁରୀରେ ଥିବା ବିଭିନ୍ନ ପାର୍କିଂ ସ୍ଥଳରୁ ଶ୍ରଦ୍ଧାଳୁଙ୍କୁ (ବିଶେଷ ଭାବେ ବୟସ୍କ, ମହିଳା, ଶିଶୁ) ମାଗଣା ସେବା ଦେବା ନିମନ୍ତେ ଏହି ବିଓଭି କିଣାଯାଇଥିଲା । ପ୍ରତ୍ୟେକ ଗଲ୍ଫ ବିଓଭିର ମୂଲ୍ୟ ୫ରୁ ୧୦ ଲକ୍ଷ ଟଙ୍କା ହେବ ।
ଅବଢ଼ା ଯୋଜନାରେ ଓବିସିସି ଏହାକୁ କିଣିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥିଲା । ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏଗୁଡ଼ିକର ଆବଶ୍ୟକ ଯତ୍ନ ଓ ରକ୍ଷଣାବେକ୍ଷଣ ନକରି ପକାଇ ରଖି ନଷ୍ଟ କରୁଛି । ପୁରୀ କୁମ୍ଭାରପଡ଼ା ଥାନା ନିକଟ ତଥା ପୁରୁଣା ଜେଲ୍ ରୋଡ୍ରେ ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ପାକି ର୍ଂ ଅଞ୍ଚଳ ଗୁଡ଼ିକରେ ଏହି ବିଓଭି ଖତ ଖାଉଛି । ଶ୍ରଦ୍ଧାଳୁଙ୍କୁ ଆବଶ୍ୟକ ବେଳେ ଏହି ସେବା ମିଳୁନଥିବା ବେଳେ ଅଯଥାରେ ଏହାକୁ ପକାଇ ନଷ୍ଟ କରାଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ତୁରନ୍ତ ବିଓଭି କିଣା ଘୋଟାଲାର ତଦନ୍ତ କରିବା ସହ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଓଭିଗୁଡ଼ିକ ନିମନ୍ତେ ପ୍ରତିବର୍ଷ ଇନ୍ସୁରାସ କରାଯାଉଛି । ପ୍ରତ୍ୟେକ ବିଓଭି ନିମନ୍ତେ ଡ୍ରାଇଭର ମଧ୍ୟ ନିୟୋଜିତ କରାଯାଇଛି । ହେଲେ କାହା ସ୍ୱାର୍ଥରେ ବିଓଭି ନଷ୍ଟ କରାଯାଉଛି ଓ ଡ୍ରାଇଭରମାନେ ଏବେ କାହିଁକି ବସିବସି ଦରମା ନେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ :- Rath Khala Update : ତିନି ରଥର ଭୂଇଁ କାର୍ଯ୍ୟ ଶେଷ, ଆଗକୁ ବଡ଼ ପୋଟଳ ଉଠିବ
ଏନେଇ ଆମ୍ ଆଦ୍ମୀ ପୁରୀ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, ପ୍ରତ୍ୟେକ ପାର୍କିଂ ସ୍ଥଳ ଓ ଶ୍ରୀମନ୍ଦିର ପ୍ରଶାସନ ପରିଚାଳିତ ଭକ୍ତ ନିବାସରୁ ଏହି ବିଓଭି ଅପରେଟ୍ କରୁଛି । ମାତ୍ର କୋଟି କୋଟି ଟଙ୍କା ଖର୍ଚ୍ଚରେ ଭକ୍ତଙ୍କ ସେବା ନିମନ୍ତେ ମିଳିଥିବା ଏହି ଅଟୋଗୁଡ଼ିକ ଭକ୍ତଙ୍କ କାମରେ ଆସୁନି । ଅନେକ ଏହାକୁ ବ୍ୟକ୍ତିଗତ କାମରେ ବିନିଯୋଗ କରୁଛନ୍ତି । ନଷ୍ଟ ହୋଇଗଲା ପରେ ଏପରି ଫୋପାଡ଼ି ଦିଆଯାଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟରେ ଏହି ଗାଡ଼ିଗୁଡ଼ିକ କିଣାଯାଇଥିଲା । ଯାହାକୁ ମାତ୍ର ୨ ବର୍ଷ ପୂରିଛି । ଏତେ କମ୍ ସମୟ ଭିତରେ ଅଧିକାଂଶ ଗାଡ଼ି ନଷ୍ଟ ହୋଇଯିବା ପ୍ରଶାସନିକ ଯତ୍ନ ଓ ପରିଚାଳନା ଉପରେ ଅଙ୍ଗୁଳି ଉଠାଇଛି ।
ଏନେଇ ପୁରୀ ଶ୍ରୀଜଗନ୍ନାଥ ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କହିଛନ୍ତି, କିଛି ବିଓଭି ଅଚଳ ରହିଛି । ଓବିସିସିକୁ ଏହାର ଯତ୍ନ ଓ ମରାମତି ନିମନ୍ତେ ଚିଠି ଲେଖାଯାଇଛି । ଓବିସିସି ଏମ୍ଡି ଗିରିଜା ନାୟକ କହିଛନ୍ତି, ଏନେଇ କୌଣସି ଚିଠି ପହଞ୍ଚିନି । ବିଓଭି ଗୁଡ଼ିକୁ କିଣିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି । ଏହାର ପରିଚାଳନା ଦାୟିତ୍ୱ ୫ ବର୍ଷ ନିମନ୍ତେ ଏକ ଏଜେନ୍ସି ନେଇଥିଲା । ଉକ୍ତ ଏଜେନ୍ସି ଠିକ୍ କାମ କରୁନଥିବା ଶ୍ରୀମନ୍ଦିର ପ୍ରଶାସନ ଅନୁଭବ କରିଥିବାରୁ ହୁଏତ ଓବିସିସିର ହସ୍ତକ୍ଷେପ ଲୋଡ଼ି ଥାଇପାରନ୍ତି । ଏନେଇ ଅନୁଧ୍ୟାନ ପରେ କିଛି କହିହେବ ବୋଲି ଶ୍ରୀ ନାୟକ କହିଛନ୍ତି ।