ପୁରୀ,୧୩/୦୬: ରଥଯାତ୍ରା ପାଇଁ ବେଶ୍ ଚଳଚଞ୍ଚଳ ହୋଇପଡିଛି ରଥଖଳା। ତିନି ରଥର ନିର୍ମାଣ କାର୍ଯ୍ୟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ଚିତ୍ରକର ସେବକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚିତ୍ରକରମାନେ ରଥରେ ସ୍ଥାପନ ହେବାକୁ ଥିବା ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି । ଶିଖରଡ଼ମ୍ବରୁ(ପାଶ୍ୱର୍ ଦେବତାଙ୍କ ଆସ୍ଥାନ) ନାମକ ରଥାଂଶରୁ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟ ଚିତ୍ରକର ସେବକ ଦେବଦତ୍ତ ମହାରଣା । ଏପଟେ ରଥ ଖଳାରେ ବିଶ୍ୱକର୍ମାମାନେ ରଥ ‘କତରା’ ତିଆରୁଛନ୍ତି ।
ରଙ୍ଗ ହେବା ପାଇଁ ଶିଖରଡ଼ମ୍ବରୁ, ଓଲଟ ଶୁଆ, ସଖୀ, ଦ୍ୱାରପାଳ ଆଦି ରଥାଂଶକୁ ପ୍ରସ୍ତୁତ ରଖାଯାଇଛି । ଚିତ୍ରକରମାନେ ଶିଖରଡ଼ମ୍ବରୁରେ ରଙ୍ଗ ଦେଉଛନ୍ତି । ପାଶ୍ୱର୍ ଦେବତାଙ୍କ ପ୍ରତିମୂର୍ତ୍ତି ଓ ଋଷିପଟାରେ ରଙ୍ଗ ଦିଆଯିବ । ଖଳାରେ ବିଶ୍ୱକର୍ମାମାନେ ରଥରେ ଲାଗିବାକୁ ଥିବା ‘କତରା’ ତିଆରୁଛନ୍ତି । ପ୍ରତି ରଥ ପାଇଁ ୪ ଲେଖାଏଁ ମୋଟ ତିନି ରଥ ପାଇଁ ୧୨ଟି କତରା ତିଆରି ଚାଲିଛି । ରଥ ଆଗରେ ଓ ପଛରେ ୨ଟି ଲେଖାଏଁ ୪ଟି କତରା ଲାଗିବ ।
ଅଧିକ ପଢ଼ନ୍ତୁ :- Rath Khala Update : ତିନି ରଥର ଭୂଇଁ କାର୍ଯ୍ୟ ଶେଷ, ଆଗକୁ ବଡ଼ ପୋଟଳ ଉଠିବ
ରୂପକାର ସେବକମାନେ ରଥର ବିଭିନ୍ନ ଅଂଶ ଖୋଦେଇରେ ବ୍ୟସ୍ତ ଅଛନ୍ତି । ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ ଲୁହା ସାମଗ୍ରୀ ତିଆରିରେ ବ୍ୟସ୍ତ । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ସେମାନଙ୍କୁ ସହଯୋଗ କରୁଛନ୍ତି ।
ଅଧିକ ପଢ଼ନ୍ତୁ :- ଖଜା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ସୋହନକୁ ଗିରଫ କଲା ପୁଲିସ