ଦଶପଲ୍ଲା, ୮/୧୧: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ପଙ୍କୁଆ ପ୍ରାଥମିକ ବିଦ୍ୟାଳୟରେ ମାତାଲ୍ ପ୍ରଧାନ ଶିକ୍ଷକଙ୍କୁ ତାଲା ପକାଇଲେ ଶତାଧିକ ଅଭିଭାବକ । ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କଲା ପୁଲିସ । ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ନଯିବା ପର୍ଯ୍ୟନ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବୁ ନାହିଁ ବୋଲି କହିଲେ ଅଭିଭାବକ ।
ସୂଚନା ମୁତାବକ, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ଆସିବା ସହିତ ବିନା କାରଣରେ ଛାତ୍ରଛାତ୍ରୀମାନଙ୍କୁ ମାଡ଼ ମାରିଥିଲେ । ଏହା ସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଯାହାକୁ ନେଇ ଅଭିଭାବକ ମାନେ ବିଦ୍ୟାଳୟକୁ ଆସି ଏସମ୍ପର୍କରେ ପଚାରିବାରୁ ମାତାଲ୍ ଶିକ୍ଷକ ଅଭିଭାବକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷକଙ୍କୁ ଗୋଟିଏ ଘରେ ତାଲା ପକାଇ ଦେଇଥିଲେ ଅଭିଭାବକ । ଖବର ପାଇ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି । ତେବେ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ନଯିବା ପର୍ଯ୍ୟନ୍ତ ପିଲାମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ସମସ୍ତ ଅଭିଭାବକ ।