ଚନ୍ଦାହାଣ୍ଡି, ୧୦।୩ - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲରେ ଶିକ୍ଷକ ମରୁଡି। ଅଧିକାଂଶ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉନ୍ନତୀ ଉଚ୍ଚ ବିଦ୍ୟାଳୟମାନଙ୍କରେ ପ୍ରଧାନ ଶିକ୍ଷକ ନାହାନ୍ତି। ଯାହା ଫଳରେ ବିଦ୍ୟାଳୟର ଶିକ୍ଷାର ଉତ୍ତମ ମାର୍ଗ ଦର୍ଶନରୁ ଛାତ୍ର ଛାତ୍ରୀ ବଞ୍ଚିତ ହେଉଛନ୍ତି।

 ଚନ୍ଦାହାଣ୍ଡି  ବ୍ଲକ ଶିକ୍ଷା ବିଭାଗ ଅଧିନରେ ସରକାରୀ ସ୍ତରରେ ରହିଛି ୧୦୫ ଅନୁଷ୍ଠାନ l ସେଥିରେ ରହିଛି ୫୮ ଟି ପ୍ରାଥମିକ, ୩୮ ଟି ଉଚ୍ଚ ପ୍ରାଥମିକ ଏବଂ ୯ ଟି ଉନ୍ନତୀ ଉଚ୍ଚ ବିଦ୍ୟାଳୟ l   ପ୍ରାଥମିକ ବିଦ୍ୟାଳୟରେ    ୩୫ ଜଣ  ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ହେଲେ  ପ୍ରଧାନ ଶିକ୍ଷକ ନାହାନ୍ତି।  ଉନ୍ନତୀ ଉଚ୍ଚ ବିଦ୍ୟାଳୟରେ ମାତ୍ର ୨ ଜଣ ପ୍ରଧାନ ଶିକ୍ଷକ ରହି ଥିବା ନେଇ ଚନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭେନ୍ଧୁ କୁମାର ମଣ୍ଡଳ ପ୍ରକାଶ କରିଛନ୍ତି l  ପ୍ରଧାନ ଶିକ୍ଷକ ଏଠାରେ    ନ ଥିବା ଫଳରେ ବିଦ୍ୟାଳୟର ସହକାରୀ ଶିକ୍ଷକ   ଏବଂ ପ୍ରାଥମିକ ବିଦ୍ୟାଳୟର  ପ୍ରଧାନ ଶିକ୍ଷକମାନଙ୍କୁ  ଉଭୟେ  ଉଚ୍ଚ ପ୍ରାଥମିକ ଏବଂ ଉନ୍ନତୀ ଉଚ୍ଚ ବିଦ୍ୟାଳୟର ଦାୟିତ୍ୱ ଦିଆ ଯାଇଥିବା ନେଇ ସୂଚନା ଦେଇଛନ୍ତି l  ବ୍ଲକ ଶିକ୍ଷା ବିଭାଗରେ   ପ୍ରଧାନ ଶିକ୍ଷକ ମରୁଡି ବ୍ୟତୀତ,  ଉନ୍ନତୀ ଉଚ୍ଚ ବିଦ୍ୟାଳୟମାନଙ୍କରେ କିରାଣୀ ପଦବୀ ଖାଲି  ଥିବା ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ବିଲ, ଏବଂ ବିଦ୍ୟାଳୟର ଅନ୍ୟ ସରକାରୀ କାମରେ ଘୋର  ବ୍ୟାଘାତ ଦେଖା ଦେଉଥିବା ନେଇ  ବିଦ୍ୟାଳୟ କର୍ତ୍ତୃପକ୍ଷ ସୂତ୍ରରୁ ଜଣାପଡିଛି l ବିଇଓଙ୍କ କାର୍ଯ୍ୟଳୟରେ ଦୀର୍ଘ ଦିନ ହେବ ବରିଷ୍ଠ ସହାୟକ ପଦବୀ ସମେତ ଗୋଟିଏ ରାତ୍ର ଜଗୁଆଳି ପଦବୀ ଖାଲି ପଡିଛି ।

ଏ ସମ୍ପର୍କରେ  ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟା ଗଣ୍ଡଙ୍କ କାର୍ଯ୍ୟଳୟକୁ ଯୋଗାଯୋଗ କରାଯାଇଥିଲା  l  ଏ ବାବଦରେ  ବ୍ଲକ ବିଇଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହାର ତାଲିକା ମଗା ଯାଇ ପୂରଣ କରିବା ଦିଗରେ ପଦକ୍ଷେପ ନିଆ ଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ  ସୂଚନା ଦିଆଯାଇଛି l