ବ୍ରହ୍ମପୁର,୧୨/୦୮: ''ଏଡସ୍ ଓ ଯୌନ ସଂକ୍ରମଣର ନିରାକରଣ'' ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନର ଉଦଘାଟନ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ। ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁରର ଏମକେସିଜି ପ୍ରେକ୍ଷାଳୟରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆଜିଠାରୁ ଦେଶବ୍ୟାପୀ ଦୁଇ ମାସ ଧରି ଏହି ଅଭିଯାନ ଚାଲିବ ।
ଅଭିଯାନର ଶୁଭାରମ୍ଭ କରି ମନ୍ତ୍ରୀ କହିଛନ୍ତି ଯେ, ଯୁବପିଢି ଆମ ରାଜ୍ୟର ମେରୁଦଣ୍ଡ। ତେଣୁ ଏକ ସଶକ୍ତ ତଥା ସୁସ୍ଥ ଓଡ଼ିଶା ଗଠନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ, ସଚେତନତା ଏବଂ ସଶକ୍ତିକରଣରେ ବିନିଯୋଗ କରିବା ଗୁରୁତ୍ବପୂର୍ଣ୍ଣ। ଆଜି ଆନ୍ତର୍ଜାତୀୟ ଯୁବ ଦିବସରେ ଓଡ଼ିଶାରେ ଏକ ସ୍ଵତନ୍ତ୍ର ସଚେତନତା ଅଭିଯାନର ଦ୍ବିତୀୟ ବର୍ଷ ଆରମ୍ଭ ହୋଇଛି । ଯାହା ଏଚ.ଆଇ.ଭି ନିରାକରଣ ଏବଂ ସୁସ୍ଥ ଆଚରଣ ନେଇ ଯୁବ ନେତୃତ୍ବଙ୍କ ସଚେତନତା ଉପରେ ପରିବେଶିତ । ଏହାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ, ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଚେତନତା ଶିବିର ଏବଂ ଲୋକନୃତ୍ୟ ଆଦି କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏ କ୍ଷେତ୍ରରେ ସର୍ବାଧିକ ପ୍ରବଣ ଭାବେ ପରିଗଣିତ ହେଉଥିବା ଯୁବବର୍ଗଙ୍କୁ ସଚେତନ କରାଇବା ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ମନ୍ତ୍ରୀ ଆହୁରି ବି କହିଛନ୍ତି ,ଏହି ଅଭିଯାନର ଲକ୍ଷ୍ୟ ତୃଣମୂଳ ସ୍ତରରେ ସଚେତନତାକୁ ଆହୁରି ତୀବ୍ର କରିବା ଏବଂ ସଠିକ ସୂଚନା, ପରୀକ୍ଷା ଏବଂ ସମର୍ଥନ ପାଇଁ ପ୍ରୋତ୍ସାହିତ କରିବା । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ସାରା ରାଜ୍ୟରେ ଖୁବ ଆଦୃତ ହୋଇପାରିଥିଲା । ପଞ୍ଚାୟତ ସ୍ତରରେ ସମ୍ପୃକ୍ତି ସୁନିଶ୍ଚିତ କରିବା ପାଇଁ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନର ସଫଳ ରୂପାୟନ ପାଇଁ ଚଳିତ ବର୍ଷ ମଧ୍ୟ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ ।
ତେବେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ କେ. ଅନିଲ କୁମାର, ନୀଳମଣି ବିଷୋୟୀ, ପ୍ରତାପ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଓସାକସର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଓସାକ୍ସ୍ ଦ୍ବାରା କରାଯାଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ କଲେଜରେ ଥିବା ରେଡ ରିବନ କ୍ଲବର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚେତନତାଧର୍ମୀ ଏକ ଛୋଟ ଭିଡିଓ ଏବଂ ପୂର୍ବ ବର୍ଷର ସ୍ବତନ୍ତ୍ର ସଚେତନତା ଅଭିଯାନର ସଫଳତାକୁ ସମ୍ବଳିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା ।