ବ୍ରୋକୋଲି କେବଳ ସୌନ୍ଦର୍ଯ୍ୟ ବଢାଏନାହିଁ, ବରଂ ଖରାଦିନେ ଶରୀରକୁ ଥଣ୍ଡା ରଖିଥାଏ । ସେହିପରି ପୋଷଣ ଦେବା ସହ ବିଭିନ୍ନ ରୋଗଠାରୁ ଦୂରେଇ ରଖିଥାଏ । ଏହା ପୋଷକ ତତ୍ତ୍ୱର ଭଣ୍ଡାର । ଗରମ ଦିନ କୌଣସି ଚ୍ୟାଲେଞ୍ଜ ଠାରୁ କମ୍‌ ନୁହେଁ । ଏହି ଋତୁରେ ଶରୀରର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । ତେଣୁ ଡାଏଟ୍‌ରେ ପୋଷକ ତତ୍ତ୍ୱରେ ଭରା ଫଳ ଓ ପନିପରିବାକୁ ସାମିଲ୍‌ କରିବା ଉଚିତ୍‌ । ସେମିତି ଏକ ପରିବା ହେଉଛି ବ୍ରୋକୋଲି। ବ୍ରୋକୋଲିରେ ଭିଟାମିନ୍‌-ସି, ଭିଟାମିନ୍‌କେ, ଫୋଲେଟ୍‌, ପୋଟାସିୟମ୍‌ ଓ ଫାଇବର ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ବହୁ ମାତ୍ରାର ଫାଇବର ରହିଥାଏ, ଯାହା ପାଚନତନ୍ତ୍ରକୁ ସୁସ୍ଥ ରଖେ । ଏଥିରେ ଥିବା ସଲଫୋରାଫନ୍‌ ଚିନ୍ତା ଓ ପ୍ରଦାହକୁ କମ୍‌ କରିଥାଏ । ଗରମରେ ବ୍ରୋକୋଲିକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଯେପରିକି...

ବିଷାକ୍ତ ପଦାର୍ଥ ବାହାର କରେ: ଗରମ ଦିନେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ସାଧାରଣ କଥା । ଯେଉଁଥିପାଇଁ ଥକ୍କାପଣ, ମାନ୍ଦାଳିଆ ଲାଗିବା ଓ ତ୍ୱଚା ସମସ୍ୟା ସୃଷ୍ଟି ହୋଇଥାଏ । ବ୍ରୋକୋଲିରେ ଥିବା ଆଣ୍ଟିଅକ୍ସିଡାଣ୍ଡ ଓ ଭିଟାମିନ୍‌-ସି ଓ ଗ୍ଲୁକୋସାଇନୋଲେଟ୍‌ସ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଦେଇଥାଏ । 

ଶରୀରକୁ ଥଣ୍ଡା ରଖେ: ବ୍ରୋକୋଲିରେ ଭରପୂର ପାଣି ରହିଥାଏ । ଏହା ଖୁବ୍‌ ସହଜରେ ହଜମ ମଧ୍ୟ ହୋଇଯାଏ । ଗରମ ଦିନେ ଏହାକୁ ସାଲାଡ୍‌, ସୁପ୍‌ କିମ୍ବା ସିଝାଇ ଖାଇପାରିବେ । ଏପରି କରିବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ । 

ଇମ୍ୟୁନିଟି ବୁଷ୍ଟର: ବିଶେଷକରି ଗରମ ଦିନେ ଫୁଡ୍‌ ପଏଜନିଂ ଓ ଭାଇରାଲ୍‌ ସଂକ୍ରମଣ ବଢିଯାଇଥାଏ । ବ୍ରୋକୋଲିରେ ଥିବା ଭିଟାମିନ୍‌-ସି, ଜିଙ୍କ୍‌ ଓ ଆଇରନ୍‌ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ । ନିୟମିତ ବ୍ରୋକୋଲି ଖାଇବା ଦ୍ୱାରା ଶରୀର ବାହାରର ବ୍ୟାକ୍ଟେରିଆ ଓ ଭାଇରସ୍‌ ସହ ଲଢିବାରେ ସକ୍ଷମ ହୋଇଥାଏ । 

କମାଏ ଓଜନ: ଯଦି ନିଜର ଓଜନ କମ୍‌ କରିବାକୁ ଚାହୁଁଥାନ୍ତି, ତେବେ ଡାଏଟ୍‌ରେ ବ୍ରୋକୋଲିକୁ ନିଶ୍ଚୟ ସାମିଲ୍‌ କରିଦିଅନ୍ତୁ । ଏହା କ୍ୟାଲୋରୀକୁ କମ୍‌ କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଭରା ରହିବା ସହ ବାରମ୍ବାର ଖାଇବାରୁ ରକ୍ଷା ପାଇଯିବେ ।