ଭୁବନେଶ୍ୱର,୨୦/୦୩: ଗ୍ରୀଷ୍ମପ୍ରବାହରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମଡେଲ କୁଲିଂ ସେଲଟର୍ (ଆଶ୍ରୟସ୍ଥଳ)ର ବ୍ୟବସ୍ଥା ହେବ । ସ୍କୁଲ ଛାତ୍ରଛାତ୍ରୀ, ଶିଶୁ ଓ ଶ୍ରମିକଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ରହିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟ(ଦିନ ୧୧ଟାରୁ ୩ଟା)ରେ କୌଣସି ନିର୍ମାଣ କାମ ହେବନି । ଏଥିରେ ଖିଲାପ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ । ଗ୍ରୀଷ୍ମପ୍ରବାହ ବେଳେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ଆମର ପ୍ରାଥମିକତା ବୋଲି ସେ କହିଥିଲେ । ଖରା ଦିନରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପିଇବା ପାଣି ଯୋଗାଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଲୋକଙ୍କ ସୁରକ୍ଷା ଓ ତ୍ୱରିତ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦେବାର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓ ବେସରକାରୀ କ୍ଷେତ୍ରରେ ଶାରୀରିକ କାମ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ସ୍କୁଲ, ଡାକ୍ତରଖାନା, ଅନ୍ୟ ସର୍ବସାଧାରଣ ଅନୁଷ୍ଠାନରେ ଜଳଛତ୍ର ଖୋଲିବା, ପାନୀୟ ଜଳ, ଫାଷ୍ଟ ଏଡ୍ ବକ୍ସ, ଓଆରଏସ୍ ପାଉଡର୍, ଶୀତଳ କକ୍ଷର ବ୍ୟବସ୍ଥା ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲରେ ଶିଶୁଙ୍କ ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଭିଡ଼ ଟ୍ରାଫିକ୍ ଛକରେ ଅସ୍ଥାୟୀ ସେଡ୍ ବ୍ୟବସ୍ଥା ହେବ । ଡାକ୍ତରଖାନାରେ ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ ରହିବ । ପଞ୍ଚାୟତରେ ନଳକୂପ ମରାମତି ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।

ଖରାଦିନରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ଶକ୍ତି ବିଭାଗକୁ କୁହାଯାଇଛି । ହେଲ୍ପଲାଇନ୍ ଯୋଗେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ଝାରସୁଗୁଡ଼ା, ବ୍ରଜରାଜନଗର, ଅନୁଗୁଳ, ତାଳଚେର ଭଳି ଗ୍ରୀଷ୍ମପ୍ରବାହ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ଖଣି ଅଞ୍ଚଳ ଓ କାରଖାନାରେ ସ୍ୱତନ୍ତ୍ର କୁଲିଂ ସେଲଟର୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: - ଆଜି ବିଶ୍ୱ ଘରଚଟିଆ ଦିବସ; ସକାଳକୁ ସୁନ୍ଦର କରେ ଘରଚଟିଆ

ସହରର ଖାଲି ସରକାରୀ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ଜାଗା ଯୋଗାଇବାକୁ ଆଲୋଚନା ହୋଇଛି । ବଡ଼ ବଡ଼ କୋଠାର ବାହାର କାନ୍ଥକୁ ସବୁଜିମାରେ ଆଚ୍ଛାଦିତ କରିବାକୁ ଯୋଜନା ହୋଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ପଞ୍ଚାୟତିରାଜ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଆର୍ଡିସି, ଜିଲ୍ଲାପାଳ ଓ ସବୁ ମହାନଗର ନିଗମର କମିଶନର ଉପସ୍ଥିତ ଥିଲେ ।