ଘୁ. ଉଦୟଗିରି, ୧୮/୧୧ :ଅସମ୍ଭାଳ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ପର୍ବତ ମାଳାଞ୍ଚଳ ଘୁ. ଉଦୟଗିରି। ୫.୬ ଡିଗ୍ରୀକୁ ଖସିଲା ପାରଦ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିବା ସହର ପାଲଟିଲା ଘୁ. ଉଦୟଗିରି। ପର୍ଯ୍ୟଟନ ସ୍ଥଳୀଗୁଡିକରେ ଲାଗିଲା ଭିଡ଼। ଆଗକୁ ଆହୁରି ଖସିବ ପାରଦ।
ସୂଚନାନୁଯାୟୀ, କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରିରେ ମଙ୍ଗଳବାର ସକାଳେ ୫.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ ହୋଇଛି। ଅସହ୍ୟ ଜାଡ଼ ଯୋଗୁଁ ସଞ୍ଜ ସକାଳେ ଲୋକମାନେ ଘରୁ ବାହାରିବା ମୁସ୍କିଲ୍ ହୋଇଯାଉଛି। ବିଶେଷକରି ମୂଲ ଲାଗି ଚଳୁଥିବା ଦିନ ମଜୁରିଆ ହଇରାଣ ହେଉଛନ୍ତି। ପିଲାଙ୍କଠୁ ବୁଢା ଯାଏ ସମସ୍ତଙ୍କ ପାଇଁ ଏ ହାଡ଼ଭଙ୍ଗା ଜାଡ଼ ଅସହ୍ୟ ହେଉଛି। ଗ୍ରାମାଞ୍ଚଳରେ ଲୋକମାନେ ନିଆଁ ହିଁ ଏକମାତ୍ର ସାହାରା ପାଲଟିଛି। ଜାଡ଼ ବଢ଼ିବା ଯୋଗୁ ଅସହାୟ, ବୃଦ୍ଧ ଓ ରାସ୍ତାରେ ରହୁଥିବା ଜନତାମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିବାକୁ ଓ ଗରିବ ଦୀନହୀନମାନଙ୍କୁ କମ୍ବଳ ବିତରଣ କରିବାକୁ ଦାବି ହୋଇଛି। ସ୍ଥାନୀୟ ସଂଗଠନ ଏବଂ ସମାଜସେବୀମାନେ ବ୍ଲକ ପ୍ରଶାସନଙ୍କୁ ପ୍ରସ୍ତାବ ଦେଇଛନ୍ତି। କାରଣ ଆଗାମୀ କିଛି ଦିନରେ ଆହୁରି ପ୍ରଚଣ୍ଡ ଶୀତ ହେବାର ସମ୍ଭାବନା ରହିଛି।
ସେପଟେ ଘୁ ଉଦୟଗିରିରେ ପାରଦ ଖସୁଥିବାରୁ ଆଖପାଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଲାଗିଲାଣି। ବୃକ୍ଷଲତା ଉପରେ ପଡ଼ିଥିବା କାକରବିନ୍ଦୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସ୍ଥାନୀୟ ଲୋକମାନେ ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ଆଣିବା ପାଇଁ ସୁବ୍ୟବସ୍ଥିତ ରାସ୍ତା, ରାତି ରହଣି ସୁବିଧା କରିବା ପାଇଁ କହିଛନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ପାହାଡ଼ିଆ ବତାସ ତୀବ୍ର ହେବା ଫଳରେ ଆଗାମୀ ଦିନଗୁଡିକରେ ତାପମାତ୍ରା ଆହୁରି ହ୍ରାସ ପାଇପାରେ। ସାଧାରଣ ଲୋକଙ୍କୁ ଗରମ ପୋଷାକ ପିନ୍ଧିବା ଓ ଶୀତ ଦିନିଆ ରୋଗରୁ ସତର୍କ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।