ଶିମଲା: ହିମାଚଳ ପ୍ରଦେଶରେ ଜୁନ ୨୦ରୁ ଜୁଲାଇ ୧୧ ମଧ୍ୟରେ ଲଗାଣ ବର୍ଷା, ବାଦଲଫଟା ବର୍ଷା, ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ୯୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ ସେନ୍ଟର (SEOC) ଅନୁସାରେ, ଏହି ସମୟ ମଧ୍ୟରେ ଭୂସ୍ଖଳନ, ବନ୍ୟା, ବିଦ୍ୟୁତ୍ ଆଘାତ ଏବଂ ଡୁବିଯିବା ଜନିତ ଘଟଣାରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୩୬ ଜଣଙ୍କର ମୃତ୍ୟୁ ରାସ୍ତା ଦୁର୍ଘଟଣାରେ ହୋଇଛି। ଯାହା ମୁଖ୍ୟତଃ କୁଲୁ, ଚମ୍ବା ଏବଂ ସୋଲାନ ଜିଲ୍ଲାରେ ଘଟିଛି। ମଣ୍ଡି ଜିଲ୍ଲା ଏହି ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ମଣ୍ଡି ଜିଲ୍ଲାରେ ବିପୁଳ ପରିମାଣରେ କ୍ଷୟକ୍ଷତି ଘଟିଛି। ବାଦଲ ଫଟା ବର୍ଷା ଯୋଗଉଁ ଅନେକ ଘର ଧ୍ୱଂସ ହେବା ସହ, ଯାନବାହାନ ପ୍ରବାହିତ ହୋଇଛି ଏବଂ ୮୫୪ରୁ ଅଧିକ ଗୋରୁଗାଈଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ୮୪୪ଟି ଘର, ୬୩୧ଟି ଗୋଶାଳା, ୧୬୪ଟି ଦୋକାନ, ୩୧ଟି ଯାନବାହାନ ଏବଂ ୧୪ଟି ପୋଲ ନଷ୍ଟ ହୋଇଛି।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟର ମୋଟ ୨୪୭ଟି ରାସ୍ତା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯେଉଁଥିରୁ ମଣ୍ଡିରେ କେବଳ ୧୮୩ଟିପ୍ରଭାବିତ ରାସ୍ତା ରହିଛି। ମୁଖ୍ୟ ଜାତୀୟ ରାଜପଥ NH-003 (ମଣ୍ଡି-ଧର୍ମପୁର) ଏବଂ NH-21 (ମଣ୍ଡି-କୁଲୁ) ମଧ୍ୟ ବର୍ତ୍ତମାନ ଅବରୋଧ ହୋଇ ପଡିଛି। ଏହାସହ ମୋଟ ୪୬୩ଟି ବିଦ୍ୟୁତ ଟ୍ରାନ୍ସଫର୍ମର ଏବଂ ୭୮୧ଟି ଜଳ ଯୋଗାଣ ଯୋଜନା ବାଧାପ୍ରାପ୍ତ ହୋଇଛି, ଯାହା ସ୍ଥାନୀୟ ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଅନୁଯାୟୀ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଆର୍ଥିକ କ୍ଷତିର ପରିମାଣ ୭୫୧.୭୮ କୋଟି ଟଙ୍କାରୁ ଅଧିକ ରହିଛି।
ରାଜ୍ୟ ସରକାର, ଜାତୀୟ ବିପର୍ଯ୍ୟୟ ପ୍ରତିକାର ବଳ (NDRF), ରାଜ୍ୟ ବିପର୍ଯ୍ୟୟ ପ୍ରତିକାର ବଳ (SDRF) ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଭାବିତ ହୋଇଥିବା ମୋଟ୍ ୫୩୪ ଜଣଙ୍କୁ ଭିନ୍ନଭିନ୍ନ ଯାଗାରେ ଥିବା ୧୬ଟି ପ୍ରକୃତିକ ବପର୍ଯ୍ୟୟ ଶିବିରରେ ରଖାଯାଇଛି। ଯେଉଁଠାରେ ୫,୨୨୮ଟି ପାଲ ଓ ୩,୦୯୩ଟି ରାସନ କିଟ୍ ବଣ୍ଟନ କରାଯାଇଛି। ଭାରତୀୟ ବାୟୁସେନା ଦ୍ୱାରା ୨୯୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେଉଁଥିରେ ୯୨ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ ଗର୍ଭବତୀ ମହିଳା ମଧ୍ୟ. ରହିଛନ୍ତି। ମଣ୍ଡିର ଗୋହର, କରସୋଗ ଏବଂ ଥୁନାଗରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି।
ଭାରତୀୟ ପାଣିପାଗ ବିଭାଗ (IMD) ମଣ୍ଡି, କାଙ୍ଗରା ଏବଂ ସିରମୌର ଜିଲ୍ଲାରେ ଭାରୀ ବର୍ଷା ଏବଂ ଭୂସ୍ଖଳନର ଆଶଙ୍କା ନେଇ ରେଡ ଆଲର୍ଟ ଜାରି କରିଛି। ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ନଦୀକୂଳ ଓ ପ୍ରପାତ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ସୁଖୁଙ୍କ ସହ ଆଲୋଚନା କରି କେନ୍ଦ୍ରୀୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ୨୪x୭ କଣ୍ଟ୍ରୋଲ ରୁମ ଏବଂ ହେଲପଲାଇନ ନମ୍ବର ୧୦୭୦ ଜାରି କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ କହିଛନ୍ତି ଯେ, ରାସ୍ତା, ଜଳ ଯୋଗାଣ ଓ ବିଦ୍ୟୁତ ପୁନଃସ୍ଥାପନ ପାଇଁ ବ୍ୟାପକ ଯନ୍ତ୍ରପାତି ନିୟୋଜିତ ହୋଇଛି।
ଏହି ମୌସୁମୀ ବିପର୍ଯ୍ୟୟ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସରକାର ଏବଂ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି।