ମୁମ୍ବାଇ ୧୨/୦୭: ପୁରୀ ଜଗନ୍ନାଧଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଅପ୍‌କମିଙ୍ଗ ଫିଲ୍ମରେ ଆସିବେ ତବୁ । ଏଥିରେ ସେ ବିଜୟ ସେଥୁପତିଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ।  ଖାସ୍‌ କଥା ହେଉଛି ଫିଲ୍ମରେ ତବୁଙ୍କୁ ମୁଖ୍ୟ ଖଳନାୟିକା ଭୂମିକାରେ ଦେଖିବାକୁ ମିଳିବ । ପରଦାରେ ଦମ୍‌ଦାର ମହିଳା ଚରିତ୍ରରେ ଅଭିନୟ କରିବା ପାଇଁ ଖାସ୍‌ ପରିଚିତ ତବୁଙ୍କ ସହ ଏହି ଧାରା ବଜାୟ ରଖିଛନ୍ତି ପୁରୀ ଜଗନ୍ନାଧ । 

କିନ୍ତୁ ତବୁଙ୍କ ପାଇଁ ଏହି ଚରିତ୍ର  ନୂଆ ନୁହେଁ, ଫିଲ୍ମ ‘ମକବୁଲ୍‌’ ଓ ‘ଅନ୍ଧାଧୂନ୍‌’ରେ ତାଙ୍କର  ଜଟିଳ ନେଗେଟିଭ୍‌ ଚରିତ୍ର ଦେଖିସାରିଛନ୍ତି ଦର୍ଶକ । ଏହି ଫିଲ୍ମରେ ଲିଡ୍‌ ଲେଡି ଭୂମିକାରେ ଅଭିନୟ  କରିଛନ୍ତି ସଂଯୁକ୍ତା । ଲୋକପ୍ରିୟ ତେଲୁଗୁ କଳାକାରଙ୍କୁ ମଧ୍ୟ ଫିଲ୍ମରେ କାଷ୍ଟ୍‌  କରାଯାଇଛି । କିଛି ଦିନ ତଳେ ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ ନିର୍ଦ୍ଦେଶକ ଓ  ପ୍ରଯୋଜକଙ୍କ ସହ ତବୁଙ୍କର ଏକ ଫଟୋ  ଶେୟାର କରି ଫିଲ୍ମରେ ତାଙ୍କୁ ସାମିଲ କରିବା  କଥା ଘୋଷଣା କରାଯାଇଥିଲା । ଫିଲ୍ମର ସୁଟିଂ ନିକଟରେ  ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଟାଇଟଲ୍‌ ଘୋଷଣା କରିବେ  ନିର୍ମାତା । ତବୁଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ପ୍ରିୟଦର୍ଶନଙ୍କ  ହରର୍‌-କମେଡି ‘ଭୂତ୍‌ ବଙ୍ଗଲା’ । ଏଥିରେ ଅକ୍ଷୟ କୁମାର,  ଜିସୁ ସେନ୍‌ଗୁପ୍ତା, ୱାମିକା ଗବ୍ୱି ଅଭିନୟ କରିଛନ୍ତି । ମ୍ୟୁଜିକ୍‌  ଦେଇଛନ୍ତି ପ୍ରୀତମ୍‌ । ଆସନ୍ତା ବର୍ଷ ଏହା ମୁକ୍ତିଲାଭ କରିବ ।