ମାଲକାନଗିରି, ୧୭/୮ (ଆପ୍ର ) ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହା ର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ପଞ୍ଚାୟତ,ବ୍ଲକ କ୍ଷେତ୍ର କର୍ମଚାରୀଙ୍କୁ ସଜାଗ ହୋଇ ରହିବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ବନ୍ୟା ପ୍ରବଣ ସମସ୍ତ ତଳି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ମାଇକ୍ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯିବ।
ବନ୍ୟା ଆଶଙ୍କା ଥିବା କାଲିମେଳା, ପଡିଆ ଓ ମୋଟୁ ର କିଛି ଅଞ୍ଚଳରେ ମଧ୍ୟ ମାଇକ୍ ଯୋଗେ ସଚେତନ ଆରମ୍ଭ ହୋଇଛି । ଆବଶ୍ୟକ ପଡ଼ିଲେ ବନ୍ୟା ଆଶ୍ରୟସ୍ଥଳୀ, ନିକଟସ୍ଥ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ର କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ ମହଜୁଦ ରଖି ପ୍ରସ୍ତୁତ ରହିବାକୁ କୁହାଯାଇଛି ।ଯଦି ବନ୍ୟା ପରିସ୍ଥିତି ଉପୁଜେ, ଓଡରାଫ୍ ଟିମ୍ କୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲା ଅଗ୍ନିଶମ ବିଭାଗ ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି।ଅତି ଆବଶ୍ୟକତା ପଡିଲେ କୋରାପୁଟ ଜିଲ୍ଲା ଆଇଆରବି ପ୍ରଥମ ବାଟାଲିୟନ, ଓଡ୍ରାଫ ଟିମ୍ କୁ ମଧ୍ୟ ମୁତୟନ କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ସେହିପରି ଆବଶ୍ୟକ ପଡ଼ିଲେ ତଳି ଅଞ୍ଚଳର ଉଭୟ ପାର୍ଶ୍ଵ ରାସ୍ତାର ଯାନବାହାନ ଗମନାଗମନ ଓ ଲୋକଙ୍କ ଚଳପ୍ରଚଳକୁ ବନ୍ଦ ରଖିବା ପାଇଁ ପୋଲିସ କୁ ନିର୍ଦ୍ଦେଶ ଦିଆଯାଇଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସୋମବାର ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ, ଅଗଷ୍ଟ ୧୮ ଓ ୧୯ତାରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝଡ଼ ଏବଂ ବଜ୍ରପାତ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ପାଣି ପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।