ମୁମ୍ବାଇ,୧୬/୦୭: ବହୁ ପ୍ରତୀକ୍ଷା ପରେ ଶେଷରେ ଭାରତରେ ପାଦ ଥାପିଛି ଟେସ୍‌ଲା । ଏଲନ୍‌ ମସ୍କଙ୍କ ଇ-ଯାନ କମ୍ପାନି ଟେସ୍‌ଲା ଭାରତରେ ଏହାର ପ୍ରଥମ ସୋ’ରୁମ୍‌ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସସ୍ଥିତ ମେକର୍‌ ମାକ୍ସିଟି ମଲ୍‌ରେ ୪,୦୦୦ ବର୍ଗଫୁଟ୍‌ ପରିମିତ ସ୍ଥାନରେ ଖୋଲିଛି । ଦୁଇଟି ମଡେଲ ‘ୱାଇ’ ୟୁନିଟ୍‌ ସହ ସୋ’ରୁମ୍‌ ଖୋଲିଯାଇଛି । 

କମ୍ପାନିର କହିବାନୁସାରେ, ଏହି କାର୍‌ ଗୋଟିଏ ପୂର୍ଣ୍ଣ ଚାର୍ଜରେ ୬୨୨ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । କାର୍‌ରେ ସୁରକ୍ଷା ପାଇଁ ୮ଟି ଏୟାର୍‌ବ୍ୟାଗ୍‌ ସହ ଲେବଲ-୨ ଏଡାସ୍‌ ଭଳି ବୈଶିଷ୍ଟ୍ୟ ଖଞ୍ଜାଯାଇଛି । ଏହି ଇଲେକ୍ଟ୍ରିକ୍‌ କାରକୁ ଭାରତରେ ଦୁଇଟି ଭାରିଆଣ୍ଟ୍‌- ରିୟର୍‌ ହ୍ୱିଲ୍‌ ଡ୍ରାଇଭ୍‌(ଆର୍‌ଡବ୍ଲ୍ୟୁଡି) ଏବଂ ଲଙ୍ଗ୍‌ ରେଞ୍ଜ୍‌ ରିୟର୍‌ ହ୍ୱିଲ୍‌ ଡ୍ରାଇଭ୍‌ରେ ଉପସ୍ଥାପନ କରାଯାଇଛି । ଷ୍ଟାଣ୍ଡାର୍ଡ ଆର୍‌ଡବ୍ଲ୍ୟୁଡି ଭାରିଆଣ୍ଟ୍‌ର ଏକ୍ସସୋ’ରୁମ୍‌ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ରହିଛି । ସେହିଭଳି ଲଙ୍ଗ୍‌ ରେଞ୍ଜ୍‌ ଭାରିଆଣ୍ଟ୍‌ର ଦାମ୍‌ ପାଖାପାଖି ୬୮ ଲକ୍ଷ ଟଙ୍କା । ଆମେରିକାଠାରୁ ଭାରତରେ ଆର୍‌ଡବ୍ଲ୍ୟୁଡି ଗାଡ଼ିର ଦର ପ୍ରାୟ ୨୮ ଲକ୍ଷ ଟଙ୍କା ମହଙ୍ଗା ରହିବ ।