ଢେଙ୍କାନାଳ, ୨୭/୦୫ : ଦୁନିଆରେ ସବୁଠାରୁ ବଡ଼ ଆଶ୍ରୟ ହେଉଛି ବାପା-ମା'ଙ୍କ କୋଳ । ମାତ୍ର ଜନ୍ମ ପରଠାରୁ ବାପା-ମା’ କଣ ନ ଜାଣି ଜୀବନ ସହ ସଂଘର୍ଷ କରୁଛି ଜଣେ ୮ ବର୍ଷ ବୟସର ବାଳକ । ଚାଲି ପାରୁନି କି ବସି ପାରୁନି । ୭୦ବର୍ଷୀୟ ଜେଜେମା’ ହିଁ ଭରସା ପାଲଟିଛନ୍ତି । ଭୋକଉପାସରେ ଦିନ କାଟୁଥିବା ବୃଦ୍ଧା ଜୁଳୁକି ନାଏକ ଆଜି ଭିନ୍ନକ୍ଷମ ନାତିକୁ ଧରି ଜିଲ୍ଲାପାଳଙ୍କୁ ଫେରାଦ ହୋଇ ସହାୟତା ଲୋଡ଼ିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ମଠକରଗୋଳା ଗ୍ରାମରେ ଜୁଳୁକିଙ୍କ ଘର । ବୁଢ଼ୀ ବୟସରେ ଭିନ୍ନକ୍ଷମ ନାତିକୁ ଧରି ସହାୟତା ପାଇଁ ୫୦ କିଲୋମିଟର ଦୂର ଜିଲ୍ଲାପାଳଙ୍କ ନିକଟକୁ ଛୁଟି ଆସିଥିଲେ । 

ବୋହୂ ପୁଅକୁ ଛାଡ଼ି ପରପୁରୁଷ ସହ ପଳାଇଥିବା ବେଳେ ଏହାକୁ ନେଇ ମାନସିକ ଭାରସାମ୍ୟ ହରାଇଲା ପୁଅ । ଏଣେତେଣେ ବୁଲିଲା । ୮ ବର୍ଷ ହେଲା ପୁଅର ଖୋଜଖବର ମିଳୁନି । ସେତେବେଳେ ବର୍ଷକର ହୋଇଥିବା ନାତିକୁ ଜୁଳୁକି ଆଜି ପର୍ଯ୍ୟନ୍ତ ଦେଖାଶୁଣା କରୁଛନ୍ତି । ଡାକ୍ତରଙ୍କୁ ଦେଖାଇ ନିରାଶ ହୋଇପଡ଼ିଛନ୍ତି । ଭୋକ ଉପାସରେ ନାତିକୁ ଧରି ବଡ଼ ଅସହାୟ ଅବସ୍ଥାରେ ରହୁଛନ୍ତି । ସରକାରୀ ସହାୟତା କହିଲେ ହଜାରେ ଟଙ୍କା ଭତ୍ତା ଓ ୫ କେଜି ଚାଉଳ ମିଳୁଛି । ସେତିକିରେ ମାସ ସାରା ଚଳିବା ସମ୍ଭବ ହେଉନି । ପର ହାତଟେକାକୁ ଚାହିଁ ରହୁଛନ୍ତି । ଆଜି ପର୍ଯ୍ୟନ୍ତ ପକ୍କାଘର ମିଳିନି । ଭଙ୍ଗାଦଦରା ବିପଦସଙ୍କୁଳ ଘରେ ରହୁଛନ୍ତି । ଏପଟେ ନାତିର ଦୈନନ୍ଦିନ ଖର୍ଚ୍ଚ ଓ ଚିକିତ୍ସା ପାଇଁ ଅର୍ଥ ଅଭାବ ବଡ଼ ବାଧା ସୃଷ୍ଟି କରିଛି । ଠିକ୍‌ ଚିକିତ୍ସା ଓ ପୋଷଣ ମିଳିଲେ ସ୍ୱାସ୍ଥ୍ୟରେ ସୁଧାର ଆସିପାରେ ବୋଲି ଗ୍ରାମବାସୀ କହୁଛନ୍ତି । ୮ ବର୍ଷ ହୋଇଥିଲେ ମଧ୍ୟ ବାଳକର ଆଧାରକାର୍ଡ ହୋଇପାରୁନାହିଁ । ଫଳରେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । 

ଏହି ଖବରଟିକୁ ପଢନ୍ତୁପକ୍ଷୀଙ୍କ ପାଇଁ ବ୍ୟାକୁଳ ବିକିଜି, ଲଗାଇଲେଣି ୫ହଜାର ଚଢ଼େଇ ବସା, ସାଇକେଲରେ ବୁଲି ଦିଅନ୍ତି ପାଣି

ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍‌ଏସ୍‌ଓ) ନରେଶ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଶିଶୁକୁ ହେପାଜତକୁ ନେଇ ସ୍ୱତନ୍ତ୍ର ବିଦ୍ୟାଳୟରେ ପାଠପଢ଼ାର ବ୍ୟବସ୍ଥା କରାଯିବ । ତାର ଆଧାରକାର୍ଡ କରି ଭିନ୍ନକ୍ଷମ ପ୍ରମାଣପତ୍ର ବାହାର କରାଯିବ । ଏହାପରେ ଶିଶୁଟି ଭିନ୍ନକ୍ଷମ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ । କିନ୍ତୁ ତାଙ୍କ ଜେଜେ ମା' ନାତିକୁ ଛାଡି଼ବାକୁ ରାଜି ହେଉନାହାନ୍ତି । ତାଙ୍କୁ ବୁଝାସୁଝା କରାଯାଇ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏସ୍‌ଏସ୍‌ଓ ଶ୍ରୀ ସ୍ୱାଇଁ କହିଛନ୍ତି । ଅନ୍ୟପଟେ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଅସହାୟ ଜେଜେମା’- ନାତିକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।