ରାଞ୍ଚି,୨୮/୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ  ସରକାର ଗଠନର ପ୍ରକ୍ରିୟା ଆରମ୍ଭ ହୋଇଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ନେତା ହେମନ୍ତ ସୋରେନ୍‌ ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ  ଭାବେ ଶପଥ ନେବାକୁ ଯାଉଛନ୍ତି । ଗୁରୁବାର  ଅପରାହ୍‌ଣରେ ରାଞ୍ଚିର ମୋରହାବାଦୀ ମୈଦାନରେ  ଏହି ଶପଥଗ୍ରହଣ ସମାରୋହ ଆୟୋଜିତ ହେବ ।  

ସୂତ୍ର ଅନୁସାରେ ହେମନ୍ତ ଗୁରୁବାର ଏକୁଟିଆ  ଶପଥ ନେଇପାରନ୍ତି । ମନ୍ତ୍ରିମଣ୍ଡଳର ବିସ୍ତାର ପରେ  ହେବ । ଅନ୍ୟ ଏକ ରିପୋର୍ଟରେ ହେମନ୍ତଙ୍କ ସହିତ  ଆର୍‌ଜେଡି ଓ  କଂଗ୍ରେସର କିଛି  ବିଧାୟକ ମନ୍ତ୍ରୀ  ଭାବେ ଶପଥ  ନେଇପାରନ୍ତି ବୋଲି  କୁହାଯାଇଛି । ଆଉ  କିଛି ରିପୋର୍ଟ ଅନୁସାରେ, ଜେଏମ୍‌ଏମ୍‌ର ମେଣ୍ଟ  ସହଯୋଗୀ ସିପିଆଇ(ଏମ୍‌ଏଲ୍‌) ଅଦ୍ୟାବଧି  ସରକାରରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇନାହିଁ । ସେଥିଲାଗି ନଭେମ୍ବର ୨୯ରେ ଏକ  ବୈଠକ ଡକାଯାଇଛି । ସେଥିଯୋଗୁ ହେମନ୍ତ  ଏକୁଟିଆ ଶପଥ ନେଇପାରନ୍ତି । ସେପଟେ  ହେମନ୍ତଙ୍କ ଶପଥ ଗ୍ରହଣ ସମାରୋହରେ ‘ଇଣ୍ଡିଆ’  ମେଣ୍ଟର ଶକ୍ତି ଦେଖିବାକୁ ମିଳିବ । 

ଅଦ୍ୟାବଧି ୧୦ଟି  ପାର୍ଟିର ୧୮ ଜଣ ବରିଷ୍ଠ ନେତା ସମାରୋହକୁ  ଆସିବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ  ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ,  ରାହୁଲ ଗାନ୍ଧୀ, ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ  ପାୱାର, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ,  ମେଘାଳୟ ମୁଖ୍ୟମନ୍ତ୍ରୀ, ଆପ୍‌ର ଆବାହକ ଅରବିନ୍ଦ କେଜରିୱାଲ, ଆର୍‌ଜେଡି ନେତା ତେଜସ୍ୱୀ ଯାଦବ  ପ୍ରମୁଖ ସାମିଲ।