ନୂଆଦିଲ୍ଲୀ,୯।୧୦: ଗାଜାରେ ଗତ ଏକ ବର୍ଷ ଧରି ଚାଲିଛି ଭୀଷଣ ରକ୍ତପାତ। ଏହାପରେ ବି ହମାସ ଆତଙ୍କୀ ହାର ମାନି ନାହାନ୍ତି। ହେଲେ ଇସ୍ରାଏଲ ଆଗରେ ମାତ୍ର ୧୫ ଦିନ ଭିତରେ ହିଜବୁଲ୍ଲା ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। ହିଜବୁଲ୍ଲାର ଉପନେତା ନଇମ କାସିମ୍ ଇସ୍ରାଏଲକୁ ଯୁଦ୍ଧବିରତି ପାଇଁ ଅପିଲ କରିଛନ୍ତି। ହିଜବୁଲ୍ଲା ଇସ୍ରାଏଲ ଆଗରେ ଗାଜା ସର୍ତ୍ତ ମଧ୍ୟ ଛାଡିବାକୁ ରାଜି ହୋଇଛି। ଇସ୍ରାଏଲ ସେନା କିଛି ଦିନରେ ହିଜବୁଲ୍ଲାର ଟପ୍ ଲିଡର୍ସଙ୍କୁ ଶେଷ କରିଦେଇଛି। ହସନ୍ ନସରୁଲ୍ଲାହ ପରେ ତା’ର ଉତ୍ତରାଧିକାରୀ ଥିବା ସଫିଉଦ୍ଧିନ୍କୁ ମଧ୍ୟ ମାରି ଦେଇଛି। ଏହାଛଡା ଅସ୍ତ୍ରଶସ୍ତ୍ର, ଶତାଧିକ କମାଣ୍ଡୋ ଓ ଆତଙ୍କବାଦୀ ମଧ୍ୟ ସଫା ହୋଇସାରିଛି। ଇସ୍ରାଏଲ ସାଉଥ୍ ଲେବାନନ୍ରେ ଖୁବ୍ ଆଗକୁ ବଢି ସାରିଛି। ସ୍ଥଳମାର୍ଗରେ ଲଢେଇ ବେଳେ ଇସ୍ରାଏଲ ସେନା ବହୁ ଅଞ୍ଚଳକୁ ନିଜ କବଜାରେ ନେଇ ସାରିଛି।
ଇସ୍ରାଏଲ ପକ୍ଷରୁ ଲେବାନନ୍-ଇସ୍ରାଏଲ ସୀମାରେ ସ୍ଥଳସେନା ପଠାଇ ବେରୁଟ ଓ ଅନ୍ୟ ସ୍ଥାନରେ ଏୟାର ଷ୍ଟ୍ରାଇକ୍ ଜାରି ରଖିବା ଭିତରେ ହିଜବୁଲ୍ଲା ଏବେ ଲେବାନନ୍ରେ ଯୁଦ୍ଧ ବିରତୀ ପାଇଁ ରାଜି ହୋଇଯାଇଛି। ଗାଜାରେ ଅସ୍ତ୍ରବିରତି ପାଇଁ ରଖିଥିବା ସର୍ତ୍ତ ମଧ୍ୟ ଛାଡି ଦେଇଛି। ହିଜବୁଲ୍ଲାର ଉପନେତା ନଇମ କାସିମ୍ କହିଛନ୍ତି, ଆମେ ଅସ୍ତ୍ରବିରତୀ ପାଇଁ କରାଯାଉଥିବା ରାଜନୈତିକ ଚେଷ୍ଟାର ସମର୍ଥନ କରୁଛୁ। ଥରେ ଯେତେବେଳେ ଅସ୍ତ୍ରବିରତୀ ହୁଏ ତେବେ କୁଟନୀତି ଜରିଆରେ ଅନ୍ୟ କଥା ଉପରେ ମଧ୍ୟ ସହମତି ପୂରଣ କରାଯାଏ। ବର୍ତ୍ତମାନ ଆମ ପାଇଁ ଲେବାନନ୍ବାସୀଙ୍କ ଜୀବନଠାରୁ ଅଧିକ କିଛି ନୁହେଁ।’ କାସିମ୍ ମଙ୍ଗଳବାର ନିଜର ଭାଷଣରେ ଏହା କହିଛନ୍ତି।
‘ଦ ଟାଇମ୍ସ ଅଫ୍ ଇସ୍ରାଏଲ’ ଆଜି ଇସ୍ରାଏଲି ଟେଲିଭିଜନ୍ ଚ୍ୟାନେଲ ୧୨ର ରିପୋର୍ଟରେ କୁହାଯାଇଛି ଯୁକ୍ତରାଷ୍ଟ୍ର ଆମେରିକା ଓ ଆରବ ରାଜ୍ୟ ମଧ୍ୟ ପୂର୍ବରେ ଚାଲିଥିବା ସମସ୍ତ ଯୁଦ୍ଧକୁ ରୋକିବା ପାଇଁ ଇରାନ ସହ ଗୁପ୍ତ ବାର୍ତ୍ତା ଆରମ୍ଭ କରିଦେଇଛି। ‘ଏକ୍ସିୟୋସ୍’ ତିନି ଆମେରିକୀୟ ଅଧିକାରୀଙ୍କ ସୁତ୍ରରୁ କହିଛି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ସକାଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଇରାନରେ ଚାଲିଥିବା ସଂଘର୍ଷକୁ ନେଇ ପରସ୍ପର ମଧ୍ୟ ଚର୍ଚ୍ଚା କରିଛନ୍ତି।