କଟକ, ୮।୧ : ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ। ଏଭଳି ହୀନ କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାର୍ ତରଫରୁ ଦାବି ହୋଇଛି। ତେବେ ଜଜ, ଓକିଲ ଏବଂ ମହକିଲଙ୍କ ସୁରକ୍ଷା ଦୃଷ୍ଟିରୁ କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ଅଭିଜିତ ପଟ୍ଟନାୟକ ଦାବି କରିଛନ୍ତି। ପୋଲିସ ତାର ଯାଞ୍ଚ ପ୍ରକ୍ରିୟା ସାରିବା ପରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି ବୋଲି କହିଛନ୍ତି ହାଇକୋର୍ଟ ବାର ସମ୍ପାଦକ।

ସୂଚନାଯୋଗ୍ୟ ଯେ ସୂଚନାନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ସମ୍ବଲପୁର, କଟକ ଓ ଦେବଗଡ଼ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ଇ-ମେଲରେ ବୋମା ଧମକ ଆସିଥିଲା । ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୁରା କୋର୍ଟ ପରିସର ଖାଲି ହୋଇଯାଇଥିଲା। ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ କୋର୍ଟ ପରିସରରେ ତନାଘନା କରିଥିଲେ। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଇଥିଲା। ହେଲେ କୋର୍ଟ ପରିସରରୁ କୌଣସି ବିସ୍ଫୋରକ ମିଳି ନ ଥିଲା।