କଟକ,୨୨।୧୦ : ଦଶହରା ତୋରଣ ଗୁଡିକୁ ତୁରନ୍ତ ଖୋଲ। କଟକ ସହର ଭିତରେ ଠିଆ ହୋଇଥିବା ବିଭିନ୍ନ ତୋରଣ ଗୁଡିକୁ ୨୪ ଘଣ୍ଟା ଭିତରେ ଖୋଲିବା ଲାଗି ସିଏମସିକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଟକ ସହର ସମସ୍ୟା ବାବଦରେ ଜନସ୍ବାର୍ଥ ମାମଲାର ହୋଇଥିଲା ଶୁଣାଣି।
ତୋରଣ ଖୋଲିବା ସହିତ ବିପଦ ସଂକୁଳ ଅବସ୍ଥାରେ ଥିବା ହୋର୍ଡିଂ ଗୁଡିକୁ ଖୋଲିଦେବା ପାଇଁ ମଧ୍ୟ ସିଏମସି ପ୍ରଶାସନକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ଆଜି କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ଏବଂ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବା ଲାଗି ସିଏମସିକୁ ନିର୍ଦେଶ ହୋଇଛି। ବିଶେଷ କରି ବିପଦ ସଂକୁଳ ଅବସ୍ଥାରର ଥିବା ଗଛ ଗୁଡିକୁ କାଟିବା, ଜଳ ନିଷ୍କାସନ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ନର୍ଦ୍ଦମା ସଫେଇ କରିବା ଏବଂ ସହର ଭିତରେ ଯେପରି ଜୀବନଯାତ୍ରା ପ୍ରଭାବିତ ନହେବ, ସେଥିଲାଗି ଆଗୁଆ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।