ଚଳିତ ବର୍ଷ ଓଡ଼ିଶା ହାଇକୋର୍ଟଙ୍କ ପାଇଁ ଥିଲା ଘଟଣାବହୁଳ। ଜବରଦଖଲ ସମସ୍ୟା, ଅବସରପ୍ରାପ୍ତ ଶିକ୍ଷକ ଓ ଠିକା ବ୍ୟବସ୍ଥାକୁ ନେଇ ରୋକ୍ ଠୋକ୍ ରାୟ ଶୁଣାଇଥିଲେ କୋର୍ଟ। କଡ଼ା ଭାଷାରେ ସମାଲୋଚନା କରିବା ସହ ବଡ଼ ରାୟ ଦେଇଥିଲେ ହାଇକୋର୍ଟ।
ଜବରଦଖଲକାରୀଙ୍କୁ ଦୟା ନାହିଁ
ଜବରଦଖଲ ସମସ୍ୟା ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି । ଜବରଦଖଲକାରୀ ଏବେ ଉଦ୍ବେଗର କାରଣ ହୋଇଛନ୍ତି । ଏମାନଙ୍କ ପାଇଁ କେବଳ ରାଜ୍ୟ ନୁହେଁ ଦେଶର ଅଗ୍ରଗତିରେ ବାଧା ସୃଷ୍ଟି ହେଉଛି । କୌଣସି ପରିସ୍ଥିତିରେ ଜବରଦଖଲକାରୀଙ୍କ ପ୍ରତି ଦୟା ଦେଖାଇବାର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ ଏକ ଜବରଦଖଲ ସମସ୍ୟା ସଂକ୍ରାନ୍ତ ମାମଲାର ଶୁଣାଣି ଅବସରରେ ମତ ଦେଇଛନ୍ତି । କେବଳ ସେହି ମାମଲା ନୁହେଁ ସର୍ବସାଧାରଣ ବା ସରକାରଙ୍କ ସଂପତ୍ତି ସୁରକ୍ଷା ପାଇଁ ହାଇକୋର୍ଟ ଚଳିତ ବର୍ଷ ଅନେକ ରାୟ କିମ୍ବା ନିର୍ଦ୍ଦେଶନାମା ଦେଇଛନ୍ତି । ଅନ୍ୟ ଏକ ମାମଲାରେ ହାଇକୋର୍ଟ କହିଛନ୍ତି ସର୍ବସାଧାରଣଙ୍କ ଜମି ଏକ ବୃହତ୍ତର ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ । ଏହିଭଳି ଜମିକୁ କେବେହେଲେ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା କୌଣସି ଗୋଚର, ରକ୍ଷିତ, ସର୍ବସାଧାରଣ ଜମି କୌଣସି ଜମି ବ୍ୟକ୍ତିଙ୍କ ନାମରେ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।
ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲିପାରିବ ନାହିଁ
ଶିକ୍ଷକଶିକ୍ଷୟିତ୍ରୀ ପଦ ଖାଲିପଡ଼ିଥିବା ନେଇ ହାଇକୋର୍ଟ ଏ ସଂପର୍କିତ ଏକ ମାମଲାରେ ଉଦ୍ବେଗ ପ୍ରକାଶ କରିଛନ୍ତି । ଅଦାଲତ କହିଛନ୍ତି ଯେ, ରାଜ୍ୟରେ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ୭୨ହଜାର ଶିକ୍ଷକ ଏବଂ ଅଧ୍ୟାପକ ପଦ ଖାଲିପଡ଼ିଛି । ଏହାଛଡ଼ା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୫ହଜାର ପଦ ଖାଲିପଡ଼ିଛି । ଏହିସବୁ ଖାଲି ପଦବି ପୂରଣ ପାଇଁ ବର୍ଷବର୍ଷ ଧରି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅପରପକ୍ଷରେ ଅତିଥି ଶିକ୍ଷକ ଓ ଅନେକ ସ୍ଥାନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲୁଥିଲାବେଳେ ହାଇକୋର୍ଟ ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲିପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ ମତ ଦେଇଛନ୍ତି ।
‘ଠିକା’ ବ୍ୟବସ୍ଥା ବନ୍ଦ ହେଉ
ରାଜ୍ୟର ଗ୍ରୁପ୍ ଡି’ ଏବଂ ଗ୍ରୁପ୍ ସି’ ପଦରେ ସରକାର ଆଉଟ୍ସୋର୍ସିଂ ହେଉ ଅବା ଠିକାରେ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି । ସୁପ୍ରିମ୍କୋର୍ଟ ‘ଉମାଦେବୀ’ ବନାମ କର୍ଣ୍ଣାଟକ ସରକାର ମାମଲାରେ ଦେଇଥିବା ରାୟ ଆଳରେ ରାଜ୍ୟ ସରକାର ଠିକା କର୍ମଚାରୀଙ୍କ ଚାକିରି ନିୟମିତ ଦାବିକୁ ସଫଳତାର ସହ ଏଡ଼ାଇ ଦେଇପାରୁଛନ୍ତି ବୋଲି ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ । ୩୫ବର୍ଷ ଠିକାରେ ଚାକିରି କରିଥିବା ଜଣେ କର୍ମଚାରୀଙ୍କୁ ରେଗୁଲାର କରିବାକୁ ନିର୍ଦ୍ଦେଶ ପ୍ରଦାନ ଅବସରରେ ହାଇକୋର୍ଟ ରାଜ୍ୟରେ ଠିକା ବ୍ୟବସ୍ଥା ବନ୍ଦ ହେବା ଉଚିତ ବୋଲି ସ୍ପଷ୍ଟ ମତ ରଖିଥିଲେ ।