କଟକ,୦୭/୦୧: କେନ୍ଦୁଝର ଜିଲ୍ଲାରେ ଗଠିତ  ଜିଲ୍ଲା ମିନେରାଲ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌ (ଡିଏମ୍‌ଏଫଟି)ରେ ଥିବା ଅର୍ଥକୁ ମନମୁଖି ଭାବେ ଖର୍ଚ୍ଚ କରାଯାଇଥିବା ନେଇ  ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସ୍ତରୀୟ କମିଟି  (ଏସ୍‌ଏଲ୍‌ସି)କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି କମିଟି ଅଭିଯୋଗର ଭିତ୍ତିଭୂମି ଏବଂ ଆଧାର କ’ଣ  ରହିଛି ତାହା ଉପରେ ମଧ୍ୟ ବିଚାର କରିବ । କମିଟିକୁ  ରାଜ୍ୟ ସରକାରଙ୍କ ଆଇନଜୀବୀ ଆବଶ୍ୟକ ରେକର୍ଡପତ୍ର  ଯୋଗାଇ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।   

ପ୍ରଥମେ ଆବେଦନକାରୀଙ୍କ ଅଭିଯୋଗ ଉପରେ  ଏସ୍‌ଏଲ୍‌ସି ବିଚାର କରିବ । ପରେ ଯଦି ଆବଶ୍ୟକ ପଡ଼େ  ହାଇକୋର୍ଟ ସେଥିରେ ହସ୍ତକ୍ଷେପ କରିବେ କି’ ନାହିଁ  ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ନିଆଯିବ । ମାର୍ଚ୍ଚ ୬ରେ  ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଯଦି ଆବଶ୍ୟକ ପଡ଼େ ଅଭିଯୋଗ ଆଧାରରେ ଏସ୍‌ଏଲ୍‌ସି ଆବଶ୍ୟକ  କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବ ବୋଲି ହାଇକୋର୍ଟ ତାଙ୍କ  ଆଦେଶରେ ସ୍ପଷ୍ଟ କରିଛନ୍ତି । ଶୁଭକାନ୍ତ ନାୟକଙ୍କ ପକ୍ଷରୁ  ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌  ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ  ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।  

ଆବେଦନକାରୀ ଅଭିଯୋଗ କରିଥିଲେ,  ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଖଣିଜ  ସମ୍ପଦରୁ ଆୟ ରାଜସ୍ୱକୁ ନେଇ ଡିଏମ୍‌ଏଫ୍‌ଟି ଗଠନ  ହୋଇଥିଲା । ଏହାର ଏକ ବୋର୍ଡ ମଧ୍ୟ ରହିଛି । ଏହି  ବୋର୍ଡର ଅନୁମୋଦନକ୍ରମେ ଏଥିରେ ଥିବା ଅର୍ଥ  ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପାଇଁ ଖର୍ଚ୍ଚ କରାଯିବ । କିନ୍ତୁ  କିଛି ବର୍ଷରେ ବୋର୍ଡର ଅନୁମୋଦନ ବିନା ପ୍ରାୟ ଶହେ  କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଭଳି ବେଆଇନ  ଭାବେ ଅର୍ଥ ଖର୍ଚ୍ଚ କରାଯାଇଥିବାରୁ ଏହାର ଉଚ୍ଚସ୍ତରୀୟ  ତଦନ୍ତ ଲାଗି ଆବେଦନକାରୀ ପ୍ରାର୍ଥନା କରିଥିଲେ ।