ନୂଆଦିଲ୍ଲୀ, ୧୦/୦୨ : ଜେଲରେ ପଢୁଥିଲେ ମହାତ୍ମା ଗାନ୍ଧୀଙ୍କ ଅହିଂସା ପୁସ୍ତକ। ଲେଖୁଥିଲେ ରଚନା। ଉତ୍ତମ ଆଚ୍ଚରଣ ଏବଂ ସାର୍ଟିଫିକେଟ୍ ଦେଖି ପୋକ୍ସୋ ଅଭିଯୁକ୍ତଙ୍କ ସଜା କମାଇଦେଲେ ବମ୍ଵେ ହାଇକୋର୍ଟ। ଆଜୀବନ କାରାଦଣ୍ଡକୁ କୋହଳ କରି ୧୨ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣଙ୍କ ୨୦୧୬ରେ ଏକ ୫ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିଲେ। ସେତେବେଳେ ତାଙ୍କୁ ୨୦ ବର୍ଷ ହୋଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁମ୍ଵାଇର ଘାଟକୋପର ଅଞ୍ଚଳର ଏକ ଚଲ୍‌ ରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବକ ତାଙ୍କ ପଡୋଶୀଙ୍କ ୫ ବର୍ଷୀୟା ଝିଅ ସହ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଶୁଣାଣି କରି ପୋକସୋ ଅଦାଲତ ୨୦୨୦ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ ବମ୍ଵେ ହାଇକୋର୍ଟ ତାଙ୍କ ସଜା କୋହଳ କରିଛନ୍ତି। ଆଜୀବନ କାରାଦଣ୍ଡରୁ ତାଙ୍କ ସଜା କୋହଳ କରି ୧୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। 

ଜଷ୍ଟିସ୍ ସାରଙ୍ଗ କୋଟୱାଲ ଏବଂ ସନ୍ଦେଶ ପାଟିଲଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଅପରାଧୀଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିଲା। ଅଭିଯୁକ୍ତଙ୍କୁ ଜାମିନ ମିଳିବା ସତ୍ତ୍ଵେ ତାଙ୍କୁ ମୁକ୍ତ କରାଯାଇନଥିଲା। କରୋନା ସମୟରେ ମଧ୍ୟ ତାଙ୍କୁ ବାହାରକୁ ଛଡ଼ା ଯାଇନଥିଲା। କୋର୍ଟରେ ରହି ସେ ୩ଟି ସାର୍ଟିଫିକେଟ୍ ହାସଲ କରିଛନ୍ତି। ଜେଲରେ ରହି ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ସମ୍ପର୍କିତ ଅହିଂସା ପୁସ୍ତକ ଅଧ୍ୟୟନ କରିଛନ୍ତି। ଉତ୍ତମ ଆଚ୍ଚରଣ ପାଇଁ ତାଙ୍କ ସଜା କୋହଳ କରିଦିଆଯାଇଛି। ଏହା ସଙ୍ଗୀନ ଅପରାଧ ଶ୍ରେଣ୍‌ ହୋଇଥିବାରୁ ତାଙ୍କୁ ୧୦ ବର୍ଷରୁ ଅଧିକ ସଜା ଦିଆଯାଇଛି। 

ଏହି ଖବରଟିକୁ ପଢନ୍ତୁ-  ଭାରତରେ ବିରଳ, ରୋଗୀଙ୍କ ଚେତା ଥାଇ ମସ୍ତିଷ୍କରେ ଅସ୍ତ୍ରୋପଚାର