କଟକ, ୦୪/୦୯: କଟକ ଦଶହରା ପାଇଁ ଜିଲ୍ଲା ପ୍ରଶାସନ ଜାରୀ କରିଥିବା SOP କୁ କାଏମ ରଖିଛନ୍ତି ହାଇକୋର୍ଟ। କିନ୍ତୁ ସାଜସଜା ଠାରୁ ଆରମ୍ଭ କରି ତୋରଣ ନିର୍ମାଣ କାର୍ଯ୍ୟ ସବୁ କିଛି ରାତିରେ ହେବ। ଏବଂ ପୂଜା ସରିବାର ନିର୍ଦ୍ଧିଷ୍ଟ ଅବଧି ଭିତରେ ସମସ୍ତ ତୋରଣ ଖୋଲିବାକୁ ହେବ ବୋଲି କହିଛନ୍ତି ହାଇକୋର୍ଟ।

ତେବେ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ପୂର୍ବରୁ ଯେଉଁ କଟକଣା ଜାରୀ ହୋଇଛି ତାହା ବଳବତ୍ତର ରହିଛି। କୌଣସି ପରିସ୍ଥିତିରେ ଡି ଜେ ବାଜିବ ନାହିଁ ଏବଂ ଉଚ୍ଚାରିତ ଶବ୍ଦ ୬୫ ଡେସିବଲ ଭିତରେ ସୀମିତ ରଖିବାକୁ ଆଜି ପୋଲିସକୁ ନିର୍ଦେଶ ହୋଇଛି। ଦଶହରା ପାଳନ ଲାଗି ନିକଟରେ ଜିଲ୍ଲାପାଳ SOP ଜାରୀ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛିକି ପୂଜା ମଣ୍ଡପରେ ହେବାକୁ ଥିବା ସାଜସଜା ଏବଂ ତୋରଣ ନିର୍ମାଣ ଲାଗି ପ୍ରଥମେ ଡିଜାଇନ ପ୍ରସ୍ତୁତ କରିବାକୁ ହେବ। ତାକୁ ନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ, ସିଏମସି ଏବଂ ଅଗ୍ନିଶମ ବାହିନୀ କ୍ଳିଅରାନ୍ସ ଦେବା ପରେ ନିର୍ମାଣ କାମ ହେବ। ପରେ ଉକ୍ତ ନିର୍ମାଣ କାର୍ଯ୍ୟର ତଦାରଖ କରାଯାଇ NOC ପ୍ରଦାନ କରାଯିବ।

ତେବେ ପାର୍ବଣ ବେଳେ ଯେପରି ବାୟୁ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ନହେବ ସେନେଇ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବାଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।