• ଢେଙ୍କାନାଳରେ ହେବ ୩ ଶିଳ୍ପ
  • ଡେଙ୍କାନାଳରେ ହେବ ନୂଆ ଷ୍ଟିଲ ଓ ପାଓ୍ବର ପ୍ଲାଣ୍ଟ
  • ଖୋର୍ଦ୍ଧାରେ ଆଉ ଏକ ସେମିକଣ୍ଟକ୍ଟର ପ୍ଲାଣ୍ଟ

ଭୁବନେଶ୍ବର, ୮।୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪୩ ତମ ହାଇଲେବଲ କ୍ଲିଅରାନ୍ସ ଅଥୋରିଟି (ଏଚଏଲସିଏ) ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ୫୫,୭୮୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ଯାହା ୧୪୫୦୭ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥିରେ ୩୫ ହଜାର କୋଟି ଟଙ୍କାର ମେଗା ଇସ୍ପାତ ପ୍ରକଳ୍ପ ଅନୁମୋଦନକୁ ମିଳିଛି।

ଏଥିରେ ଇସ୍ପାତ, ଅଟୋମୋବାଇଲ୍ ଏବଂ ଅଟୋ-ଉପାଦାନ, ସେମିକଣ୍ଡକ୍ଟର, ଶିଳ୍ପ ଗ୍ୟାସ୍, ଫେରୋଆଲଏଜ୍ , ବିଦ୍ୟୁତ୍ ଏବଂ ନବୀକରଣୀୟ ଶକ୍ତି ଶିଳ୍ପ ପ୍ରକଳ୍ପ ରହିଛି। ଢେଙ୍କାନାଳ, ଗଞ୍ଜାମ, କେଉଁଝର ଏବଂ ଖୋର୍ଦ୍ଧା ଭଳି ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ହେବ। କେବଳ ଢେଙ୍କାନାଳରେ ୩ଟି ଶିଳ୍ପ ପ୍ରକଳ୍ପ ହେବ। ଏହି ଅନୁମୋଦନଗୁଡ଼ିକ ରାଜ୍ୟ ସରକାରଙ୍କ ଶିଳ୍ପ ବିକାଶକୁ ଦ୍ରୁତ ଗତିରେ ପହଞ୍ଚାଇବ। ବିଭିନ୍ନ ନିବେଶକୁ ଆକର୍ଷିତ କରିବ ଏବଂ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଇସ୍ପାତ କ୍ଷେତ୍ରରେ ସାଫ୍ରନ୍ ରିସୋର୍ସସ୍ ପ୍ରାଇଭେଟ୍ ଲିମିଟେଡ୍ (JSW ଗ୍ରୁପ୍ର ଏକ କମ୍ପାନୀ) ଢେଙ୍କାନାଳରେ ୬ MTPA ଇସ୍ପାତ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୩୫ ହଜାର କୋଟିର ଏକ ବୃହତ୍ ନିବେଶ କରିବ। କେବଳ ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଯାହା ଦେଶର ଏକ ପ୍ରମୁଖ ଇସ୍ପାତ ଉତ୍ପାଦନ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ।

ଜିନ୍ଦଲ ପଲି ଫିଲ୍ମସ୍ ଲିମିଟେଡ୍ ଗଞ୍ଜାମରେ ୧୨ ହଜାର କୋଟିର ନିବେଶ ପ୍ରସ୍ତାବ ଦେଇଛି। ୦.୫ MTPA ଟାଇଟାନିୟମ୍ ଡାଇଅକ୍ସାଇଡ୍ ପିଗ୍ମେଣ୍ଟ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯିବ। ଯାହା ୪ ହଜାର ନିଯୁକ୍ତି ସୃଷ୍ଟି କରିବ । ଅଟୋମୋବାଇଲ୍ ଏବଂ ଅଟୋ-ଉପାଦାନ କ୍ଷେତ୍ରରେ ଏକ ପ୍ରତିଷ୍ଠିତ କମ୍ପାନୀ ଗଞ୍ଜାମରେ ଟାୟାର, କାର୍ବନ ବ୍ଲାକ୍ ଏବଂ ଜିଙ୍କ୍ ଅକ୍ସାଇଡ୍ ପାଇଁ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥି ପାଇଁ ୧୬୯୭ କୋଟି ନିବେଶ କରିବ।

ସାନକୋଡ୍ ସେମି ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୬୪୯.୯୮ କୋଟି ନିବେଶ ସହିତ ଏକ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ୍ ଟେଷ୍ଟିଂ (OSAT) ୟୁନିଟ୍ ସ୍ଥାପନ କରିବ। ଯାହା ୫୭୦ ନିଯୁକ୍ତି ସୃଷ୍ଟି କରିବ ।

ଆଇନକ୍ସ ଏୟାର ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଢେଙ୍କାନାଳରେ ଏକ ଏୟାର ସେପାରେସନ ୟୁନିଟ୍ ସ୍ଥାପନ ପାଇଁ ୧୩୦୦ କୋଟି ନିବେଶ ପ୍ରସ୍ତାବ ଦେଇଛି। ଫେରୋ ଆଲୟଜ୍ କର୍ପୋରେସନ୍ ଲିମିଟେଡ୍ କେଉଁଝରରେ ୨ ହଜାର କୋଟି ନିବେଶ କରିବ। ଫେରୋ ମାଙ୍ଗାନିଜ୍, ସିଲିକୋ ମାଙ୍ଗାନିଜ୍, ମାଙ୍ଗାନିଜ୍ ଅୟର୍କ ବେନିଫିସିଏସନ୍ ସୁବିଧା ସହ ୧୦୦ ମେଗାଓ୍ବାଣ୍ଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଯାହା ୭୭୨ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସେହିପରି ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ୍ ଢେଙ୍କାନାଳରେ ୩୫୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ପାଇଁ ୨୧୩୬.୦୨ କୋଟି କୋଟି ନିବେଶ କରିବ। ଯାହା ୩୦୦ ନିଯୁକ୍ତି ସୃଷ୍ଟି କରିବ ଏବଂ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବ।