ନୂଆଦିଲ୍ଲୀ,୨୮।୫: ନିଟ୍ ପେପର ଲିକ୍ ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ହୋଇଛି ବଡ ଧରଣର ବୈଠକ। ମିଳିଥିବା ସୂଚନା ଅନୁସାରେ, ବୈଠକରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ପ୍ରଧାନମନ୍ତ୍ରୀ ଅଫିସର ବହୁ ବଡ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଏନ୍ଟିଏର ମହାନିର୍ଦେଶକ ଅଭିଷେକ ସିଂହ ବି ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଟ୍ ପେପର ଲିକ୍ ସମସ୍ୟା ଉପରେ ଆଲୋଚନା କରିବା ଏବଂ ସମାଧାନ ଖୋଜିବା ପାଇଁ ଏହି ବୈଠକ ଡକାଯାଇଥିଲା। ବୈଠକରେ ନିଟ୍ ପରୀକ୍ଷା ବିଷୟରେ ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ଦୂର କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏନଟିଏ ମହାନିର୍ଦ୍ଦେଶକ ଅଭିଷେକ ସିଂହଙ୍କୁ ବୈଠକରେ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇଥିଲା।
ନିଟ୍ ପେପର୍ ଲିକ୍ ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ନିରନ୍ତର ଜାରି ରହିଛି। ଏହି ପ୍ରସଙ୍ଗରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହିତ ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହାର ଜବାବରେ, କେନ୍ଦ୍ର ସରକାର ଏହି ମାମଲାର ସମୀକ୍ଷା ଆରମ୍ଭ କରିଛନ୍ତି। ନିଟ୍ ପରୀକ୍ଷା ୨ ମଇ ୨୦୨୬ ରେ ଅନୁଷ୍ଠିତ ହୋଇଥିଲା ଏବଂ ପେପର୍ ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ସରକାର ପରୀକ୍ଷାକୁ ବାତିଲ କରିଥିଲେ। ଏପର୍ଯ୍ୟନ୍ତ ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ଏହି ଘଟଣାର ତଦନ୍ତ କରୁଛି।
ଉଲ୍ଲେଖନୀୟ ଯେ, ଲୋକସଭାରେ ବିରୋଧି ଦଳ ନେତା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅଖିଳେଶ ଯାଦବ ଓ ବିରୋଧିଙ୍କ ବହୁ ବରିଷ୍ଠ ନେତା ମଧ୍ୟ ଏହି ମାମଲାକୁ ଉଠାଇ ସାରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜସ୍ଥାନର ସିକରରେ ଆତ୍ମହତ୍ୟା କରିଥିବା ଜଣେ ନିଟ୍ ପରୀକ୍ଷାର୍ଥୀଙ୍କ ପରିବାର ଲୋକଙ୍କୁ ନିକଟରେ ଭେଟିଥିଲେ।
ଆହୁରି ପଢନ୍ତୁ : Asia Pacific Security Report: ଭାରତ ଆଗରେ ଦୁଇଗୁଣା ବିପଦ ? ଡରାଉଛି IISS ର ୧୫୦ ପୃଷ୍ଠାର ରିପୋର୍ଟ