ୱାଶିଂଟନ ଡିସି, ୧୮/୧୨ : ଆମେରିକାର ବହୁଚର୍ଚ୍ଚିତ ଏପ୍‌ଷ୍ଟିନ୍‌ ସେକ୍ସ ସ୍କାଣ୍ଡାଲ୍‌ ଫାଇଲ୍‌କୁ ନେଇ ବିଶ୍ୱବ୍ୟାପୀ ନେତା ଓ ବ୍ୟବସାୟୀ ଥରହର । ଆସନ୍ତା ୧୯ ତାରିଖରେ ଏହି ଫାଇଲ୍‌ ଖୋଲିବା ସମ୍ଭାବନା ଅଛି । ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ । ଏହାପରେ ହାଇପ୍ରୋଫାଇଲ୍‌ ବ୍ୟକ୍ତିବିଶେଷଙ୍କ ଯୌନ କେଳେଙ୍କାରୀ ଦୁନିଆ ସାମ୍ନାକୁ ଆସିବ । ଆମେରିକାର ଟ୍ରମ୍ପ୍‌ ପ୍ରଶାସନ କୁଖ୍ୟାତ ଯୌନ ଅପରାଧୀ ଜେଫ୍ରୀ ଏପ୍‌ଷ୍ଟିନ୍‌ଙ୍କ ସହ ଜଡ଼ିତ ଅନେକ ଦଶନ୍ଧିର ସରକାରୀ ରେକର୍ଡକୁ ସାର୍ବଜନୀନ କରିପାରେ ।

ସାମ୍ନାକୁ ଆସିବ ହଜାରେ ପୃଷ୍ଠାର ରେକର୍ଡ

ଗତ ମାସରେ ଆମେରିକୀୟ ସଂସଦର ଉଭୟ ଗୃହରେ ଏପ୍‌ଷ୍ଟିନ୍‌ ଫାଇଲ୍‌କୁ ସାର୍ବଜନୀନ କରିବା ସଂକ୍ରାନ୍ତ ବିଲ୍‌ ଭାରୀ ବହୁମତରେ ପାରିତ ହୋଇଥିଲା । ନିଜ ଭିଟୋ କ୍ଷମତା ବ୍ୟବହାର କରି ବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ରୋକିପାରି ନ ଥାନ୍ତେ । ତେଣୁ ଅନିଚ୍ଛା ସତ୍ତ୍ଵେ ଟ୍ରମ୍ପ୍‌ ଏହି ବିଲ୍‌ରେ ଦସ୍ତଖତ କରିଥିଲେ । ନିୟମ ଅନୁସାରେ, ୩୦ ଦିନ ଭିତରେ ନ୍ୟାୟ ବିଭାଗ ଏପ୍‌ଷ୍ଟିନ୍‌ ଫାଇଲ୍‌କୁ ସାର୍ବଜନୀନ କରିବ । ଏହି ୩୦ ଦିନିଆ ଅବଧି ୧୮ ତାରିଖରେ ଶେଷ ହେଉଛି । ଟ୍ରମ୍ପ୍‌ ପ୍ରଶାସନ କେତେ ଫାଇଲ୍‌ ଜାରି କରିବ, ତାହା ନେଇ କିଛି ଧାର୍ଯ୍ୟ ହୋଇନାହିଁ । କିନ୍ତୁ ହଜାର ହଜାର ପୃଷ୍ଠାର ରେକର୍ଡ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି । ଫାଇଲ୍‌ ଖୋଲିବା ଦ୍ୱାରା ଏପ୍‌ଷ୍ଟିନ୍‌ ମାମଲା ସହ ଜଡ଼ିତ ଇ-ମେଲ୍‌, ଫଟୋ ଓ ଦସ୍ତାବିଜ ଆଦି ସାର୍ବଜନୀନ ହେବ । ଏପ୍‌ଷ୍ଟିନ୍‌ଙ୍କ ତମାମ ନେଟ୍‌ୱର୍କକୁ ସର୍ବସମ୍ମୁଖକୁ ଆଣିବା ଏହାର ଉଦ୍ଦେଶ୍ୟ । ଏହାକୁ ନେଇ ସଙ୍ଗିନ ଅଭିଯୋଗ ରହିଛି ।

କିଛି ଭାରତୀୟଙ୍କ ନାମ ଥିବା ନେଇ ଚର୍ଚ୍ଚା

ଅଭିଯୋଗ ଅନୁସାରେ, ଏହି ନେଟ୍‌ୱର୍କରେ ନାବାଳିକାଙ୍କୁ ଯୌନ ଶୋଷଣ କରାଯାଇଥିଲା । ଏଥିରେ ବିଶ୍ୱର ପ୍ରଭାବଶାଳୀ ନେତା ଓ ବ୍ୟବସାୟୀ ସମ୍ପୃକ୍ତ ଥିଲେ । ମାମଲା ସହ ଜଡ଼ିତ ୧୯ଟି ଫଟୋ ଗତ ୧୨ ତାରିଖରେ ସାମ୍ନାକୁ ଆସିଥିଲା । ଏଥିରୁ ତିନୋଟି ଫଟୋ ଟ୍ରମ୍ପ୍‌ଙ୍କର ଥିଲା । ଏହାଛଡ଼ା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ, ଅରବପତି ବିଲ୍‌ ଗେଟ୍‌ସଙ୍କ ଭଳି ହାଇପ୍ରୋଫାଇଲ୍‌ ଲୋକଙ୍କ ଫଟୋ ବି ସାମ୍ନାକୁ ଆସିଥିଲା । ବଡ଼ କଥା ହେଉଛି ଜେଫ୍ରୀ ଏପ୍‌ଷ୍ଟିନ୍‌ଙ୍କର ଏହି ନେଟ୍‌ୱର୍କରେ କେବଳ ଆମେରିକୀୟ ନାହାନ୍ତି, ବରଂ ବିଶ୍ୱବ୍ୟାପୀ ରାଜନେତା ଓ ବ୍ୟବସାୟୀ ବି ସଂଶ୍ଳିଷ୍ଟ ଅଛନ୍ତି । ଏହାକୁ ନେଇ ସେମାନେ ଏବେ ଗଭୀର ଚିନ୍ତାରେ । ସେମାନଙ୍କ ଯୌନ କେଳେଙ୍କାରୀ ପର୍ଦ୍ଦାଫାସ ହେବାକୁ ଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର କୌଣସି ନାଗରିକ ଏହି ମାମଲାରେ ଜଡ଼ିତ ଅଛନ୍ତି କି ନାହିଁ, ତାହା ସାର୍ବଜନୀନ ହୋଇନାହିଁ । ଏଥିରେ ଭାରତର କିଛି ମନ୍ତ୍ରୀ, ସାଂସଦ ଏବଂ ପୂର୍ବତନ ମନ୍ତ୍ରୀଙ୍କ ନାମ ଥାଇପାରେ ବୋଲି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଥିଲେ । ହେଲେ ଆମେରିକାର ନ୍ୟାୟ ବିଭାଗ ଏ ବାବଦରେ ଅଦ୍ୟାବଧି କୌଣସି ସଙ୍କେତ ଦେଇନାହିଁ ।

ବିଶ୍ୱବ୍ୟାପୀ ନେତା-ବ୍ୟବସାୟୀ ଥରହର

ଜେଫ୍ରୀ ଏପ୍‌ଷ୍ଟିନ୍‌ଙ୍କ ନେଟ୍‌ୱର୍କରେ ବିଶ୍ୱବ୍ୟାପୀ ଅନେକ ନେତା ଓ ବ୍ୟବସାୟୀଙ୍କ ନାମ ରହିଥିବା କୁହାଯାଉଛି । ତେଣୁ ସେମାନେ ଏବେଠାରୁ ଭୟଭୀତ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ଏହି ଫାଇଲ୍‌ର ଉନ୍ମୋଚନକୁ ବିଶ୍ୱବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଏହା ପୂର୍ବରୁ ଏପ୍‌ଷ୍ଟିନ୍‌ ଫାଇଲ୍‌ ସହ ଜଡ଼ିତ କିଛି ଫଟୋ ସାମ୍ନାକୁ ଆସିଥିଲା । ଗୋଟିଏ ଫଟୋରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୬ ଜଣ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା । ତେବେ ଯୁବତୀମାନଙ୍କ ମୁହଁ ଲୁଚାଯାଇଥିଲା । ଆଉ ଏକ ଫଟୋରେ ଟ୍ରମ୍ପ୍‌ ଓ ଏପ୍‌ଷ୍ଟିନ୍‌ଙ୍କୁ ଜନୈକ ମହିଳାଙ୍କ ସହ ଦେଖିବାକୁ ମିଳିଛି । କିନ୍ତୁ ଏହି ମହିଳା ଜଣକ କିଏ, ତାହା ଅଦ୍ୟାବଧି ଜଣାପଡ଼ି ନାହିଁ । ଅନ୍ୟ ଏକ ଫଟୋରେ ଟ୍ରମ୍ପ୍‌ ଜଣେ ମହିଳାଙ୍କ ସହ ବସିଥିବା ଦେଖିବାକୁ ମିଳିଛି । ମହିଳା ଜଣକର ମୁହଁ ଲୁଚାଯାଇଛି । ଏପ୍‌ଷ୍ଟିନ୍‌ ସେକ୍ସ ସ୍କାଣ୍ଡାଲ ସହ ଜଡ଼ିତ ନୂଆ ଫଟୋକୁ ହାଉସ୍‌ ଓଭରସାଇଟ୍‌ କମିଟିର ଡେମୋକ୍ରାଟ୍‌ମାନେ ଜାରି କରିଛନ୍ତି । ଏଥିରେ ୯ ଜଣଙ୍କ ନାମ ସାମ୍ନାକୁ ଆସିଛି । ତେବେ ଏହି ଫଟୋଗୁଡ଼ିକ କାହାକୁ ଅପରାଧୀ ଭାବେ ପ୍ରମାଣିତ କରୁନାହିଁ । କିନ୍ତୁ ଏପ୍‌ଷ୍ଟିନ୍‌ଙ୍କ ସହ ଥିବାରୁ ଏମାନେ ବିବାଦୀୟ ହୋଇପଡ଼ିଛନ୍ତି । ଏମାନେ ହେଉଛନ୍ତି, ଟ୍ରମ୍ପ୍‌, କ୍ଲିଣ୍ଟନ, ବିଲ୍‌ ଗେଟ୍‌ସ, ବ୍ରିଟେନ୍‌ ରାଜାଙ୍କ ଭାଇ ପ୍ରିନ୍ସ ଆଣ୍ଡ୍ରିଉ, ଟ୍ରମ୍ପ୍‌ଙ୍କ ପୂର୍ବତନ ପରାମର୍ଶଦାତା ଷ୍ଟିଭ୍‌ ବ୍ୟାନନ୍‌, ହାୱାର୍ଡ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଲ୍ୟାରୀ ସମର୍ସ, ଫିଲ୍ମ ନିର୍ମାତା ଉଡୀ ଏଲନ୍‌, ବ୍ୟବସାୟୀ ରିଚାର୍ଡ ବ୍ରାନ୍‌ସନ ଏବଂ ପ୍ରସିଦ୍ଧ ଓକିଲ ଏଲନ୍‌ ଡର୍ଶୋୱିଟ୍‌ଜ । ଗୋଟିଏ ଫଟୋରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କୁ ଏପ୍‌ଷ୍ଟିନ୍‌ ଓ ତାଙ୍କ ପ୍ରେମିକା ଗିସ୍ଲେନ୍‌ ମ୍ୟାକ୍ସୱେଲଙ୍କ ସହ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ‘ମି ଟୁ’ ଆନ୍ଦୋଳନ

ଯୌନ କେଳେଙ୍କାରୀ ମାମଲାରେ ପ୍ରାଥମିକ ତଦନ୍ତ ପରେ ବି ଏପ୍‌ଷ୍ଟିନ୍‌ଙ୍କୁ ଅଧିକ ଦିନ ଜେଲଦଣ୍ଡ ହୋଇ ନ ଥିଲା । ୨୦୦୮ରେ ତାଙ୍କୁ ମାତ୍ର ୧୩ ମାସ ଜେଲଦଣ୍ଡ ହୋଇଥିଲା । ୨୦୦୯ରେ ଜେଲ୍‌ରୁ ବାହାରିବା ପରେ ଏପ୍‌ଷ୍ଟିନ୍‌ ଆଉ ପ୍ରଭାବୀ ହୋଇ ନ ଥିଲେ । ଏହାର ଠିକ୍‌ ୮ ବର୍ଷ ପରେ ଆମେରିକାରେ ‘ମି ଟୁ’ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୨୦୧୭ରେ ନ୍ୟୁୟର୍କ ଟାଇମ୍ସରେ ହଲିଉଡ ନିର୍ମାତା ହାର୍ଭେ ୱେନ୍‌ଷ୍ଟିନ୍‌ଙ୍କ ବିରୋଧରେ କିଛି ରିପୋର୍ଟ ଛାପିଥିଲା । ଏହାପରେ ଲକ୍ଷ ଲକ୍ଷ ମହିଳା ସୋସିଆଲ ମିଡିଆରେ ‘ମି ଟୁ’ ଲେଖି ନିଜ ଉପରେ ହୋଇଥିବା ଯୌନ ଶୋଷଣର କାହାଣୀ ସେୟାର କରିଥିଲେ । ଏମାନଙ୍କ ମଧ୍ୟରେ ଭର୍ଜିନିଆ ଗିଫ୍ରେ ନାମ୍ନୀ ଜଣେ ଯୁବତୀ ବି ଥିଲେ । ସେ ଏପ୍‌ଷ୍ଟିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ତାଙ୍କ ସହ ୩ ବର୍ଷ ଧରି ଯୌନ ଶୋଷଣ ହୋଇଥିବା ସେ କହିଥିଲେ । ଏହାପରେ ପ୍ରାୟ ୮୦ ଜଣ ମହିଳା ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ଭର୍ଜିନିଆ ଗିଫ୍ରେଙ୍କ ଅନୁସାରେ ତାଙ୍କୁ ୧୬ ବର୍ଷ ହୋଇଥିଲା ବେଳେ ସେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କ୍ଲବ ମାର୍‌-ଏ-ଲାଗୋରେ କାମ କରୁଥିଲେ । ଏହି ସମୟରେ ଗିସ୍ଲେନ୍‌ ମ୍ୟାକ୍ସୱେଲଙ୍କ ସହ ତାଙ୍କର ଦେଖା ହୋଇଥିଲା । ଏହାପରେ ତାଙ୍କୁ ପ୍ରାଇଭେଟ୍‌ ଜେଟ୍‌ରେ ବିଶ୍ୱବ୍ୟାପୀ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ସେଠାରେ ପ୍ରଭାବଶାଳୀ ଲୋକମାନଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା । ଗିଫ୍ରେ ପ୍ରିନ୍ସ ଆଣ୍ଡ୍ରିଉଙ୍କ ବିରୋଧରେ ବି ଅଭିଯୋଗ ଆଣିଥିଲେ । ଟ୍ରମ୍ପ୍‌ଙ୍କ ନାମ ସେ ନେଇ ନ ଥିଲେ । କିନ୍ତୁ ତାଙ୍କ ମାର୍‌-ଏ-ଲାଗୋରେ ହିଁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ଏପ୍ରିଲରେ ଗିଫ୍ରେଙ୍କର ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ୨୦୧୯ ଅଗଷ୍ଟ ୧୦ରେ ଜେଫ୍ରୀ ଏପ୍‌ଷ୍ଟିନ୍‌ଙ୍କୁ ଜେଲରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା । ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ମେଡିକାଲ ଓ ଆଇନ ବିଶେଷଜ୍ଞମାନେ ଏହା ଉପରେ ଅଙ୍ଗୁଳି ଉଠାଇଥିଲେ ।