ଭୁବନେଶ୍ୱର,୧୦/୦୬: ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ାଯାଉଥିବା ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ହେବ । ୫୦ରୁ ଅଧିକ ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମର ପୁସ୍ତକ, ୪୦୦ରୁ ଅଧିକ ସ୍ନାତକସ୍ତରର ବହି ଓ ୨୦୦ରୁ ଅଧିକ ସ୍ନାତକୋତ୍ତର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ । ଏହିପରି ୬୫୦ରୁ ଅଧିକ ପୁସ୍ତକର ଅନୁବାଦ ହେବ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ୨ ବର୍ଷ ମଧ୍ୟରେ ଏହି କାର୍ଯ୍ୟ କରାଯିବ । ଏନେଇ ସୋମବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଇଗ୍ନୋ ମଧ୍ୟରେ ବୁଝାମଣା ପତ୍ର(ଏମ୍ଓୟୁ) ସ୍ୱାକ୍ଷର ହୋଇଛି ।
ଲୋକସେବା ଭବନରେ ଆୟୋଜିତ ଏହି ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପାଠ୍ୟପୁସ୍ତକ, ପାଠପଢ଼ା ଓଡ଼ିଆରେ ହେଲେ ହିଁ ଜିଇଆର ବୃଦ୍ଧି ହୋଇପାରିବ । ଏହି ଏମ୍ଓୟୁ ଓଡ଼ିଶାର ଉଚ୍ଚଶିକ୍ଷାକୁ ଅଧିକ ସମ୍ବେଦନଶୀଳ ଓ ସୁଦୃଢ଼ କରିବ । କେହି ଯେମିତି ଶିକ୍ଷାଲାଭରୁ ବଞ୍ଚିତ ନହେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି ୨୦୨୦ର ବୈଜ୍ଞାନିକ ବିଶ୍ଲେଷଣକୁ ଆଖି ଆଗରେ ରଖି ମାତୃଭାଷାରେ ଶିକ୍ଷାଦାନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ୨୦୦୭ ମସିହାରେ ଇଗ୍ନୋ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ମାତ୍ର ତାହା ଫଳପ୍ରଦ ହୋଇପାରି ନଥିଲା ।
କେବଳ ଯେ ଅନୁବାଦ ହେବ ତାହା ନୁହେଁ, ଏହାକୁ ଡିଜିଟାଲ ପୁସ୍ତକ କରାଯିବ । ଇ-ପୁସ୍ତକକୁ ଗୁରୁତ୍ୱ ଦିଆଯିବ । ଇଗ୍ନୋର କଣ୍ଟେଣ୍ଟକୁ ଓଡ଼ିଆରେ ଅନୁବାଦ କରାଯିବ । କେବଳ ଏତିକି ନୁହେଁ, ଜାତୀୟସ୍ତରର ଜିଇଆର୍ ହାର ଅଧିକ ଥିବା ବେଳେ ରାଜ୍ୟର ହାର କମ୍ ରହିଛି । ଓଡ଼ିଶାର ଜିଇଆର୍ ୨୨.୧ ରହିଛି । ଅର୍ଥାତ୍ ୧୦୦ ଜଣ ପିଲା ଯଦି ମାଧ୍ୟମିକ ଶିକ୍ଷାଲାଭ କରନ୍ତି, ସେମାନଙ୍କ ମଧ୍ୟରୁ ୨୨ ଜଣ ଉଚ୍ଚଶିକ୍ଷା ପାଇଁ ଆସୁଛନ୍ତି । ବାକି ପିଲା ଡ୍ରପ୍ଆଉଟ୍ ହେଉଛନ୍ତି । ୨୦୩୬ ମସିହା ବେଳକୁ ଏହି ଜିଇଆରକୁ ବୃଦ୍ଧି କରି ୫୦ ପ୍ରତିଶତରେ ପହଞ୍ଚାଯିବ । ଏହି ଏମ୍ଓୟୁ ଜିଇଆର ବଢ଼ାଇବ, ଡ୍ରପ୍ଆଉଟ କମାଇବାରେ ବଡ଼ ଭୂମିକା ଗ୍ରହଣ କରିବ ।
ଅନୁବାଦ ମେସିନାରୀ ହେବା ପରେ ଏହାକୁ ଉଚ୍ଚଶିକ୍ଷା ବିଭାଗ ଭାଷା ଏକ୍ସପର୍ଟଙ୍କ ଦ୍ୱାରା ସମୀକ୍ଷା କରାଯିବ । ପରେ ପୁସ୍ତକ ପ୍ରକାଶ ପାଇବ। ଇଗ୍ନୋ ଅନୁବାଦ ପାଇଁ କୋର୍ସ ମ୍ୟାଟେରିଆଲ ଯୋଗାଇବ । ଟେକ୍ନିକାଲ ଓ ଏକାଡେମିକ୍ ଗାଇଡ୍ କରିବ । ଏହାକୁ ସମୀକ୍ଷା କରିବା ସହ ଗୁଣାତ୍ମକ ଅନୁବାଦ ଉପକରଣ ଯୋଗାଇ ଦେବ। ଏଥିପାଇଁ ଏକ ଯୁଗ୍ମ ସଂଯୋଜନା କମିଟି (ଜେସିସି) ଗଠନ ହେବ । ଏହି କମିଟିରେ ଇଗ୍ନୋର କୁଳପତି, ଉଚ୍ଚଶିକ୍ଷା ବିଭାଗ ସଚିବ, ଇଗ୍ନୋର ମନୋନୀତି ୨ଜଣ ନୋମିନି ଓ ଉଚ୍ଚଶିକ୍ଷା ବିଭାଗର ମନୋନୀତ ୨ଜଣ ନୋମିନି ରହିବେ ।
ଆଜିର କାର୍ଯ୍ୟକ୍ରମରେ ଇଗ୍ନୋର କୁଳପତି ପ୍ରଫେସର ଉମା କାଞ୍ଜିଲାଲ୍, କୁଳସଚିବ ଆଲୋକ ଚୌବେ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।