ଭୁବନେଶ୍ୱର,୧୦/୦୬: ଇନ୍ଦିରା ଗାନ୍ଧି ଜାତୀୟ  ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ାଯାଉଥିବା ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ହେବ । ୫୦ରୁ  ଅଧିକ ଡିପ୍ଲୋମା ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମର ପୁସ୍ତକ, ୪୦୦ରୁ ଅଧିକ ସ୍ନାତକସ୍ତରର ବହି ଓ  ୨୦୦ରୁ ଅଧିକ ସ୍ନାତକୋତ୍ତର ପୁସ୍ତକକୁ ଓଡ଼ିଆରେ  ଅନୁବାଦ କରାଯିବ । ଏହିପରି ୬୫୦ରୁ ଅଧିକ ପୁସ୍ତକର ଅନୁବାଦ ହେବ । ଏଥିପାଇଁ ଉଚ୍ଚଶିକ୍ଷା  ବିଭାଗ ୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ୨  ବର୍ଷ ମଧ୍ୟରେ ଏହି କାର୍ଯ୍ୟ କରାଯିବ । ଏନେଇ ସୋମବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ଇଗ୍ନୋ ମଧ୍ୟରେ ବୁଝାମଣା  ପତ୍ର(ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି । 

ଲୋକସେବା ଭବନରେ ଆୟୋଜିତ ଏହି  ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପାଠ୍ୟପୁସ୍ତକ, ପାଠପଢ଼ା ଓଡ଼ିଆରେ ହେଲେ ହିଁ  ଜିଇଆର ବୃଦ୍ଧି ହୋଇପାରିବ । ଏହି ଏମ୍‌ଓୟୁ  ଓଡ଼ିଶାର ଉଚ୍ଚଶିକ୍ଷାକୁ ଅଧିକ ସମ୍ବେଦନଶୀଳ ଓ  ସୁଦୃଢ଼ କରିବ । କେହି ଯେମିତି ଶିକ୍ଷାଲାଭରୁ  ବଞ୍ଚିତ ନହେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ  ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି ୨୦୨୦ର ବୈଜ୍ଞାନିକ  ବିଶ୍ଲେଷଣକୁ ଆଖି ଆଗରେ ରଖି ମାତୃଭାଷାରେ  ଶିକ୍ଷାଦାନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।  ୨୦୦୭ ମସିହାରେ ଇଗ୍ନୋ ସହ ଏକ ବୁଝାମଣା  ପତ୍ର ସ୍ୱାକ୍ଷର ହୋଇଥିଲା । ମାତ୍ର ତାହା ଫଳପ୍ରଦ  ହୋଇପାରି ନଥିଲା । 

କେବଳ ଯେ ଅନୁବାଦ ହେବ  ତାହା ନୁହେଁ, ଏହାକୁ ଡିଜିଟାଲ ପୁସ୍ତକ କରାଯିବ ।  ଇ-ପୁସ୍ତକକୁ ଗୁରୁତ୍ୱ ଦିଆଯିବ । ଇଗ୍ନୋର କଣ୍ଟେଣ୍ଟକୁ  ଓଡ଼ିଆରେ ଅନୁବାଦ କରାଯିବ । କେବଳ ଏତିକି ନୁହେଁ, ଜାତୀୟସ୍ତରର  ଜିଇଆର୍‌ ହାର ଅଧିକ ଥିବା ବେଳେ ରାଜ୍ୟର ହାର  କମ୍‌ ରହିଛି । ଓଡ଼ିଶାର ଜିଇଆର୍‌ ୨୨.୧ ରହିଛି । ଅର୍ଥାତ୍‌ ୧୦୦ ଜଣ ପିଲା ଯଦି ମାଧ୍ୟମିକ ଶିକ୍ଷାଲାଭ  କରନ୍ତି, ସେମାନଙ୍କ ମଧ୍ୟରୁ ୨୨ ଜଣ ଉଚ୍ଚଶିକ୍ଷା ପାଇଁ  ଆସୁଛନ୍ତି । ବାକି ପିଲା ଡ୍ରପ୍‌ଆଉଟ୍‌ ହେଉଛନ୍ତି ।  ୨୦୩୬ ମସିହା ବେଳକୁ ଏହି ଜିଇଆରକୁ ବୃଦ୍ଧି  କରି ୫୦ ପ୍ରତିଶତରେ ପହଞ୍ଚାଯିବ । ଏହି ଏମ୍‌ଓୟୁ  ଜିଇଆର ବଢ଼ାଇବ, ଡ୍ରପ୍‌ଆଉଟ କମାଇବାରେ ବଡ଼  ଭୂମିକା ଗ୍ରହଣ କରିବ । 

ଅନୁବାଦ ମେସିନାରୀ ହେବା ପରେ ଏହାକୁ  ଉଚ୍ଚଶିକ୍ଷା ବିଭାଗ ଭାଷା ଏକ୍ସପର୍ଟଙ୍କ ଦ୍ୱାରା ସମୀକ୍ଷା  କରାଯିବ । ପରେ ପୁସ୍ତକ ପ୍ରକାଶ ପାଇବ। ଇଗ୍ନୋ  ଅନୁବାଦ ପାଇଁ କୋର୍ସ ମ୍ୟାଟେରିଆଲ ଯୋଗାଇବ ।  ଟେକ୍ନିକାଲ ଓ ଏକାଡେମିକ୍‌ ଗାଇଡ୍‌ କରିବ । ଏହାକୁ  ସମୀକ୍ଷା କରିବା ସହ ଗୁଣାତ୍ମକ ଅନୁବାଦ ଉପକରଣ  ଯୋଗାଇ ଦେବ। ଏଥିପାଇଁ ଏକ ଯୁଗ୍ମ ସଂଯୋଜନା  କମିଟି (ଜେସିସି) ଗଠନ ହେବ । ଏହି କମିଟିରେ ଇଗ୍ନୋର କୁଳପତି, ଉଚ୍ଚଶିକ୍ଷା ବିଭାଗ ସଚିବ,  ଇଗ୍ନୋର ମନୋନୀତି ୨ଜଣ ନୋମିନି ଓ ଉଚ୍ଚଶିକ୍ଷା  ବିଭାଗର ମନୋନୀତ ୨ଜଣ ନୋମିନି ରହିବେ । 

ଆଜିର କାର୍ଯ୍ୟକ୍ରମରେ ଇଗ୍ନୋର କୁଳପତି  ପ୍ରଫେସର ଉମା କାଞ୍ଜିଲାଲ୍‌, କୁଳସଚିବ ଆଲୋକ  ଚୌବେ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର  ସଚିବ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।