ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏଣିକି ହ୍ୱାଇଟ୍‌ ଟପିଂ ଟେକ୍ନୋଲୋଜି ତିଆରି ହେବ ରାଜଧାନୀର ରାଜରାସ୍ତା, ୧ କିମି ରାସ୍ତା ପାଇଁ ସାଢ଼େ ୩ କୋଟି ଖର୍ଚ୍ଚ ହେବ

Published By : Prameya | November 5, 2024 12:36 PM

ଭୁବନେଶ୍ୱର,୦୫/୧୧(ସ୍ମୃତିରଞ୍ଜନ ବିଶ୍ୱାଳ): ୧୫  ବର୍ଷ ଯାଏ ରାସ୍ତାରେ ହାତ ବାଜିବନି । ଖଣ୍ଡିଆ  ହେବନି କି ମରାମତି ଦରକାର ପଡ଼ିବନି। ବିଶ୍ୱସ୍ତରୀୟ ହ୍ୱାଇଟ୍‌ ଟପିଂ ଫର୍ମୁଲାରେ ତିଆରି  ହେବ ରାଜଧାନୀର ରାଜରାସ୍ତା । ରାଜ୍ୟର ସମସ୍ତ  ସହରର ମୁଖ୍ୟ ରାସ୍ତାକୁ କଂକ୍ରିଟ୍‌ କରାଯିବ । ପ୍ରଥମେ  ଭୁବନେଶ୍ୱରର ନାଲ୍‌କୋ ଛକରୁ ଆଚାର୍ଯ୍ୟବିହାର  ରାସ୍ତାରେ ଏହାର ପରୀକ୍ଷଣ ହେବ ।  

ଓଡ଼ିଶାରେ ପ୍ରଥମଥର ପାଇଁ ହ୍ୱାଇଟ୍‌ ଟପିଂ ଟେକ୍ନୋଲୋଜି ପ୍ରୟୋଗ କରିବାକୁ ଯାଉଛି ପୂର୍ତ୍ତ  ବିଭାଗ । ଏଥିରେ ପିଚୁ ରାସ୍ତା ବା ବିଟୁମିନସ୍‌କୁ ଖୋଳି ତା ଉପରେ ହାଇ ଷ୍ଟ୍ରେନଥ୍‌ ସିମେଣ୍ଟ  କଂକ୍ରିଟ୍‌(ଉଚ୍ଚ ଶକ୍ତିସମ୍ପନ୍ନ ସିମେଣ୍ଟ କଂକ୍ରିଟ୍‌)  ବିଛାଯିବ । ପିଚୁ ରାସ୍ତାକୁ ପ୍ରଥମେ ପ୍ରାୟ  ଅଢ଼େଇ ଇଞ୍ଚ ସ୍କ୍ରାପିଂ ବା ଖୋଳି ଦିଆଯିବ ।  ଏହା ଉପରେ ୫ରୁ ୬ ଇଞ୍ଚର ପୋର୍ଟଲାଣ୍ଡ  ସିମେଣ୍ଟ କଂକ୍ରିଟ୍‌(ପିସିସି) ପକାଯିବ । କଂକ୍ରିଟ୍‌  ପକାଇବା ପରେ ୨୮ ଦିନ ଯାଏ ଏହା ଉପରେ ପାଣି  ଦିଆଯିବ । ଏହି ସ୍ୱତନ୍ତ୍ର ଧରଣର କଂକ୍ରିଟ ତିଆରି ପାଇଁ  ରାଜଧାନୀ ଉପକଣ୍ଠରେ ଏକ ପ୍ଲାଣ୍ଟ ବସିବ । ସିମେଣ୍ଟ  କଂକ୍ରିଟ୍‌ ସହିତ ପ୍ଲାଷ୍ଟିସାଇଜର ଓ ଅନ୍ୟ କେମିକାଲକୁ  ମିଶାଇ ଉଚ୍ଚ ଶକ୍ତିସମ୍ପନ୍ନ କଂକ୍ରିଟ୍‌ ପ୍ରସ୍ତୁତ ହେବ । ରାସ୍ତା  ନିର୍ମାଣରେ ଏହି କଂକ୍ରିଟ୍‌ ବ୍ୟବହାର ହେବ । 

ନାଲ୍‌କୋ ଛକରୁ ଆଚାର୍ଯ୍ୟବିହାର ରାସ୍ତାରେ  ପ୍ରାୟ ୧କିମି ରାସ୍ତାକୁ ପରୀକ୍ଷାମୂଳକ ଭାବେ  କଂକ୍ରିଟ୍‌ କରାଯିବ । କେବଳ ଗୋଟିଏ ପାଶ୍ୱର୍ରେ ପର୍ଯ୍ୟାୟକ୍ରମେ ଏହି କାମ ହେବ । ପ୍ରଥମେ  ଗୋଟିଏ ଲେନ୍‌ କାମ ସରିବା ପରେ ଅନ୍ୟ  ଲେନ୍‌ର କାମ ହେବ । ଏଥିପାଇଁ ପ୍ରାୟ ସାଢ଼େ  ୩ କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ତ୍ତ ବିଭାଗ ଏଥିପାଇଁ ଟେଣ୍ଡର ଆହ୍ୱାନ କରିଛି । ଟେଣ୍ଡର  ପ୍ରକ୍ରିୟା ସରିବା ପରେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଏହି ପରୀକ୍ଷଣ ସଫଳ  ହେଲେ ରାଜଧାନୀ ସମେତ ରାଜ୍ୟର ସମସ୍ତ  ସହରର ମୁଖ୍ୟ ରାସ୍ତା ଓ ଭିତର ରାସ୍ତାକୁ  ହ୍ୱାଇଟ୍‌ ଟପିଂ ଟେକ୍ନୋଲୋଜି ଜରିଆରେ  କଂକ୍ରିଟ୍‌ ରୂପ ଦିଆଯିବ ବୋଲି ପୂର୍ତ୍ତ ବିଭାଗର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପିଚୁ ରାସ୍ତାର ଅଧିକ ମରାମତି  ଦରକାର ହେଉଛି । ସାଧାରଣତଃ ପିଚୁ ରାସ୍ତାର  ସ୍ଥାୟିତ୍ୱ ସର୍ବାଧିକ ୩ରୁ ୫ ବର୍ଷ । ଏହା ପରେ  ପିଚୁ ରାସ୍ତାର ମରାମତି ଆବଶ୍ୟକ ପଡ଼େ ।  

ପିଚୁ ରାସ୍ତା ଖରାପ ହୋଇ ପାଥହୋଲ୍‌ ବା  ଖାଲଖମା ଭର୍ତ୍ତି ହୋଇଯାଉଛି । ପୁଣି ପ୍ରତିବର୍ଷ  ନୂଆ ପିଚୁ ଢଳା ହେଲେ ରାସ୍ତାର ଉଚ୍ଚତା ବଢୁଛି। ରାସ୍ତା ଉଚ୍ଚା ଓ ଲୋକଙ୍କ ଘର ନୀଚ୍ଚା  ହେଉଛି । ଲୋକଙ୍କ ଘରେ ପାଣି ପଶୁଛି । ଉଚ୍ଚ  ଶକ୍ତିସମ୍ପନ୍ନ କଂକ୍ରିଟ୍‌ ରାସ୍ତା ତିଅରି ହେଲେ ଏହାର ସ୍ଥାୟିତ୍ୱ ବଢ଼ିଯିବ । ହ୍ୱାଇଟ୍‌ ଟପିଂ  ଟେକ୍ନୋଲୋଜିରେ ରାସ୍ତାର ସ୍ଥାୟିତ୍ୱ ପ୍ରାୟ ୧୫  ବର୍ଷ ବଢ଼ିଯିବ । ନିର୍ମାଣଜନିତ ଫାଟ ରହିବନି  ଓ ରାସ୍ତା ଦବିବନି । ରାସ୍ତାରେ କ୍ରାକ୍‌ ନ ହେବା  ପାଇଁ କଂକ୍ରିଟ୍‌ ଭିତରେ ଫାଇବର୍‌ ଦିଆଯିବ । ଅଧିକ ତାପମାତ୍ରା ଯୋଗୁ ରାସ୍ତା ତାତିଲେ  ଓ ମାତ୍ରାଧିକ ଗାଡ଼ି ବା ଭାରୀ ଯାନ ଚଳାଚଳ  କଲେ ପିଚୁ ତରଳି ଦବିଯାଉଛି । ସହରର  ଅନେକ ରାସ୍ତାରେ ଏହା ବଡ଼ ସମସ୍ୟା ସୃଷ୍ଟି  କରୁଛି । କିନ୍ତୁ ସ୍ୱତନ୍ତ୍ର କଂକ୍ରିଟ୍‌ ରାସ୍ତାରେ ଏହି  ସମସ୍ୟା ଉଭେଇଯିବ । 

ଏହି ରାସ୍ତାର ରଙ୍ଗ  ଧଳା ହୋଇଥିବାରୁ ଏହା ଅଧିକ ତାତି  ପ୍ରତିଫଳନ କରିବ। ରାସ୍ତା ଆଉ ତାତି  ଶୋଷିବନି କି ପରେ ବାୟୁମଣ୍ଡଳକୁ ତାତି ଛାଡ଼ିବନି । ଏହି ହ୍ୱାଇଟ୍‌ ଟପିଂ ରାସ୍ତା ସହରର  ତାତି କମାଇବ । ଅରବାନ୍‌ ହିଟ୍‌ ଆଇଲାଣ୍ଡର  ପ୍ରଭାବକୁ କମାଇବ ଓ ଏହା ପରିବେଶ ଉପଯୋଗୀ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ  କୁହାଯାଇଛି । ବିଦେଶରେ ଏହି ଟେକ୍ନୋଲୋଜି ବହୁଳ ଭାବେ ବ୍ୟବହାର ହେଉଛି । ବିଭିନ୍ନ ଉନ୍ନତ ଦେଶ ସେମାନଙ୍କ ରାଜପଥ ଏହି  ଟେକ୍ନୋଲୋଜିରେ ତିଆରି କରୁଛନ୍ତି । କେନ୍ଦ୍ର  ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ରୋଡ୍‌ ରିସର୍ଚ୍ଚ  ଇନଷ୍ଟିଚ୍ୟୁଟ୍‌ (ସିଆରଆରଆଇ) ଦୀର୍ଘ  ଗବେଷଣା ପରେ ଏହି ଟେକ୍ନୋଲୋଜିକୁ  ପ୍ରୟୋଗ କରିବାକୁ ସବୁଜ ସଙ୍କେତ ଦେଇଛି ।  

ଗୁଜୁରାଟ, ମହାରାଷ୍ଟ୍ର ଓ ବେଙ୍ଗାଲୁରୁ  ଭଳି ସ୍ଥାନରେ ଏହି ଟେକ୍ନୋଲୋଜିରେ ରାସ୍ତା  ନିର୍ମାଣ ଚାଲିଛି । ପିଚୁ ରାସ୍ତା ତୁଳନାରେ  ଏହି ରାସ୍ତାର ଆୟୁଷ ଯଥେଷ୍ଟ ବଢ଼ିଯାଉଛି ।  ଫଳରେ ଦେଶର ଅନେକ ଜାତୀୟ ରାଜପଥ  କାମରେ ଏହି ଟେକ୍ନୋଲୋଜି ବ୍ୟବହାର  କରିବାକୁ ମନ୍ତ୍ରଣାଳୟ ଯୋଜନା କରିଛି ।  ବେଙ୍ଗାଲୁରୁରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚରେ  ୧୫୭ କିମି ଦୂର ରାସ୍ତାକୁ ହ୍ୱାଇଟ୍‌ ଟପିଂ ଟେକ୍ନୋଲୋଜିରେ ତିଆରି କରାଯାଉଛି ।  ପୂର୍ବରୁ ସୋନପୁର-ବଲାଙ୍ଗୀର ରାସ୍ତା ଓ  ବାଲୁଗାଁ ଜାତୀୟ ରାଜପଥର କିଛି ସ୍ଥାନକୁ  ପେଭମେଣ୍ଟ କ୍ୱାଲିଟି କଂକ୍ରିଟ୍‌ (ପିକ୍ୟୁସି)  ମାନରେ ତିଆରି କରାଯାଇଥିଲା । ଏବେ  ଓଡ଼ିଶାରେ ପ୍ରଥମଥର ପାଇଁ ରାଜଧାନୀରେ  ହ୍ୱାଇଟ୍‌ ଟପିଂ ରାସ୍ତା ତିଆରି ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.