କଟକ,୨୨/୦୧: କଟକ ଜିଲ୍ଲାର ବାଙ୍କୀ ବ୍ଲକ୍‌ରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଫଳିଲା । ପାଥପୁର ଓ ଗହିରଗଡ଼ିଆଠାରେ ପ୍ରାୟ ଅଢେଇ ଏକର ଜମିରେ ପରୀକ୍ଷାମୂଳକ ଭାବେ ହିମାଚଳର ଷ୍ଟ୍ରବେରୀ ଚାଷ କରାଯାଇଛି । ଉଦ୍ୟାନ କୃଷି ବିଭାଗର ସହଯୋଗରେ ତିନିଜଣ ଚାଷୀ ଜମିରେ ଏଭଳି ପରୀକ୍ଷଣ କରାଯାଇଥିଲା, ଯାହା ସଫଳ ହୋଇଛି । ପ୍ରଥମ ଅମଳକୁ ୨ଶହ ଗ୍ରାମ୍ ପ୍ୟାକେଟ୍ କରି ୮୦ ଟଙ୍କା ଲେଖାଏଁରେ ବିକ୍ରି କରିଛନ୍ତି । ଆସନ୍ତାବର୍ଷଠାରୁ ବାଙ୍କୀ ବ୍ଲକ୍ ସମେତ କଟକ ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ଷ୍ଟ୍ରବେରୀ ଚାଷ କରିବାକୁ ଯୋଜନା ରହିଥିବା ଉଦ୍ୟାନକୃଷି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

କଟକ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ପ୍ରାୟ ବିଶେଷ ଭାବେ ହୁଏ ନାହିଁ । କନ୍ଧମାଳ, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳରେ ଏ ଫସଲ ସଫଳ ହୋଇଛି। କିନ୍ତୁ ଉପକୂଳ ପରିବେଶରେ ଏହାକୁ ନେଇ ପରୀକ୍ଷାନିରୀକ୍ଷା ଜାରି ରହିଛି । ଉଚ୍ଚମୂଲ୍ୟ ଋତୁଭିତ୍ତିକ ଫସଲ ଭାବେ ଷ୍ଟ୍ରବେରୀ ଚାଷ କରି ଚାଷୀଙ୍କୁ ଅଧିକ ଦୁଇପଇସା ରୋଜଗାର କରିବାକୁ ସୁଯୋଗ ଦିଆଯାଉଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ଢିପ ଜମିରେ କରାଯାଏ । ଯେଉଁଠି ବର୍ଷା ଦିନେ ପାଣି ରୁହେନାହିଁ ଏବଂ ପାଣି ଛାଡ଼ିବା ପରେ ମଞ୍ଜି ବୁଣାଯାଏ । କିନ୍ତୁ ବାଙ୍କୀରେ ଷ୍ଟ୍ରବେରୀ ଚାଷ ଏତେ ସହଜ ନଥିଲା । କାରଣ ବାଙ୍କୀ ବ୍ଲକ୍ ମହାନଦୀ କୂଳରେ ରହିଥିବାରୁ ପ୍ରାୟ ଚାଷ ଜମି ତଳିଆ । ପ୍ରତିକୂଳ ପରିସ୍ଥିତିରେ କିଛି ମାସ ପୂର୍ବରୁ ପାଥପୁର ଓ ଗହିରଗାଡ଼ିଆଠାରେ ଷ୍ଟ୍ରବେରୀ ଚାଷ କରିବାକୁ ଯୋଜନା କରାଯାଇଥିଲା । ପ୍ଲାଷ୍ଟିକ୍ ବ୍ୟାଗ୍ ବା ଟ୍ୟୁନେଲ୍ ପଦ୍ଧତିରେ ଏହି ଚାଷ କରାଯାଇଛି । ସରକାରୀ ସହାୟତାରେ ଗହୀରଗାଡ଼ିଆର ଶରତ କୁମାର ଖଟୁଆ ୧ ଏକର ଓ ପାଥପୁରର ସନ୍ତୋଷ କୁମାର ନାୟକ ୧ ଏକର, ସନାତନ ଗୋଚ୍ଛାୟତ ଅଧାଏ କର ଜମିରେ ଷ୍ଟ୍ରବେରୀ ଚାରା ଲଗାଇଥିଲେ ।

ହିମାଚଳପ୍ରଦେଶରୁ ଆସିଥିବା ଏହି ଚାରା ବାଙ୍କୀରେ ଫଳିବ ବୋଲି ଆଶା ଢେର କମ୍ ଥିଲା । ତଥାପି ଗତବର୍ଷ ଅକ୍ଟୋବର ମାସ ସୁଦ୍ଧା ଚାଷ ଜମି ପ୍ରସ୍ତୁତ କରିଥିଲେ ଏହି ତିନି ଚାଷୀ । ନଭେମ୍ବର ଶେଷ ସପ୍ତାହରେ ଚାରା ବୁଣାଯାଇଥିଲା । ଏବେ ଏହା ଫଳନ୍ତି ରୂପରେ ପହଞ୍ଚିଛି । ସନ୍ତୋଷ ଓ ସନାତନ ପୂର୍ବରୁ ପରିବା ଚାଷ କରୁଥିଲେ । ଚାଷ ସମ୍ବନ୍ଧୀୟ ଅଭିଜ୍ଞତାକୁ କାମରେ ଲଗାଇ ଷ୍ଟ୍ରବେରୀ ଫଳାଇ ପାରିଲେ । କିନ୍ତୁ ଶରତ ପ୍ରଥମଥର ଏଭଳି ପଦକ୍ଷେପ ନେଇ ସଫଳ ହୋଇଛନ୍ତି । ଏନେଇ ବାଙ୍କୀର ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶିକା ସୁଚୋନା ସ୍ୱସ୍ତିକା କହିଛନ୍ତି, ବାଙ୍କୀରେ ଷ୍ଟ୍ରବେରୀ ଚାଷ କରିବାକୁ ପରୀକ୍ଷା କରାଯାଇଥିଲା । ଏଥିରେ ଆମେ ସଫଳ ହୋଇଛୁ । ୧ ହେକ୍ଟର ଜମିରେ ୫୫ ହଜାର ଚାରା ରୋପଣ କରାଯାଇପାରେ । ଏଥିପାଇଁ ୧୨ଲକ୍ଷ ୨୭ହଜାର ୬୧୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇପାରିବ । ଆସନ୍ତାବର୍ଷକୁ ଏହାକୁ ଅଧିକ ବ୍ୟାପକ କରିବାକୁ ଯୋଜନା ରଖିଛୁ । କେବଳ ଉତ୍ପାଦନ ନୁହେଁ ବରଂ ଚାଷୀଙ୍କୁ ବଜାର ସୁବିଧା ଦେବାକୁ ମଧ୍ୟ ବିଭାଗ ତରଫରୁ ଉଦ୍ୟମ କରାଯିବ ବୋଲି ସହକାରୀ ନିର୍ଦ୍ଦେଶିକା ପ୍ରକାଶ କରିଛନ୍ତି ।