ହାଇଦ୍ରାବାଦ, ୧୬।୭: ହାଇଦ୍ରାବାଦର ସ୍କୁଲରୁ ତଡ଼ା ଖାଇଲେ ଶିକ୍ଷୟିତ୍ରୀ । ତେଲେଙ୍ଗାନାର ସଈଦାବାଦସ୍ଥିତ ‘ସକ୍ସେସ୍, ଦି ସ୍କୁଲ’ ଜଣେ ଶିକ୍ଷୟିତ୍ରୀ ଶେଖ୍ ଆୟଶା ପରଭୀନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ବହିଷ୍କାର କରିଛନ୍ତି । ଅଭିଯୋଗ ଅନୁଯାୟୀ, ଶିକ୍ଷୟିତ୍ରୀ ଜଣକ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଭଳି ଏକ ହୋମୱାର୍କ ଦେଇଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଧାର୍ମିକ ପ୍ରକୃତିର ଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ପ୍ରଶାସନ ପକ୍ଷରୁ ଏକ ଆଭ୍ୟନ୍ତରୀଣ ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ପକ୍ଷରୁ ଜାରି କରାଯାଇଥିବା ସେବା ସମାପ୍ତି ପତ୍ରରେ କେବଳ ଚାକିରିରୁ ବାହାର କରିବା କଥା ଉଲ୍ଲେଖ ନାହିଁ, ବରଂ ଶିକ୍ଷୟିତ୍ରୀଙ୍କ ଭବିଷ୍ୟତ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି, "ଆପଣଙ୍କୁ ଜଣାଇ ଦିଆଯାଉଛି ଯେ, ଭବିଷ୍ୟତରେ 'ସକ୍ସେସ୍ ଗ୍ରୁପ୍ ଅଫ୍ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସ'ର କୌଣସି ବି ଶାଖା ବା ସଂସ୍ଥାରେ ଚାକିରି ପାଇଁ ଆବେଦନ କରିବାକୁ ଆପଣଙ୍କୁ ସ୍ଥାୟୀ ଭାବେ ଅଯୋଗ୍ୟ ବା ବ୍ଲାକଲିଷ୍ଟ ଘୋଷଣା କରାଯାଉଛି ।"
ଏହା ବି ପଢ଼ନ୍ତୁ... Ketan Agarwal Murder Case: ସିୟାଙ୍କ କଳାକାରନାମାର ସଜା ଭୋଗିବ ପରିବାର ? ସିଲ୍ ହେଲା କୋଟି କୋଟି ଟଙ୍କାର ବ୍ୟବସାୟ
ଏହି ସମ୍ବେଦନଶୀଳ ମାମଲାକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ହୋଇଛି । ବିଜେପିର ଜଣେ ବରିଷ୍ଠ ନେତା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଏହି ଘଟଣା ପଛରେ ଏମଆଇଏମ୍ ଦଳର ହାତ ରହିଛି । ତେଣୁ ଏହାର ଉପଯୁକ୍ତ ତଦନ୍ତ ହେବା ସହ ଉକ୍ତ ସ୍କୁଲର ମାନ୍ୟତା ରଦ୍ଦ କରାଯିବା ଉଚିତ୍ । ହାଇଦ୍ରାବାଦର ଓଲ୍ଡ ସିଟି ଇଲାକାର ସଈଦାବାଦରେ ଥିବା ଏହି ସ୍କୁଲକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି । ଦ୍ଵିତୀୟ ଶ୍ରେଣୀର ଜଣେ ହିନ୍ଦୁ ଛାତ୍ରଙ୍କ ବାପା, ମା’ ଅଭିଯୋଗ କରିଛନ୍ତି ଯେ, ସ୍କୁଲ ମ୍ୟାନେଜମେଣ୍ଟ ତାଙ୍କ ପୁଅକୁ 'କଲମା' ପଢ଼ିବା ପାଇଁ ବାଧ୍ୟ କରିଥିଲା । ଛାତ୍ରଙ୍କ ମା’ ସୁପ୍ରିୟା ସ୍କୁଲରେ ପହଞ୍ଚି ଏଭଳି କାର୍ଯ୍ୟକଳାପକୁ ନେଇ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏହି ବାବଦରେ ଗଣମାଧ୍ୟମ ପ୍ରତିନିଧି ସ୍କୁଲ ମ୍ୟାନେଜମେଣ୍ଟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । କିଛି ଲୋକ ସ୍କୁଲର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ, ଅନ୍ୟ କିଛି ଲୋକଙ୍କ କହିବା କଥା ଯେ ଘଟଣାର ପ୍ରକୃତ ସତ ଏବଂ ପରିସ୍ଥିତିକୁ ସାର୍ବଜନୀନ କରାଯିବା ଆବଶ୍ୟକ । ଏହି କାର୍ଯ୍ୟାନୁଷ୍ଠାନ ଜରିଆରେ ସ୍କୁଲ ପ୍ରଶାସନ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୀତି ନିୟମ ବିରୋଧୀ କୌଣସି ବି କାର୍ଯ୍ୟକୁ ବରଦାସ୍ତ କରାଯିବନାହିଁ ।