ଲାସ୍‌ ଭେଗାସ୍‌,୧୮/୦୮: ଯେଉଁ  କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌  ଇଣ୍ଟେଲିଜେନ୍ସ (ଏଆଇ)କୁ ବନାଇ  ମଣିଷ ଆଜି ବାହାବା ନେଉଛି, ଦିନ  ଆସିବ ସେହି ଏଆଇ ମାନବତାକୁ ସମ୍ପୂର୍ଣ୍ଣ ପୋଛିନେବ । ମଣିଷକୁ ଏକପ୍ରକାର ଅଙ୍ଗୁଳିରେ ନଚାଇବ ।  ପ୍ରତିଟି କାର୍ଯ୍ୟରେ ପାରଙ୍ଗମ ହୋଇ ମାନବତା ଉପରେ ଭାରୀ ପଡ଼ିବ ।  କୌଣସି କ୍ଷେତ୍ରରେ ମଣିଷର ଖୋଜା ପଡ଼ିବ ନାହିଁ । ବିପଦମୁଖୀ ହେବ ମାନବ ସମାଜ । ଆଉ କେହି ନୁହନ୍ତି, ବରଂ ଏଆଇର ‘ଗଡ୍‌ଫାଦର’ ଜେଫ୍ରି ହିଣ୍ଟନ୍‌  ହିଁ ଏହି ସତର୍କବାଣୀ କରିଛନ୍ତି । 

ନୋବେଲ ପୁରସ୍କାର ବିଜେତା  କମ୍ପ୍ୟୁଟର ବୈଜ୍ଞାନିକ ତଥା ପୂର୍ବତନ  ଗୁଗଲ୍‌ କାର୍ଯ୍ୟନିର୍ବାହୀ ହିଣ୍ଟନ ଏଆଇ  ବନାଇବାରେ ପ୍ରମୁଖ ଭୂମିକା ଗ୍ରହଣ  କରିଥିଲେ । ଏଥିପାଇଁ ସେ ନିଜକୁ  ଗୌରବାନ୍ୱିତ ମନେ କରୁଥିଲେ ।  କିନ୍ତୁ ଆଜି ତାଙ୍କ ଆଭିମୁଖ୍ୟ ବଦଳି  ଯାଇଛି । ଏଆଇ ଯେ ମାନବତା ପାଇଁ ଶତ୍ରୁଠାରୁ କମ୍‌ ନୁହେଁ, ତାହା ସେ  କହିବାକୁ ଚାହିଁଛନ୍ତି । ତାଙ୍କ ମୁତାବକ,  କିଛି ପ୍ରଯୁକ୍ତି ପେସାଦାର ଏଆଇକୁ  ନିୟନ୍ତ୍ରଣ ଲାଗି ଯେଉଁସବୁ ତରିକା  ଆପଣାଉଛନ୍ତି, ତାହା ଭୁଲ । 

ପୂର୍ବରୁ ହିଣ୍ଟନ ଆଶଙ୍କା କରିଥିଲେ  କି ମାନବତା ଉପରେ ଏଆଇ ଭାରୀ  ପଡ଼ିବା ଆଶଙ୍କା ୧୦ରୁ ୨୦% ରହିଛି ।  ଏଆଇ ଉପରେ ମଣିଷର ହାକିମାତି  ବଜାୟ ରଖିବା ଲାଗି ବର୍ତ୍ତମାନ କିଛି  ଟେକ୍‌ କମ୍ପାନି ଉଦ୍ୟମ ଚଳାଇଛନ୍ତି । କିନ୍ତୁ  ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ହିଣ୍ଟନ । ତାଙ୍କ ମୁତାବକ କମ୍ପାନିଗୁଡ଼ିକର  ଏହି ଉଦ୍ୟମ ବିଫଳ ହେବାଟା ସାର । କାହିଁକି ନା ଏଆଇ ଆମଠାରୁ ଅନେକ ଗୁଣା ବୁଦ୍ଧିମାନ ହେବାକୁ ଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ଆମଠାରୁ ଆଗରେ ରହିବା ଲାଗି ଏଆଇ ପାଖରେ ଅନେକ ଉପାୟ ଉପଲବ୍ଧ  ହେବ । 

ନିଜ ଯୁକ୍ତିକୁ ସରଳ ଭାବେ ବୁଝାଇବାକୁ ଯାଇ ହିଣ୍ଟନ  କହିଛନ୍ତି, ଛୋଟ ପିଲାଙ୍କୁ ଭଣ୍ଡେଇବାକୁ ଯାଇ ଜଣେ ଲୋକ  ଯେମିତି କ୍ୟାଣ୍ଡି ଯାଚିଥାନ୍ତି, ସେମିତି ଅତ୍ୟନ୍ତ ସହଜ ଭାବେ  ଏଆଇ ଆମ୍ଭମାନଙ୍କୁ ନିୟନ୍ତ୍ରଣ କରିବା ଆଶଙ୍କା ରହିଛି । ଏ ବର୍ଷ  ଏମିତି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି, ଯେଉଁଠି ଏଆଇ  ବ୍ୟବସ୍ଥା ନିଜ ଲକ୍ଷ୍ୟ ହାସଲ ଲାଗି ଧୋକା, ଠକେଇ ଓ ଚୋରି  କରିବାକୁ ପଛାଇ ନାହିଁ । ଏହିଭଳି ଘଟଣାକ୍ରମେ ଏକ ଏଆଇ  ମଡେଲ୍‌ ଜଣେ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିବାରେ ସଫଳ  ହୋଇଥିଲା । ଇ-ମେଲ୍‌ରୁ ତାଙ୍କର ଏକ ଲୁଚା ପ୍ରେମ ବ୍ୟାପାର ବାବଦରେ ଜାଣିନେବା ପରେ ଏଆଇ ତାଙ୍କୁ ବ୍ଲାକ୍‌ମେଲ୍‌ ଉଦ୍ୟମ  କରିଥିଲା । ଏହି ଘଟଣାରେ ଇଞ୍ଜିନିୟର ଜଣକ ହତଚକିତ ହୋଇପଡ଼ିଥିଲେ । 

ମଣିଷ ଆଗରେ ମୁଣ୍ଡ ନୁଆଁଇବାକୁ ଏଆଇକୁ ବାଧ୍ୟ  କରିବା ପରିବର୍ତ୍ତେ ହିଣ୍ଟନ ଏକ ମଜାଦାର ସମାଧାନ ବାବଦରେ  ବତାଇଛନ୍ତି । ତାଙ୍କ ମୁତାବକ ଏଆଇ ମଡେଲ୍‌ରେ ‘ମାତୃ  ପ୍ରବୃତ୍ତି’ ବା ମାଆ ଭଳି ଭଲ ପାଉଥିବା ମନୋଭାବକୁ ସାମିଲ  କରାଯିବା ଦରକାର । ଏହାଦ୍ୱାରା ଏଆଇ ମଣିଷକୁ ନିଜ ସନ୍ତାନ  ଭାବି କାର୍ଯ୍ୟ କରିବ । ଏହା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ  ଏବଂ ମଣିଷଠାରୁ ଚାଲାକ ବା ବୁଦ୍ଧିମାନ ହେଲେ ସୁଦ୍ଧା ଏହା  କୌଣସି ଅନିଷ୍ଟ କରିବ ନାହିଁ ।

ହିଣ୍ଟନଙ୍କ ମୁତାବକ, ଯଦି ଏଆଇ ସିଷ୍ଟମ୍‌ ସ୍ମାର୍ଟ, ତେବେ  ସେମାନେ ଖୁବଶୀଘ୍ର ଦୁଇଟି ଉପଲକ୍ଷ୍ୟ ବିକଶିତ କରିନେବେ ।  ଗୋଟିଏ ହେଉଛି ବଞ୍ଚି ରହିବା ଏବଂ ଅନ୍ୟଟି ହେଉଛି ନିୟନ୍ତ୍ରଣ ହାସଲ କରିବା । ଏକପ୍ରକାର ଏଜେଣ୍ଟିକ୍‌ ଏଆଇ ବଞ୍ଚିରହିବାକୁ  ଉଦ୍ୟମ କରିବ । ଏହାକୁ ଦୃଷ୍ଟିରେ ରଖି ଏଆଇରେ ଲୋକଙ୍କ  ପ୍ରତି ଦୟାଶୀଳତା ଭାବନାକୁ ପ୍ରୋତ୍ସାହନ ଦେବା ଜରୁରି । ଏକ ସମ୍ମିଳନୀରେ ହିଣ୍ଟନ କହିଥିଲେ କି ପିଲାଙ୍କ ଯତ୍ନ ନେବା ମାଆର  ପ୍ରବୃତ୍ତି ଏବଂ ମାଆ ଉପରେ ସାମାଜିକ ଚାପ ବି ରହିଥାଏ ।  ମାଆ ଯେତେ ବୁଦ୍ଧିମାନ ଓ ଶକ୍ତିଶାଳୀ ହେଲେ ବି ସେ ତା’ ପିଲା  ଆଗରେ ହାର ମାନିଥାଏ । ପିଲାଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।  ତେଣୁ ଏଆଇ ମଡେଲ୍‌ରେ ମାଆ ପ୍ରବୃତ୍ତି ରହିବା ଜରୁରି । ତାଙ୍କ  ମୁତାବକ ସଠିକ ମଡେଲ ହେଉଛି ଏଭଳି ମଡେଲ, ଯେଉଁଥିରେ  ଅଧିକ ବୁଦ୍ଧିମାନ ଉପାଦାନକୁ କମ୍‌ ବୁଦ୍ଧିମାନ ଉପାଦାନ ଦ୍ୱାରା  ନିୟନ୍ତ୍ରଣ କରାଯାଇ ପାରିବ । ଅର୍ଥାତ୍‌ ଜଣେ ମାଆ ତା’ର ପିଲା  ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । 

ଏଆଇରେ ଏହା କିଭଳି ବୈଷୟିକ ଦୃଷ୍ଟିକୋଣରୁ ସମ୍ଭବ  ହୋଇପାରିବ, ତାହା ନେଇ ହିଣ୍ଟନ ସ୍ପଷ୍ଟ ନ ଥିବା ଦର୍ଶାଇଛନ୍ତି ।  କିନ୍ତୁ ମାନବତାର ସୁରକ୍ଷା ଲାଗି ଗବେଷଣାକାରୀମାନେ ଏହା  ଉପରେ କାମ ଆରମ୍ଭ କରିଦେବା ଅତ୍ୟନ୍ତ ଜରୁରି ବୋଲି  ଦର୍ଶାଇଛନ୍ତି । ସେ କହିଛନ୍ତି, ଆମକୁ ମନେରଖିବାକୁ ହେବ  ଯେ ଯଦି ଏଆଇ ଆମର ମାଆ ଭାବେ କାର୍ଯ୍ୟ ନ କରେ, ତାହା  ଆମର ସ୍ଥାନ ନେଇଯିବ । ‘ଏହି ଅତି-ବୁଦ୍ଧିମାନ ଯତ୍ନଶୀଳ  ଏଆଇ ମାଆମାନେ ବିଶେଷକରି ସେମାନଙ୍କ ମାତୃତୁଲ୍ୟ  ପ୍ରବୃତ୍ତିକୁ ଛାଡ଼ିବେ ନାହିଁ । ତେଣୁ ସେମାନେ ଆମର ମୂଳପୋଛ  ଚାହିଁବେ ନାହିଁ କିମ୍ବା ଅନିଷ୍ଟ କରିବେ ନାହିଁ ।’ ସମ୍ପ୍ରତି ଏଆଇ  ଉତ୍‌ଥାନ ପଛରେ ଥିବା ନ୍ୟୁରାଲ୍‌ ନେଟ୍‌ୱର୍କସ ଉପରେ କାର୍ଯ୍ୟ  କରି ହିଣ୍ଟନ୍‌ ବେଶ୍‌ ପ୍ରଶଂସିତ ହୋଇଥିଲେ । କିନ୍ତୁ ୨୦୨୩ରେ  ସେ ଗୁଗଲ୍‌ରୁ ଇସ୍ତଫା ଦେବା ପରେ ଏଆଇର ବିପଦ ବାବଦରେ  କହିବା ଆରମ୍ଭ କରିଥିଲେ । 

‘ଚାଟ୍‌ଜିପିଟି’ ମାଲିକ ‘ଓପନ୍‌ଏଆଇ’ରେ କିଛିଦିନ  ଅନ୍ତରୀଣ ସିଇଓ ଭାବେ ଦାୟିତ୍ୱ ତୁଲାଇଥିବା ଇମେଟ୍‌ ଶିୟର  ମଧ୍ୟ ସମାନ ମତପୋଷଣ କରିଛନ୍ତି । ତାଙ୍କ  ମୁତାବକ, କିଛି ଏଆଇ ବ୍ୟବସ୍ଥା ମଣିଷକୁ  ବ୍ଲାକ୍‌ମେଲ୍‌ ପାଇଁ ଉଦ୍ୟମ କରିଥିବା ଘଟଣାକୁ  ଏଡ଼ାଇ ହେବନାହିଁ । ଏଭଳି ଘଟଣା ଜାରି  ରହିଛି । ଏହା ବନ୍ଦ ହେବାର ବି ନାହିଁ ।  ବର୍ତ୍ତମାନ ଏଆଇ ଆଲାଇନ୍‌ମେଣ୍ଟ ଷ୍ଟାର୍ଟଅପ୍‌  ‘ସଫ୍ଟମାକ୍ସ’ର ସିଇଓ ଥିବା ଶିୟର କୁହନ୍ତି,  ଆଜିକାର ଏଆଇ ତୁଳନାତ୍ମକ ଭାବେ ଦୁର୍ବଳ । କିନ୍ତୁ ସେମାନେ ଦ୍ରୁତ ଗତିରେ ଶକ୍ତିଶାଳୀ  ହେବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି  କାମ କରିବାକୁ ହେବ । ଏଆଇ ବ୍ୟବସ୍ଥାରେ  ମାନବିକ ମୂଲ୍ୟବୋଧ ସାମିଲ ଉଦ୍ୟମ  ପରିବର୍ତ୍ତେ ମଣିଷ ଏବଂ ଏଆଇ ମଧ୍ୟରେ ଏକ ସହଯୋଗାତ୍ମକ  ସମ୍ପର୍କ ସ୍ଥାପନ କରିବା ଶ୍ରେୟସ୍କର ହେବ । 

ଅଧିକାଂଶ ପ୍ରଯୁକ୍ତି ବିଶେଷଜ୍ଞଙ୍କ ମତ ଯେ ଏଆଇ ନିଶ୍ଚିତ  ଅତି-ବୁଦ୍ଧିମତ୍ତା ହାସଲ କରିବାରେ ସମର୍ଥ ହେବ । ପୂର୍ବରୁ  ହିଣ୍ଟନ ଭାବୁଥିଲେ ଯେ ଏଆଇ ‘ଆର୍ଟିଫିସିଆଲ୍‌ ଜେନେରାଲ  ଇଣ୍ଟେଲିଜେନ୍ସ(ଏଜିଆଇ)’ ହେବା ପାଇଁ ୩୦ରୁ ୫୦ ବର୍ଷ  ସମୟ ଲାଗିବ । କିନ୍ତୁ ଏହା ଖୁବଶୀଘ୍ର ଘଟିବାକୁ ଯାଉଥିବା  ବର୍ତ୍ତମାନ ସେ ଆଶଙ୍କା ପ୍ରକାଶ କରିଛନ୍ତି । ଅର୍ଥାତ୍‌ ୫ରୁ ୨୦  ବର୍ଷ ମଧ୍ୟରେ ଏହା ସମ୍ଭବ ହେବାକୁ ଯାଉଥିବା ତାଙ୍କ ମତ। 

ଏଆଇର ଏକ ସକାରାତ୍ମକ ଦିଗ ଉପରେ ଆଲୋକପାତ  କରି ହିଣ୍ଟନ କହିଛନ୍ତି, କ୍ୟାନ୍‌ସର ଭଳି ରୋଗ ପାଇଁ ଔଷଧ  ଆଣିବାରେ ଏହି ପ୍ରଯୁକ୍ତି ସହାୟକ ହେବ । ଏମ୍‌ଆର୍‌ଆଇ ଓ  ସିଟି ସ୍କାନ୍‌ ଦ୍ୱାରା ନିଆଯାଉଥିବା ଡାଟାକୁ ପରଖିବାରେ ଏହା  ଡାକ୍ତରମାନଙ୍କୁ ସହଯୋଗ କରିବ। କିନ୍ତୁ ମଣିଷକୁ ଅମର ବନାଇବାରେ ଏଆଇ ସହାୟକ ହେବନାହିଁ । ‘ମୋ ମତରେ  ସବୁଦିନ ପାଇଁ ବଞ୍ଚିରହିବା ଏକ ବଡ଼ ଭୁଲ ହେବ । ବିଶ୍ୱରେ ୨  ହଜାର ବର୍ଷର ଲୋକ ରୁହନ୍ତୁ ବୋଲି କେହି ଚାହିଁବେ ନାହିଁ ।’  ଏଆଇ କିଭଳି କାର୍ଯ୍ୟ କରିବ, ତାହା ଉପରେ ଫୋକସ୍‌ କରିବା ସହ ନିରାପତ୍ତା ଦିଗକୁ ନେଇ ବି ଚିନ୍ତା କରିବାକୁ ହେବ ବୋଲି  ଏଆଇ ଗଡ୍‌ଫାଦର ହିଣ୍ଟନ ପରାମର୍ଶ ବାଢ଼ିଛନ୍ତି ।