ଭୁବନେଶ୍ୱର,୦୮/୦୩: ହୀରାକୁଦରେ ପହଞ୍ଚିଲେ CWCର ତିନି ଜଣିଆ ଟିମ୍‌ । ଡ୍ୟାମ୍‌ର ଅତିରିକ୍ତ ସ୍ପିଲ୍‌ ୱେ ନିର୍ମାଣ ପାଇଁ କରିବେ ସର୍ଭେ । ଏହି ଟିମ୍‌ ଦିଲ୍ଲୀରୁ ଆସିଥିବା ନେଇ ସୂଚନା ମିଳିଛି । ସ୍ପିଲ୍‌ ୱେ ନିର୍ମାଣ ପାଇଁ ସର୍ଭେ କରିବା ବେଳେ ୱାର୍ଲଡ ବ୍ୟାଙ୍କର ଜଣେ ଅଧିକାରୀ, CWCର ଜଣେ ମୂଖ୍ୟଯନ୍ତ୍ରୀ ଓ ଡ୍ରିପର ନିର୍ଦ୍ଦେଶକ ଉପସ୍ଥିତ ରହିବେ ।

କହିରଖୁ କି, ହୀରାକୁଦ ଡ୍ୟାମ୍‌ର ଉନ୍ନତିକରଣ ପାଇଁ ସରକାର ବଡ ଯୋଜନା ଘୋଷଣା କରିଛନ୍ତି । ଏଥିରେ ଆସନ୍ତା ୬ ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି । ଏହି ଯୋଜନାରେ ୬ ବର୍ଷ ପାଇଁ ୧୦୬୬.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ପ୍ରକାଶ ପାଇଛି । ଡ୍ୟାମ୍‌ର ବାମ ପାର୍ଶ୍ୱରେ ଅତିରିକ୍ତ ସ୍ପିଲ୍‌ ୱେ ନିର୍ମାଣ ହେବ । ଏଥିପାଇଁ ୬ ବର୍ଷରେ ୮୮୪.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଡ୍ୟାମ୍‌ର ଫାଟ ଚିହ୍ନଟ ପାଇଁ ସର୍ଭେ କରାଯିବ । ଏଥିପାଇଁ ୬ ବର୍ଷରେ ୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗେଟ୍‌ ଗୁଡିକ ସମ୍ପୂର୍ଣ୍ଣ ସ୍ଵୟଂ ଚାଳିତ କରାଯିବ । ଯେଉଁଥିପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ।