ଝାରସୁଗୁଡ଼ା,୦୩/୦୬: ହୀରାକୁଦ ବୁଡ଼ି ଜମିରେ  ଧାନ ଚାଷକୁ ନେଇ ସରକାରଙ୍କ ବଡ଼ ଘୋଷଣା । ଏଥର ରବି ଋତୁରେ ବୁଡ଼ି ଜମିରେ ଧାନ ଚାଷ  କରିଥିବା ଜିଲ୍ଲାର ଲଖନପୁର ବ୍ଲକର ୭୯୬ ଜଣ ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କିଣିବେ । ମାତ୍ର ଆଗକୁ ବୁଡ଼ି ଜମି ତଥା ସରକାରୀ ଜମିରେ ଧାନ ଚାଷ ନ କରିବାକୁ ଚାଷୀଙ୍କୁ ଜଣାଇ ଦେବାକୁ ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ  ଚାଷୀମାନେ ସରକାରୀ ବୁଡ଼ି ଜମିରେ ଧାନ ଚାଷ କରିବେ ସେମାନଙ୍କ ଧାନ ଆଉ ସରକାର କିଣିବେ  ନାହିଁ ଏହା ସ୍ପଷ୍ଟ କରି ଦେଇଛନ୍ତି ବିଭାଗୀୟ ଅତିରିକ୍ତ  ସଚିବ ସୁଦାମ ଚରଣ ମଣ୍ଡଳ । 

ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା  ୯୩୮୮ ଅନୁଯାୟୀ ଜିଲ୍ଲାପାଳ ଗତ ମେ’ ୭  ତାରିଖ ଦେଇଥିବା ପତ୍ର ସଂଖ୍ୟା ୩୧୪ ଉପରେ  ବିଚାର କରାଯାଇ ସରକାର ଜିଲ୍ଲାର ଲଖନପୁର  ବ୍ଲକର ବୁଡ଼ି ଜମିରେ ଧାନ ଚାଷ କରିଥିବା ୭୯୬  ଜଣ ଚାଷୀଙ୍କ ପୋର୍ଟାଲରେ ପଞ୍ଜିକରଣ କରାଯିବା  ସହ ସେମାନଙ୍କ ଠାରୁ ଧାନ କିଣିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଖରିଫ ୨୦୨୪-୨୫ ବର୍ଷରେ ଏହି  ଧାନ ବିକିବା ଲାଗି ରବି ଋତୁରେ ଚାଷ କରିଥିବା  ୭୯୬ ଜଣ ଚାଷୀ ଏଥିସହ ଧାନ ବିକିବାକୁ  ଯୋଗ୍ୟତା ଅର୍ଜନ କରିଛନ୍ତି । ସରକାରୀ ଜମିରେ  ଆଗକୁ ଧାନ ଚାଷ କଲେ ସରକାର ତାହା ଗ୍ରହଣ  କରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । 

ପ୍ରକାଶଯୋଗ୍ୟ ଜିଲ୍ଲାରେ ରବି ଧାନ ସଂଗ୍ରହ  ଲାଗି ଜିଲ୍ଲାର ସମୁଦାୟ ୧୫୮୫ ଜଣ ଚାଷୀ ପଞ୍ଜିକୃତ  ହୋଇଛନ୍ତି । ଗତ ମେ’ ୨୩ ତାରିଖ ଠାରୁ ଧାନ  ସଂଗ୍ରହ ଜିଲ୍ଲାରେ ଆରମ୍ଭ ହୋଇଛି । ଚାଷୀମାନେ  ମଣ୍ଡିକୁ ନେଇ ଧାନ ବିକିବା ଆରମ୍ଭ ହୋଇ ସାରିଛି ।  ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୨୮ ହଜାର କ୍ୱିଣ୍ଟାଲ  ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।  ତାହା ପରବର୍ତ୍ତୀ ସମୟରେ ଆହୁରି ୧୪ ହଜାର  ୭ ଶହ କ୍ୱିଣ୍ଟାଲ ବୃଦ୍ଧି କରାଯାଇ ଏଯାଏ ସମୁଦାୟ  ୪୨ ହଜାର ୭୮୦ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ  ଲକ୍ଷ୍ୟ ରଖାଯାଇଛି । 

ହୀରାକୁଦ ନଦୀବନ୍ଧ ଯୋଜନା ସମୟରେ ବନ୍ଧ  ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା ।  ସେଥିରୁ ଯେଉଁ ଜମି ୬୩୦ରୁ ୬୩୨ ଆର୍‌ଏଲ୍‌  ମଧ୍ୟରେ ରହିଗଲା ତାହାକୁ ବୁଡ଼ି ଅଞ୍ଚଳବାସୀ  ତଥା ଜମି ଓ ଘରଦ୍ୱାର ହରାଇଥିବା ବିସ୍ଥାପିତ  ପରିବାରଗୁଡ଼ିକ ଚାଷବାସ କରି ଚଳି ଆସୁଛନ୍ତି । ଭୋଗ ଦଖଲରେ ଥିଲେ ହେଁ ଉକ୍ତ ବୁଡ଼ି ଜମିର  ସ୍ୱତ୍ତ୍ୱ ସେମାନଙ୍କ ନାହିଁ । ଅଧିଗୃହୀତ ଜମି ଜଳ  ସଂପଦ ବିଭାଗ ଅଧୀନରେ ରହିଛି । ହଜାର ହଜାର ଏକର ଜମି ଲଖନପୁର ତହସିଲ ଅଞ୍ଚଳରେ  ବୁଡ଼ି ଅଞ୍ଚଳର ଚାଷୀମାନେ ଚାଷବାସ କରୁଥିବାରୁ  ପ୍ରତିବର୍ଷ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରି ନେଇ  ସମସ୍ୟା ଲାଗି ରହିଛି । 

ସେମାନଙ୍କ ଜମି ସ୍ୱତ୍ତ୍ୱ ନ  ଥିବାରୁ ଚାଷୀ ପଞ୍ଜିକରଣ ହୋଇ ପାରୁନାହିଁ । ଏସବୁ  ସମସ୍ୟାକୁ ଦେଖି ପ୍ରତିବର୍ଷ ଚାଷୀମାନେ ସେମାନଙ୍କ  ଧାନ ସରକାର କିଣିବାକୁ ଦାବି କରି ଆସିଛନ୍ତି ।  ହେଲେ ଏବେ ସରକାର ଆଗକୁ ବୁଡ଼ି ଜମି ତଥା ସରକାରୀ ଜମିରେ ଧାନ ଚାଷ କଲେ ଉତ୍ପାଦିତ ଧାନ  ନ କିଣିବାକୁ ଚେତାବନୀ ଦେଇଥିବାରୁ ଚାଷୀମାନେ  ଅଡ଼ୁଆରେ ପଡ଼ିବା ନିଶ୍ଚିତ ।ହଜାର ହଜାର ବୁଡ଼ି  ଜମିକୁ ନେଇ ଚାଷୀମାନେ ଆଗକୁ କିଭଳି ଚାଷବାସ  କରିବେ ସେନେଇ ବିତର୍କ ସୃଷ୍ଟି ହୋଇଛି ।