ଛତିଆ, ୧୦/୧୨ : ଯାଜପୁର ଜିଲ୍ଲା ଛତିଆ ଠାରେ ରହିଛି ଐତିହାସିକ ଅମରାବତୀ ଦୁର୍ଗ। ୧୬ନଂ ଜାତୀୟ ରାଜପଥର ବାମପାର୍ଶ୍ୱରେ ତଥା ଧନିଆ ପାହାଡ଼ର ପାଦଦେଶରେ ଏହି ଇତିହାସ ପ୍ରସିଦ୍ଧ ଅମରାମତୀ ବିଦ୍ୟମାନ । ଅମରାବତୀ ଚତୁଃପାର୍ଶ୍ୱରେ ସୋଲର, ଛତିଆ, ପାଟଣା, ନେଳିଆ, ବିଦ୍ୟାଧରପୁର ପରି ଗ୍ରାମଗୁଡ଼ିକ ଘେରି ରହିଛି । ଏହାକୁ ଲାଗି ବୁଢ଼େଇ ଦେବୀଙ୍କ ବିଜେସ୍ଥଳୀ ମଧ୍ୟ ରହିଛି । ଏହି ପୀଠକୁ ଅମରାବତୀ ପୀଠ, ଅମରାପୁର ବା ଗୁପ୍ତ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ଶୁଣିବାକୁ ମିଳେ ଏକାଦଶ ଶତାବ୍ଦୀର ମଧ୍ୟଭାଗରେ କେଶରୀ ବଂଶର ରାଜା ବସୁକଳ୍ପକେଶରୀ ଏହାକୁ ପ୍ରତିଷ୍ଠା କରିଥିଲେ । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏହାର ପ୍ରତିଷ୍ଠା ସମ୍ପର୍କରେ ତଥ୍ୟ ମିଳି ପାରିନାହିଁ ।

ପଞ୍ଚକଟକ ମଧ୍ୟରୁ ଅନ୍ୟତମ ଅମରାବତୀ କଟକ ରାଜା ଓ ସୈନ୍ୟଙ୍କର ଗଡ଼ ରହିଥିଲା । ଏହା ଯଯାତିକେଶରୀଙ୍କ ଦୁର୍ଗ ଭାବେ ମଧ୍ୟ ଜଣାଶୁଣା । ଶତ୍ରୁପକ୍ଷଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପାହାଡ଼ଗୁଡ଼ିକ ସୁରକ୍ଷା ପ୍ରାଚୀର ଭାବେ ଏଠି ଉଭା ହୋଇଛି । ଏପରି ସୁବିଧାଜନକ ତଥା ନିରାପଦ ସ୍ଥାନରେ ନିଜର ଦୁର୍ଗ ପ୍ରତିଷ୍ଠା କରି ରାଜା ନିଜର ବୁଦ୍ଧିମତାର ପ୍ରମାଣ ଦେଇଥିଲେ ବୋଲି ଆଲୋଚନା ହୋଇଥାଏ । ସାରଳା ଦାସଙ୍କ ମହାଭାରତ ସ୍ୱର୍ଗାରୋହଣ ପର୍ବରେ ଏହି ଦୁର୍ଗ ବିଷୟରେ ବର୍ଣ୍ଣନା କରାଯାଇଥିବା ଦେଖିବାକୁ ମିଳେ । ଏହି ଦୁର୍ଗ ସହିତ ବଡ଼ଚଣା ପଞ୍ଚାୟତର ତେଲିଗଡ଼, ଦେଉଳକୁର ଗ୍ରାମର ବେଦୀହୁଡ଼ା ଭଳି ସ୍ଥାନ ଗୁଡ଼ିକର ସମ୍ପୃକ୍ତି ରହିଥିଲା । ୩୦ ବର୍ଷ ପୂର୍ବରୁ ଏହି ସ୍ଥାନରୁ ଉଦ୍ଧାର ହୋଇଥିବା ଇନ୍ଦ୍ର, ଇନ୍ଦ୍ରାଣୀଙ୍କ ମୂର୍ତ୍ତି ଭଗ୍ନ ଅବସ୍ଥାରେ ରହିଛି । ଯାହାକୁ ଗୋଟିଏ କୋଠରୀରେ ପୂଜାର୍ଚ୍ଚନା କରାଯାଉଛି । ସ୍ୱର୍ଗରେ ଇନ୍ଦ୍ରଙ୍କ ରାଜଧାନୀ ଅମରାବତୀ ଥିବାରୁ ଏହାକୁ ଅନୁକରଣ କରାଯାଇ ଏହି ସ୍ଥାନର ନାମ ଅମରାବତୀ କରାଯାଇଥିବା ମଧ୍ୟ ଶୁଣିବାକୁ ମିଳେ । ଏହି ପୀଠରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି । ପୀଠରେ ଥିବା ଅନ୍ୟମନ୍ଦିର ଗୁଡ଼ିକ ମଧ୍ୟରେ ଅମରନାଥ ମହାଦେବ, ପଞ୍ଚମୁଖୀ ହନୁମାନ, ମଠାଧିଶ ବାଞ୍ଛୁବାବା, କପିଳବାବାଙ୍କ ପ୍ରତିମୂର୍ତ୍ତି ଗୃହ, ଚଣ୍ଡୀ ଓ ଲକ୍ଷ୍ମୀ ମନ୍ଦିର, ସୃଷ୍ଟି ଧର୍ମ ପ୍ରବର୍ତ୍ତକ ଯୁଗାନ୍ତ ପୁରୁଷ ଜଗନ୍ନାଥ ନାୟକଙ୍କ ପୀଠ ଆଦି ରହିଛି ।

ଧନିଆ ପାହାଡ଼ର ସପ୍ତବଚନ ପରି ଅମରାବତୀକୁ ଅନେକାଂଶରେ ଭୌଗୋଳିକ ବିଶିଷ୍ଟ ଓ ସୁରକ୍ଷା ପ୍ରଦାନ କରି ଆସିବା ସଙ୍ଗେ ଇତିହାସ ମଧ୍ୟ ସୃଷ୍ଟି କରିଥାଏ । କାଳଗର୍ଭରେ ଏହି ଐତିହ୍ୟ ଲୀନ ହେବାକୁ ବସିଛି । ଦୁର୍ଗ ପ୍ରାଚୀର ଅବଶେଷ ରହିଥିବା ବେଳେ ତାହା ବିଲୁପ୍ତ ହେବାକୁ ବସିଛି । ଏଠାରେ ଥିବା ରାଣୀ ହଂସପୁରରେ ରାଣୀ ରହୁଥିବା ଶୁଣିବାକୁ ମିଳେ । ପରବର୍ତ୍ତୀ ସମୟରେ ରାଜା ତାହାକୁ ନିଜର ଦରବାର ଭାବେ ବ୍ୟବହାର କରୁଥିଲେ ମଧ୍ୟ କେହି କେହି କୁହନ୍ତି । ଏହା ସ୍ଥାନର ପୁନରୁଦ୍ଧାର ଜରୁରି ହୋଇପଡ଼ିଛି । ଏହାର ପୁନରୁଦ୍ଧାର କରାଗଲେ ଏଠାରୁ ଅନେକ ମୂଲ୍ୟବାନ ସାମଗ୍ରୀ ମିଳିବା ପାରାନ୍ତା ବୋଲି ଗବେଷକ ମାନେ ମତ ଦେଇଛନ୍ତି । ଏଠାରେ ଗୋଟିଏ ମ୍ୟୁଜିୟମ୍‌ ପ୍ରତିଷ୍ଠା ହେଲେ ଏଠାରୁ ସଂଗୃହୀତ ଗୁରୁତ୍ୱପୂର୍ଣ୍ଣ ବସ୍ତୁଗୁଡ଼ିକୁ ସଂଗ୍ରହ କରାଯାଇ ପାରନ୍ତା । ଏଥିସହିତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ତେଲିଗଡ଼, ଦର୍ପଣୀ, ଗଡ଼ମଧୁପୁର ଆଦି ସ୍ଥାନରୁ ରାଜାରାଜୁଡା଼ଙ୍କ ଅମଳର ବହୁ ଇତିହାସକୁ ସେହି ମିଜ୍ୟୁୟିମରେ ସ୍ଥାନ ମିଳିପାରିବ । ଏଠାରେ ବହୁ ପୁରାତନ ଘରର ଭଗ୍ନାବଶେଷ ରହିଛି । ଏଠାରେ ଏବେ ବିବାହ, ବ୍ରତ ସହିତ ବିଭିନ୍ନ ବୈଠକ ଆୟୋଜନ କରାଯାଉଛି । ସେମାନଙ୍କ ପାଇଁ ସଠିକ୍‌ ସୁବିଧା ସୁଯୋଗ ମିଳିପାରୁ ନାହିଁ । ଆସୁଥିବା ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ଯେଉଁଥି ପାଇଁ ସେମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

କେବଳ ସେତିକି ନୁହେଁ ଏହି ପୀଠ ଏକ ଜଙ୍ଗଲ ପରିବେଶ ମଧ୍ୟରେ ରହିଥିବାରୁ ବହୁ ସମୟରେ କେତେକ ଗୋଷ୍ଠୀ ଏଠାରେ ଖୋଲା ଖୋଲି ଭାବରେ ନିଶା ସେବନ କରୁଛନ୍ତି । ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକ ଏହାକୁ ନେଇ ବହୁବାର ଅଭିଯୋଗ ମଧ୍ୟ ଆଣିଛନ୍ତି । ଏଣୁ ସରକାରଙ୍କ ପକ୍ଷରୁ ଏଠାରେ ବିଶେଷ ଗବେଷଣା ହେବା ସହ ବହୁ ପୁରାତନ ସାମଗ୍ରୀ ଉଦ୍ଧାର ହେବା ଜରୁରି ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି । ଏଥି ସହିତ ପୀଠର ସୁରକ୍ଷା ପାଇଁ ପଦକ୍ଷେପ ନେବା ଆବଶ୍ୟକ ।