ମର୍ଶାଘାଇ, ୧୭/୧୧: ମାଛ ଧରି ଫେରିବା ବଳେ ମତ୍ସ୍ୟଜୀବୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି । ଦୁର୍ଘଟଣାରେ ଚାଲିଗଲା ଦୁଇଜଣଙ୍କ ଜୀବନ ।ମୃତକ ମାର୍ଶାଘାଇ ଥାନା ସାନଗାଁ ଗ୍ରାମର ରମେଶ ବେହେରା ଏବଂ ଯଦୁପୁର ଗାଁର ମନୋଜ ରାଉତ ବୋଲି ଜଣାପଡ଼ିଛି । ପାରାଦୀପ - ଚଣ୍ଡିଖୋଲ ୫୩ ନମ୍ଵର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ଦୁଇ ଜଣ ମତ୍ସ୍ୟଜୀବୀ ମାଛ ଧରି ପାରାଦୀପରୁ ନିଜ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ନୀଳାଞ୍ଚଳ ବଜାର ଅଞ୍ଚଳକୁ ଫେରୁଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମର୍ଶାଘାଇ ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ମର୍ଶାଘାଇ ପୋଲିସ ।