ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତ ଏବେ ସାରା ବିଶ୍ୱରେ HIV (ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍-ଏଡ୍ସ) ଚିକିତ୍ସା ପାଇଁ ବ୍ୟବହୃତ ସବୁଠାରୁ ଶସ୍ତା ଔଷଧ ଯୋଗାଇବାକୁ ଯାଉଛି। ଆମେରିକାରେ ପ୍ରାୟ ୩୫ ଲକ୍ଷ ଟଙ୍କାରେ ମିଳୁଥିବା ଏହି ଔଷଧ ଏବେ ଭାରତରେ ମାତ୍ର ୩,୩୦୦ ଟଙ୍କାରେ ଉପଲବ୍ଧ ହେବ। ଆସନ୍ତୁ ସେ ବିସୟରେ ଜାଣିବା । 

ଗରିବ ଏବଂ ବିକାଶଶୀଳ ଦେଶଗୁଡ଼ିକ ସବୁଠାରୁ ଅଧିକ ଲାଭ ପାଇବେ-

ଏହି ନୂତନ ଔଷଧର ପ୍ରଚଳନ ଗରିବ ଏବଂ ବିକାଶଶୀଳ ଦେଶର ରୋଗୀମାନଙ୍କୁ ସବୁଠାରୁ ଅଧିକ ଲାଭ ଦେବ। ଯେଉଁମାନଙ୍କ ପାଇଁ ପୂର୍ବରୁ ମହଙ୍ଗା ଔଷଧ କିଣିବା କଷ୍ଟକର ହେଉଥିଲା, ସେମାନଙ୍କ ପାଇଁ ଏହି ଔଷଧ ଜୀବନ ରକ୍ଷାକାରୀ ପ୍ରମାଣିତ ହେବ। ଭାରତ ପୂର୍ବରୁ ଜେନେରିକ୍ ଔଷଧ ଉତ୍ପାଦନ ପାଇଁ ଏକ ପ୍ରମୁଖ କେନ୍ଦ୍ର । ଆଉ ଏବେ ଏହି HIV ଔଷଧ ବିକଶିତ କରି, ଆମ ଦେଶ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି।

ଏହାର ବିଶେଷତ୍ୱ ​​କ'ଣ?

ଏହି ଔଷଧଟି ଆମେରିକା, କାନାଡା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ପୂର୍ବରୁ ବ୍ୟବହୃତ ବ୍ରାଣ୍ଡେଡ୍ ଔଷଧର ଏକ ଜେନେରିକ୍ ସଂସ୍କରଣ। ବ୍ରାଣ୍ଡେଡ୍ ଔଷଧର ମୂଲ୍ୟ ଏତେ ଅଧିକ ଯେ, ସାଧାରଣ ରୋଗୀଙ୍କ ପାଇଁ ଏହା କିଣିବା ପ୍ରାୟ ଅସମ୍ଭବ। ତଥାପି, ଭାରତରେ ନିର୍ମିତ ଏହି ଜେନେରିକ୍ ସଂସ୍କରଣ ଏତେ ସୁଲଭ ଯେ, ଏହାକୁ ଆବଶ୍ୟକ ଥିବା ସମସ୍ତ ଲୋକ କିଣି ପାରିବେ ।

ଏହି ଔଷଧ କେବେ ଉପଲବ୍ଧ ହେବ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ଔଷଧ ୨୦୨୭ ସୁଦ୍ଧା ବଜାରରେ ବ୍ୟାପକ ଭାବରେ ଉପଲବ୍ଧ ହେବ। ଆକଳନ କରାଯାଉଛି ଯେ, ଏହି ଶସ୍ତା ଔଷଧ ଲକ୍ଷ ଲକ୍ଷ ଲୋକଙ୍କୁ ନୂତନ ଜୀବନ ଦେବ ଏବଂ ଏଡସ୍ ବିରୁଦ୍ଧରେ ବିଶ୍ୱ ଲଢ଼େଇକୁ ମଜବୁତ କରିବ।

ଭାରତରେ HIV ସ୍ଥିତି-

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ପ୍ରାୟ ୨୫.୪ ଲକ୍ଷ ଲୋକ HIV ସଂକ୍ରମିତ। ହେଲେ ଚିନ୍ତାର ବିଷୟ ଯେ, ଏଥିରେ ପ୍ରତିବର୍ଷ ପ୍ରାୟ ୬୮,୦୦୦ ନୂଆ ରୋଗୀ ସାମିଲ ହେଉଛନ୍ତି। ୨୦୨୩-୨୪ ମସିହାରେ, ଦେଶରେ HIV ସମ୍ବନ୍ଧୀୟ ରୋଗରେ ପ୍ରାୟ ୩୫,୮୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସଂଖ୍ୟାଗୁଡ଼ିକ ସୂଚାଇ ଦିଏ ଯେ, HIV ଭାରତରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି ।

ସରକାରୀ ପ୍ରୟାସ-

ଭାରତ ସରକାର ପୂର୍ବରୁ ଅନେକ HIV ନିବାରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମ କରିଛନ୍ତି। ରୋଗୀମାନଙ୍କୁ ମାଗଣା ପରୀକ୍ଷା, ପରାମର୍ଶ ଏବଂ ଔଷଧ ଯୋଗାଇ ଦିଆଯାଉଛି। ସରକାର ୨୦୩୦ ସୁଦ୍ଧା ଦେଶରୁ HIV/AIDSକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବିଶ୍ୱ କେତେ ଲାଭବାନ ହେବ?

ଜାତିସଂଘର ଏଜେନ୍ସି UNAIDS ଅନୁଯାୟୀ, HIV ଚିକିତ୍ସା ପାଇଁ ସୁଲଭ ଔଷଧର ଉପଲବ୍ଧତା ଏହି ମହାମାରୀ ସମ୍ପୂର୍ଣ୍ଣ ଶେଷ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ପୂର୍ବରୁ ଟିବି ଏବଂ ଅନ୍ୟାନ୍ୟ ରୋଗ ପାଇଁ ସୁଲଭ ଔଷଧ ବିକଶିତ କରି ବିଶ୍ୱକୁ ଆଶ୍ୱସ୍ତି ପ୍ରଦାନ କରିଛି । ଆଉ ଏବେ HIV କ୍ଷେତ୍ରରେ ଏହି ପଦକ୍ଷେପ ଏକ ବିଶ୍ୱବ୍ୟାପୀ ଉଦାହରଣ ସୃଷ୍ଟି କରିବ। ଭାରତରେ ବିକଶିତ ହେଉଥିବା ଏହି ଜେନେରିକ୍ ଔଷଧ କେବଳ ଦେଶର ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନ ରକ୍ଷା କରିବନି, ବରଂ ଗରିବ ଏବଂ ବିକାଶଶୀଳ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟସେବା ପାଇଁ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିବ। ପୂର୍ବରୁ ଯେଉଁଠାରେ ୩୫ ଲକ୍ଷ ଟଙ୍କାର ଔଷଧ କିଣିବା ଅସମ୍ଭବ ଥିଲା, ସେଠାରେ ଏବେ ମାତ୍ର ୩,୩୦୦ ଟଙ୍କାରେ ଚିକିତ୍ସା ଉପଲବ୍ଧ ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତର ଏହି ପଦକ୍ଷେପ ଏକ ପ୍ରମୁଖ ମାଇଲଖୁଣ୍ଟ ସାଜିବ ।