ନୂଆଦିଲ୍ଲୀ: ଏଚ୍‌ଏମପିଭି ଭୂତାଣୁ ଶରୀରରେ ଅଛି କି ନାହିଁ ଜାଣିବାକୁ ହେଲେ ଅତ୍ୟାଧୁନିକ ମେଡିକାଲ୍‌ ଉପକରଣର ଆବଶ୍ୟକତା ରହିଛି । ଯେମିତି କି BioFire ପ୍ୟାନେଲ୍‌, ଏଥିରେ ଅନ୍ୟ ରୋଗ ସହିତ ଏଚଏମପିଭି ଭୂତାଣୁକୁ ଚିହ୍ନଟ କରାଯାଇ ପାରିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏଚଏମପିଭି ଆରଟି-ପିସିଆର ଟେଷ୍ଟ ଲାଗି ୩୦୦୦ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଲାଗିପାରେ । ସେପଟେ ଏଚ୍‌ଏମପିଭି ପରୀକ୍ଷା ଡକ୍ଟର ଲାଲ ପାଥଲ୍ୟାବ୍‌, ଟାଟା ଓ୍ବାନ ଏମଜି ଏବଂ ମ୍ୟାକ୍ସ ହେଲ୍ଥ କେୟାର ଭଳି ବଡ଼ ବଡ଼ ପାଥୋଲ୍ୟାବରେ ହୋଇପାରୁଛି । ଏଚ୍‌ଏମପିଭି ସହ ଶରୀରରେ ଅନ୍ୟ ରୋଗର ଚିହ୍ନଟ କରିବାକୁ ଏକକ ପରୀକ୍ଷା କରାଇଲେ, ଏହାର ଖର୍ଚ୍ଚ ୨୦ ହଜାର ଟଙ୍କାକୁ ବଢ଼ିପାରେ ।  ଏଥିରେ ନାସୋଫେରିଞ୍ଜଲ ସ୍ବାବ, ସ୍ପୁଟମ ଏବଂ ଟ୍ରାକିୟଲ୍‌ ଆସ୍ପିରେଟସ୍‌ ଭଳି ପରୀକ୍ଷା କରାଇ ହେବ । 

ଏଚ୍‌ଏମପିଭି କଣ ?

ଏଚ୍‌ଏମପିଭି, ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ଏହା ଏକ ଆରଏନଏ ଭାଇରସ୍‌ ହୋଇଥିବା ବେଳେ ଶୀତ ଦିନରେ ଏହାର ପ୍ରଭାବ ଅଧିକ । ବିଶେଷ କରି ଏହି ଭୂତାଣୁ ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ଛୋଟ ପିଲା ଏବଂ ବୟସ୍କଙ୍କୁ ଆକ୍ରାନ୍ତ କରେ ।  ଏଚ୍‌ଏମପିଭି ଆକ୍ରାନ୍ତଙ୍କ ଠାରେ ସାଧାରଣ ଥଣ୍ଡା ଭଳି ଲକ୍ଷ୍ୟଣ ଦେଖାଯାଏ । କିନ୍ତୁ ଗୁରୁତର ଥିବା ରୋଗୀଙ୍କ ଠାରେ ଏକାଧିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଉପୁଜିପାରେ ।

ଚିକିତ୍ସା ପଦ୍ଧତି

ଏଚ୍‌ଏମପିଭି ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କୌଣସି ନିର୍ଦ୍ଦିଷ୍ଟ ଉପଚାର ନାହିଁ । ଏଚ୍‌ଏମପିଭିର ଚିକତ୍ସା ଲାଗି କୌଣସି ଭ୍ୟାକ୍ସିନ୍‌ ତିଆରି ହୋଇନାହିଁ । ରୋଗୀଙ୍କ ଠାରେ ଗୁରୁତର ସମସ୍ୟା ଦେଖାଦେଲେ ହସ୍ବିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ । ଶ୍ବସନ ତନ୍ତ୍ରରେ ହେଉଥିବା ସମସ୍ୟାକୁ ଦୂର କରିବା ଲାଗି ଅକ୍ସିଜେନ୍‌ ଥେରାପି, ଇଣ୍ଟ୍ରାଭେନସ୍‌ ଫ୍ଲୁଇଡ୍‌ ଭଳି ଚିକିତ୍ସା ପଦ୍ଧତି ଆପଣାନ୍ତି ଡାକ୍ତର ।

ସରକାରୀ ଗାଇଡଲାଇନ୍ସ

ଏଚ୍‌ଏମପିଭିକୁ ଭୟ ନକରିବାକୁ ବିଶେଷଜ୍ଞମାନେ କହିଛନ୍ତି । କିନ୍ତୁ ଏଥିରୁ ବର୍ତ୍ତିବା ପାଇଁ ସାବଧାନ ହେବାକୁ ପରାମର୍ଶ ଦିଆଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନଙ୍କ ଅନୁସାରେ, ଏଚ୍‌ଏମପିଭି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ମାସ୍କ ବ୍ୟବହାର କରିବା ସହ ହାତ ସଫା ରଖିବା ଏବଂ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପଡ଼ିବ । 

କ’ଣ କରିବେ ?

-ସାବୁନ ଏବଂ ସାନିଟାଇଜର ଲଗାଇ ହାତକୁ ସଫା କରିବେ ।

- ଭୂତାଣୁ ଜନିତ ଲକ୍ଷ୍ୟଣ ଥିବା ଲୋକମାନଙ୍କ ପାଖରୁ ଦୂରେଇ ରହିବା ଉଚିତ  । 

- ସର୍ବଦା ବ୍ୟବହୃତ ସ୍ଥାନକୁ ଜୀବାଣୁମୁକ୍ତ କରାଯିବା ଦରକାର ।

- ଶ୍ବାସକ୍ରିୟା କରିବାରେ କଷ୍ଟ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି । 

- ଯଦିଓ ଏଚଏମପିଭି ନୂଆ ନୁହେଁ, ତଥାପି ଉଚିତ ସମୟରେ ଏହାର ଚିକିତ୍ସା କରାଇବା ଦ୍ବାରା ଜୀବନ ପ୍ରତି ବିପଦ କମିଯାଏ ।