ଯାଜପୁର,୨୨/୦୭: ନାବାଳିକା ନିୟମିତ ଷ୍ଟାଡିୟମ ଆସୁଥିଲେ ହକି ଶିଖିବା ଲାଗି । ଖେଳ ଶିଖାଇବା ପାଇଁ ଷ୍ଟାଡିୟମରେ ନିଯୁକ୍ତ ହୋଇଛନ୍ତି ପ୍ରଶିକ୍ଷକ । ଏବେ ପୂର୍ବତନ ହକି ପ୍ରଶିକ୍ଷକ ଓ ସହଯୋଗୀମାନଙ୍କ ବିରୋଧରେ ଆସିଛି ଗଣଦୁ‌ଷ୍କର୍ମ  ଅଭିଯୋଗ । ଗତ ୩ ତାରିଖରେ ହୋଇଛି ଘଟଣା । ଧମକ ପାଇ ଡରି ଯାଇଥିଲେ ନାବାଳିକା । ଏଫ୍‌ଏମ୍‌  ଛାତ୍ରୀ ଆତ୍ମାହୁତି ଘଟଣା ପରେ ସାହସ  ଜୁଟାଇ ଥାନାରେ ଅଭିଯୋଗ କରିଛନ୍ତି । ଯାଜୁପର ଟାଉନ ଥାନାରେ ହୋଇଛି ଅଭିଯୋଗ । ପୁଲିସ ପ୍ରାରମ୍ଭିକ  ତଦନ୍ତ କରି ୪ ଜଣଙ୍କୁ ଅଟକ ରଖି  ପଚରାଉଚୁରା କରୁଛି । ଯାଜପୁର ଜିଲ୍ଲାର  ଏହି ଘଟଣା ପୁଣି ଥରେ ଗୁରୁ-ଛାତ୍ରୀ ସମ୍ପର୍କରେ କଳଙ୍କ ଲଗାଇଛି ।  

ଅଭିଯୋଗରୁ ପ୍ରକାଶ, ଯାଜପୁର ଥାନା ଅଞ୍ଚଳର ସଂପୃକ୍ତ ନାବାଳିକା ହକି ପ୍ରଶିକ୍ଷଣ ନେବା ପାଇଁ ପ୍ରାୟ  ୨ବର୍ଷ ହେବ ହକି ଷ୍ଟାଡିୟମକୁ  ଯାଉଥିଲେ । ଗତ ୩ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟାରେ ନାବାଳିକା  ହକି ପ୍ରଶିକ୍ଷଣ କେନ୍ଦ୍ରରୁ ଘରକୁ ଫେରୁଥିଲେ । ଏହି ସମୟରେ  ସାର୍ଥକ ମହାନ୍ତି (ପୂର୍ବରୁ ଏଠାରେ  କାର୍ଯ୍ୟ କରୁଥିବା ହକି ପ୍ରଶିକ୍ଷକ)  ତାଙ୍କୁ ଫୋନ୍‌ କରି ତୋ ପାଇଁ  ଉପହାର ଅଛି ବୋଲି କହିଥିଲେ । ଏ ସଂପର୍କରେ ନାବାଳିକାଜଣକ ତାଙ୍କ ଗ୍ରାଉଣ୍ଡ କୋଚ୍‌ଙ୍କୁ ଫୋନ୍‌ କରି ଜଣାଇବାରୁ ସେ ସାର୍ଥକ ସହ ଯିବା ପାଇଁ ନାବାଳିକାଙ୍କୁ କହିଥିଲେ । ମାତ୍ର  ବିଳମ୍ବ ହୋଇଯାଉଥିବାରୁ ନାବାଳିକା ଯିବାକୁ ମନା କରି ସେଠାରେ ଛିଡ଼ା ହୋଇ ତାଙ୍କର କିଛି ସାଙ୍ଗଙ୍କ ସହ କଥା ହେଉଥିଲେ । ଏହି  ସମୟରେ ତାଙ୍କୁ ସାର୍ଥକ ଓ ବର୍ତ୍ତମାନର ହକି କୋଚ୍‌ ସନ୍ଦୀପ ସ୍ୱାଇଁ ଦେଖିଥିଲେ । ସେଠାରୁ ନାବାଳିକାଜଣଙ୍କ ସାଇକେଲ୍‌ ନେଇ  ଆସୁଥିବା ବେଳେ କିଛି ଦୂର ଆଗରେ ତାଙ୍କୁ ସାର୍ଥକ  ଅଟକାଇ ବାଧ୍ୟ କରି ନିକଟରେ ଥିବା ସାଙ୍ଗ ଘରେ ସାଇକେଲକୁ ରଖାଇଥିଲେ । ନାବାଳିକାଜଣଙ୍କ ସେମାନଙ୍କ ସହ ଯିବାକୁ ମନା କରିବାରୁ ସାର୍ଥକ, ସନ୍ଦୀପ ଓ ତାଙ୍କ ସହଯୋଗୀ ସାଗର ନାୟକ ଜୋର୍‌  ଜବରଦସ୍ତ ତାଙ୍କୁ ବାଇକ୍‌ରେ ବନ୍ଧ ରାସ୍ତା ଦେଇ ସହରରେ ଥିବା ଏକ ଲଜ୍‌କୁ ନେଇ ଯାଇଥିଲେ ।  

ସେଠାରେ ତାଙ୍କୁ ସାର୍ଥକ ଓ ସାଗର ଗଣଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଚିତ୍କାର କରିବାରୁ  ଲଜ୍‌ର ଜଣେ କର୍ମଚାରୀ ଏହା ଶୁଣି କବାଟ ଖୋଲିବା  ପାଇଁ ଡାକିଥିଲେ । ନାବାଳିକାଙ୍କ ହାତ ଛିଟ୍‌କିଣୀକୁ  ପାଇନଥିବାରୁ ସେ କବାଟ ଖୋଲିପାରିନଥିଲେ ।  କିଛି ସମୟ ପରେ ସହଯୋଗୀ ସାଗର କବାଟ  ଖୋଲିଥିଲା । ପରେ ନାବାଳିକାଙ୍କୁ ସେମାନେ ଆଣି  ପୁଣି ଷ୍ଟେଟ ବ୍ୟାଙ୍କ ପାଖରେ ଛାଡ଼ି ଦେଇ, କାହାକୁ  କିଛି କହିଲେ ତୋତେ ମାରିଦେବୁ ବୋଲି ଧମକ  ଦେଇଥିଲେ ବୋଲି ନାବାଳିକା ଅଭିଯୋଗରେ  ଦର୍ଶାଇଛନ୍ତି ।  

ଏ ସଂପର୍କରେ ସଂପୃକ୍ତ ନାବାଳିକା ଜିଲ୍ଲା କ୍ରୀଡ଼ାଧିକାରୀ ଫକୀର ମୋହନ ଟୁଡୁଙ୍କୁ ଜଣାଇଥିଲେ । କ୍ରୀଡ଼ାଧିକାରୀ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚୁପ୍‌ ହୋଇ ବସି ଯାଇଥିବା ନାବାଳିକା ପୁଲିସ ଆଗରେ ପ୍ରକାଶ କରିଛନ୍ତି । ଭୟରେ ନାବାଳିକା ଚୁପ୍‌ ଥିଲେ । ଏଫଏମ୍‌ କଲେଜ ଘଟଣା ପର  ନାବାଳିକାଜଣକ ସାହସ ଜୁଟାଇ ରବିବାର ଥାନାରେ ଅଭିଯୋଗ କରିଥିଲେ । କେବଳ ସେ ନୁହଁନ୍ତି ପ୍ରଶିକ୍ଷଣ ନେବାକୁ ଆସୁଥିବା ଆହୁରି କିଛି  ମହିଳା କ୍ରୀଡ଼ାବିତ୍‌ଙ୍କୁ ଅସଦାଚରଣ କରାଯାଉଥିବା ସେ ପ୍ରକାଶ କରିଛନ୍ତି । 

ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍‌ପି ଶରତ ଚନ୍ଦ୍ର ପାତ୍ର ଭାରତୀୟ ନ୍ୟାୟ ସଂହିତାର  ଧାରା ୭୦(୨), ୩୫୧(୨), ୭୪, ୩(୫) ଓ ପୋକ୍‌ସୋ ଆକ୍ଟର ଧାରା ୬ରେ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଥିଲା । ମାମଲାରେ ସଂପୃକ୍ତ ଥିବା  ୪ଜଣଙ୍କୁ ପଚରାଉଚୁରା କରାଯାଉଛି । ନାବାଳିକାଙ୍କୁ  ଡାକ୍ତରୀମାଇନା କରିବା ନିମନ୍ତେ ଯାଜପୁର  ମେଡିକାଲକୁ ପଠାଇବା ସହ ବିଚାରପତିଙ୍କ  ନିକଟରେ ବୟାନ ମଧ୍ୟ ରେକର୍ଡ କରାଯାଇଛି ।  

ଏ ସମ୍ପର୍କରେ ଡିଏସ୍‌ପି ଶ୍ରୀ ପାତ୍ର କହିଛନ୍ତି,  ଅଭିଯୋଗ ପାଇଲା ପରେ ତୁରନ୍ତ ମାମଲା ରୁଜୁ  କରାଯାଇ ରାତିରେ ୪ଜଣଙ୍କୁ ଥାନାରେ ଅଟକ ରଖି  ପଚରାଉଚୁରା କରାଯାଉଛି । ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ତଦନ୍ତ ଜାରି  ରହିଛି ବୋଲି ସେ କହିଛନ୍ତି । ଘଟଣା ସଂପର୍କରେ  କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁଙ୍କ ସହ  ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍‌  ଉଠାଇନଥିଲେ ।