ରାଉରକେଲା,୨୯/୧୨: ୭ ବର୍ଷ ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାରଠୁ ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) । ଏଲଇଡି ଲାଇଟରେ ଝଲସିଲା ଉଠିଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ । ଦିଲ୍ଲୀ ଏସଜି ପିପର୍ସ ଓ ଗୋନାସିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପିପର୍ସ । ସୁଟ ଆଉଟରେ (୪-୨) ଗୋଲରେ ବାଜି ମାରି ନେଇଛି ଦିଲ୍ଲୀ ।

ଦିଲ୍ଲୀ ପିପର୍ସର ବିଜୟ ଅଭିଯାନ- ଉଦ୍‌ଘାଟନୀ ମ୍ୟାଚ୍‌ ଗୋନାଶିକା ଓ ଦିଲ୍ଲୀ ଏସ୍‌ଜି ପିପର୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଦିଲ୍ଲୀ ୨-୨ (୪-୨) ଗୋଲ୍‌ରେ ବିଜୟ ହାସଲ କରିଥିଲା । ନିର୍ଦ୍ଧାରିତ ସମୟର ଖେଳ ୨-୨ ଗୋଲ୍‌ରେ ବରାବର ରହିଥିଲା । ଦିଲ୍ଲୀ ପକ୍ଷରୁ ପଞ୍ଚମ ଓ ୩୯ମିନିଟ୍‌ରେ ଟୋମାସ ଡୋମେନ ୨ଟି ଗୋଲ୍‌ କରିଥିବାବେଳେ ଗୋନାଶିକା ପକ୍ଷରୁ ୨୬ମିନିଟ୍‌ରେ ଷ୍ଟ୍ରୁଆନ ୱାଲ୍କର ଓ ୩୫ମିନିଟ୍‌ରେ ଭିକ୍ଟର ଚାର୍ଲେଟ ଗୋଲ୍‌ ସ୍କୋର କରିଥିଲେ । ବିଜୟରୁ ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ । ଟୋମାସ ଡୋମେନ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ମ୍ୟାଚରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।

ଉଦଘାଟନୀ ଉତ୍ସବ ବାତିଲ- ପୂର୍ବରୁ ବଲିଉଡ୍‌ ତାରକା ସାରା ଅଲ୍ଲୀ ଖାନ୍‌, ରାପର କିଙ୍ଗ୍‌, ବଲିଉଡ୍‌ କୋରିଓଗ୍ରାଫର ସଇମକ୍‌ ଦାବର, ବଲିଉଡ୍‌ ଉପସ୍ଥାପକ ଜୟ ଭନ୍‌ସାଲି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ଯୋଗୁ ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବାରୁ ଉଦ୍‌ଘାଟନୀ ଉତ୍ସବକୁ ବାତିଲ ଘୋଷଣା କରାଯାଇଥିଲା । ହିରୋ ହକି ଇଣ୍ଡିଆ ଲିଗ୍‌ର ପରିଚାଳନା କମିଟିଙ୍କ ସମ୍ମାନାର୍ଥେ ଏହି ନିଷ୍ପତ୍ତି ନେଇଥିଲେ ।