ରାଞ୍ଚି, ୨୫/୦୧: ପୁରୁଷ ଏସ୍‌ଆଇଏଲରେ ଶୁକ୍ରବାର ବେଙ୍ଗଲ ଟାଇଗର୍ସ ୫-୩ ଗୋଲରେ ବେଦାନ୍ତ  କଳିଙ୍ଗ ଲାନସର୍ସକୁ ପରାସ୍ତ କରିଛି । ସିଜନରେ ଏ  ପର୍ଯ୍ୟନ୍ତ ୫ଟି ବିଜୟ ସହ ଦଳ ମୋଟ୍‌ ୧୫ ପଏଣ୍ଟ ପାଇ  ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ବେଦାନ୍ତ  କଳିଙ୍ଗ ଲାନସର୍ସ ୧୫ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । 

ପ୍ରଥମ କ୍ୱାର୍ଟରରେ ଭଲ ଆରମ୍ଭ କରିଥିଲା ଲାନସର୍ସ ।  ୫ ଓ ୧୧ ମିନିଟରେ ୨ଟି  ଗୋଲ୍‌ ସ୍କୋର କରିଥିଲା ।  ଟାଇଗର୍ସ ୧୦ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିବାରେ  ସଫଳ ରହିଥିଲା । ପୁଣି  ଦ୍ୱିତୀୟ କ୍ୱାର୍ଟରରେ ୨ଟି  ଗୋଲ୍‌ ଦେଇ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୩-୨ରେ ଅଗ୍ରଣୀ  ଲାଭ କରିଥିଲା ଟାଇଗର୍ସ । ତୃତୀୟ କ୍ୱାର୍ଟର ଆରମ୍ଭରୁ  ଚତୁର୍ଥ ଗୋଲ୍‌ ଦେଇ ଦଳ ସ୍ଥିତି ମଜବୁତ କରିଥିଲା ।  ଲାନସର୍ସ ୩୩ ମିନିଟରେ ତୃତୀୟ ଗୋଲ ଦେଇଥିଲା ।  

୪୦ ମିନିଟରେ ପଞ୍ଚମ ଗୋଲ୍‌ ଦେଇ ଟାଇଗର୍ସ  ମ୍ୟାଚ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ଶେଷ  ୨୦ ମିନିଟ ଖେଳ ସଂଘର୍ଷପୂର୍ଣ୍ଣ ଥିଲା । ଲାନସର୍ସ ବହୁ  ପ୍ରୟାସ କରି ଆଉ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇନଥିଲା ।  ଶେଷରେ ୩-୫ ଗୋଲରେ ପରାଜିତ ହୋଇଥିଲା ।